କ୍ଷୀରକୁ ଅମୃତ କୁହାଯାଏ। ଆମେ ପଞ୍ଚାମୃତ ବୋଲି ଯେଉଁ ପୁଷ୍ଟିକର ପାନୀୟ ପୂଜାପର୍ବରେ ବ୍ୟବହାର କରୁ, ସେଥିରେ କ୍ଷୀର ଅନ୍ୟତମ ଅମୃତ। ଅନ୍ୟ ଚାରିଟି ଅମୃତ ହେଲା ଦହି, ଘିଅ, ଗୁଡ଼ ଓ ମହୁ। ଏ ପଞ୍ଚାମୃତ ଯଦି ଠିକ୍ଭାବେ ହଜମ ହୁଏ, ତେବେ ଏହା ବଜାରରେ ମିଳୁଥିବା ସବୁ ପ୍ରକାର ଟନିକ୍ଠାରୁ ଉତ୍କୃଷ୍ଟ। ମାତ୍ର ଲୋଭୀ ବ୍ୟବସାୟୀ ଓ ନୀତିହରା ଗୋପାଳକଙ୍କ ଅତିଶୟ ଲୋଭ ଯୋଗୁ ଅମୃତ ବୋଲି କୁହାଯାଉଥିବା କ୍ଷୀର ଆଜି ବିଷରେ ପରିଣତ ହୋଇଯାଇଛି।
କ୍ଷୀରପାନ କଲେ ସଙ୍ଗେସଙ୍ଗେ ଶକ୍ତି ମିଳେ ବୋଲି ଚାଣକ୍ୟ କହିଛନ୍ତି-
ସଦ୍ୟ ପ୍ରଜ୍ଞାହରା ତୁଣ୍ଡୀ ସଦ୍ୟ ପ୍ରଜ୍ଞାକରୀ ବଚା।
ସଦ୍ୟ ଶକ୍ତିହରା ନାରୀ ସଦ୍ୟ ଶକ୍ତିକରଂ ଦୁଗ୍ଧମ୍।।
ଅର୍ଥାତ୍, ତୁଣ୍ଡୀ ବୋଲନ୍ତେ କୁନ୍ଦୁରି ଖାଇଲେ ସଙ୍ଗେସଙ୍ଗେ ବୁଦ୍ଧି ହଜିଯାଏ ଏବଂ ବଚ ଚୋବେଇଲେ ସଙ୍ଗେସଙ୍ଗେ ବୁଦ୍ଧି ବାହାରେ। ସେଥିପାଇଁ କୁନ୍ଦୁରିକୁ ବୁଦ୍ଧିନାଶ ଫଳ ବୋଲି କୁହନ୍ତି କିନ୍ତୁ ଏହା କେତେଦୂର ବିଜ୍ଞାନସମ୍ମତ ତା’ର କୌଣସି ପ୍ରମାଣ ନାହିଁ। ଅଧିକାଂଶ ସଂଗୀତସାଧକ ଓ ବକ୍ତା ସଭାସମିତିରେ ଗାଇବା ବା ଭାଷଣ ଦେବା ପୂର୍ବରୁ ପାଟିରେ ବଚ ଜାକନ୍ତି। ଏହାକୁ ଚୋବାଇ ରସ ଢୋକନ୍ତି। ଏହାଫଳରେ ସେମାନଙ୍କ କଣ୍ଠ ସଫା ହେବା ସହ ମସ୍ତିଷ୍କର ଗତି ପ୍ରଖର ରହିବାରୁ ସେମାନେ ଭଲ ଗାଇପାରନ୍ତି ଓ ଭଲ ଭାଷଣ ଦେଇପାରନ୍ତି। ସେହିପରି ନାରୀସଙ୍ଗ କଲେ ସଙ୍ଗେସଙ୍ଗେ ଶକ୍ତିକ୍ଷୟ ହୁଏ ଏବଂ ଦୁଗ୍ଧପାନ କଲେ ସଙ୍ଗେସଙ୍ଗେ ଶକ୍ତି ମିଳେ ବୋଲି ଚାଣକ୍ୟ କହିଛନ୍ତି।
ତେବେ ଦୁଗ୍ଧରେ ଯେ ଶକ୍ତି ଓ ପୋଷକତତ୍ତ୍ବ ଅଛି, ଏଥିରେ କାହାରି ସନ୍ଦେହ ନାହିଁ। ମାତ୍ର ଭେଜାଲ ଓ ନକଲି କ୍ଷୀରରୁ ଆମେ ସମାନ ଆଶା କରିପାରିବା ନାହିଁ। ପାଣି, କୃତ୍ରିମ ରଙ୍ଗ, ଡିଟର୍ଜେଣ୍ଟ ପାଉଡର, ରିଫାଇନ ତେଲ ପ୍ରଭୃତିର ସମ୍ମିଶ୍ରଣରେ ତିଆରି ହୋଇ ପ୍ୟାକେଟ୍ କ୍ଷୀର ନାଁରେ ବିଭିନ୍ନ ମେଟ୍ରୋପଲିଟାନ୍ ସିଟିରେ ବିକ୍ରି ହେଉଥିବା ନକଲି କ୍ଷୀର ବିଷୟରେ ବିଭିନ୍ନ ସମୟରେ ଖବରକାଗଜରେ ବାହାରୁଛି। ସରକାରୀ ପରିଚାଳନାରେ ଥିବା ଯେଉଁ କ୍ଷୀର କମ୍ପାନି ପ୍ୟାକେଟ୍ କ୍ଷୀର ବିକୁଛି, ସେମାନେ ଗାଁଗହଳରୁ ଦେଶୀ-ବିଦେଶୀ ଗାଈ ଓ ମଇଁଷି ଆଦିର କ୍ଷୀର ସଂଗ୍ରହ କରି ପ୍ରଥମେ ସେଥିରୁ ଲହୁଣୀତକ କାଢ଼ି ନିଅନ୍ତି ଓ ତାକୁ ଘିଅ କରି ବିକନ୍ତି। ଲହୁଣୀ ବାହାରିଯିବା ପରେ କ୍ଷୀର ପତଳା ହୋଇଯାଏ।
ସରକାରୀ ନିୟମାନୁସାରେ କ୍ଷୀରର ନିର୍ଦ୍ଦିଷ୍ଟ ଘନତ୍ବ (ଡେନ୍ସିଟି) ବଜାୟ ରଖିବା ପାଇଁ ସେମାନେ ସେଥିରେ ଶସ୍ତା ପାଉଡର ମିଶାନ୍ତି। କ୍ଷୀର ସହଜରେ ନ ଛିଣ୍ଡିବା ପାଇଁ ସେମାନେ ସେଥିରେ କମ୍ ପରିମାଣର ଲୁଣ ବି ମିଶାନ୍ତି। ସେଥିପାଇଁ ସରକାରୀ ସଂସ୍ଥାର ପ୍ୟାକେଟ୍ କ୍ଷୀରକୁ ଆପଣ ଅଧିକ ଫୁଟାଇ ଚା କଲେ ସେ ଚା ଆପଣଙ୍କୁ ନିଶ୍ଚୟ ଈଷତ୍ ଲୁଣିଆ ଲାଗିବ। କ୍ଷୀରରୁ ଜୀବାଣୁ ମାରିବା ପାଇଁ ତାକୁ ଉଚ୍ଚ ଓ ନିମ୍ନ ତାପମାତ୍ରାରେ ପାଶ୍ଚରାଇଜ୍ କରି ପ୍ୟାକେଟ୍ରେ ଭର୍ତ୍ତି କରି ବଜାରରେ ବିକ୍ରି କରନ୍ତି। ଲୁଣ ମିଶିଥିବା ଯୋଗୁ ଏ କ୍ଷୀର ନିଶ୍ଚୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। କାରଣ ଆୟୁର୍ବେଦ ଶାସ୍ତ୍ରରେ କ୍ଷୀରରେ ଲୁଣ ମିଶାଇବା ମନା। ଦୀର୍ଘଦିନ ଧରି ଲୁଣମିଶା କ୍ଷୀର ପିଇଲେ ବା ଲୁଣ ପଡ଼ିଥିବା କ୍ଷୀରଯୁକ୍ତ ଚା, କଫି ବା କ୍ଷୀରୀ ଖାଇଲେ ଆପଣଙ୍କର ଉଚ୍ଚ ରକ୍ତଚାପ ବୃଦ୍ଧି ସହ ମସ୍ତିଷ୍କଘାତ ଓ ତଜ୍ଜନିତ ପକ୍ଷାଘାତ ହେବା ଅସମ୍ଭବ ନୁହେଁ। ଚିନି ମିଶାଇ ଏପରି କ୍ଷୀରର ଚା କିମ୍ବା କଫି ପିଇଲେ ନିଶ୍ଚୟ ଆପଣଙ୍କର ଗ୍ୟାଷ୍ଟ୍ରିକ୍ ସମସ୍ୟା ବାହାରିବ। କ୍ଷୀରଯୁକ୍ତ ଚା ପିଇବା ପରେ ଗ୍ୟାସ୍ ହେବାର ଅନୁଭୂତି ଅନେକଙ୍କର ଥିବ।
ଆଜିକାଲି ଅଧିକାଂଶ ଗୋପାଳକ ଗାଈକୁ ଅକ୍ସିଟୋସିନ୍ ଇଂଜେକ୍ସନ ଦେଇ କ୍ଷୀର ଦୁହୁଁଛନ୍ତି। ଏହା ଏକ ନିଷିଦ୍ଧ ଔଷଧ। ଗଉଡ଼ ଚୋରାରେ କଲିକତାରୁ ଏହାକୁ ମଗାଇ ଗାଈକୁ ଦେଉଛି। ଏ ଇଞ୍ଜେକ୍ସନ ଦେଲେ ଗାଈ ଅଧିକ କ୍ଷୀର ଦିଏ, କିନ୍ତୁ ଏହା କର୍କଟରୋଗକାରକ। ଏ ଇଞ୍ଜେକ୍ସନ ନିୟମିତ ଭାବେ ନେଲେ ଗାଈର ପରମାୟୁ କମିଯାଏ ଏବଂ ତା’ କ୍ଷୀର ଯିଏ ପିଏ ତା’ର ବି କ୍ୟାନ୍ସର ପରି ମାରାତ୍ମକ ରୋଗ ହେବାର ଆଶଙ୍କା ଥାଏ। ସେଥିପାଇଁ ପୁରୁଖା ଲୋକମାନେ କହିଛନ୍ତି- ଯୁଦ୍ଧ ଯଦି କରିବସିବ ଘରେ ଥିବ ଭାଇ, ଦୁଧ ଯଦି ଖାଇବସିବ ଘରେ ଥିବ ଗାଈ। କ୍ଷୀର ଖାଇବାକୁ ମନ ଥିଲେ ଘରେ ଦେଶୀଗାଈ ପାଳନ୍ତୁ, ବଜାରୀ କ୍ଷୀର ଉପରେ ନିର୍ଭର କରନ୍ତୁ ନାହିଁ। ଅବଶ୍ୟ ସହରମାନଙ୍କରେ ଗାଈ ପାଳିବାର ସୁବିଧା ଅଧିକାଂଶ ସ୍ଥାନରେ ନ ଥାଏ।