ବୀରମହାରାଜପୁର: ପାତାଳୀ ଶ୍ରୀକ୍ଷେତ୍ର ଆସିବା ପାଇଁ ମୋର ବହୁଦିନ ଠାରୁ ଆଗ୍ରହ ଓ କାମନା ଥିଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଯେଉଁ ସ୍ଥାନରେ ୧୪୪ ବର୍ଷ ରହିବା ପାଇଁ ବାଛିଥିଲେ, ସେହି ସ୍ଥାନକୁ ଆସିବାର ସୁଯୋଗ ଭାଗ୍ୟରେ ଥିଲେ ହିଁ ମିଳିଥାଏ। ଯୋଗ ନଥିଲେ ଏହି ପବିତ୍ର ମାଟିକୁ ଆସିବାକୁ ସୁଯୋଗ ମିଳିବ ନାହିଁ। ଟ୍ରଷ୍ଟି ପକ୍ଷରୁ କରାଯାଇଥିବା ଦାବିପତ୍ରରେ ଯାହା କୁହାଯାଇଛି, ତାଠାରୁ ଅଧିକ କିଛି କାମ କରାଯିବ। ସୁବର୍ଣ୍ଣପୁର ଜିଲ୍ଲାର ପବିତ୍ର ପାତାଳୀ ଶ୍ରୀକ୍ଷେତ୍ର ଦର୍ଶନ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୁକ୍ରବାର ଏହା କହିଛନ୍ତି। 

Advertisment

ମନ୍ତ୍ରୀ କହିଛନ୍ତି ଯେ, ଦାବିପତ୍ରରେ ପାତାଳୀ ମହୋତ୍ସବ କଥା କୁହାଯାଇଛି। ମାଘମାସ ଅମାବାସ୍ୟା ଠାରୁ ମାଘ ଶୁକ୍ଲ ଅଷ୍ଟମୀ ପର୍ଯ୍ୟନ୍ତ ଆୟୋଜନ ହେବ। ଶ୍ରୀପାତାଳୀ ଶ୍ରୀକ୍ଷେତ୍ର ଟ୍ରଷ୍ଟର ସହଯୋଗ ରହିଲେ ସରକାର ଏହାକୁ ରାଜ୍ୟସ୍ତରୀୟ ସମାରୋହ ଭାବେ ପାଳନ କରିବେ। ପୁରୀ ସହିତ ଜଗନ୍ନାଥ ଚେତନାକୁ ଯୋଡ଼ାଯିବ। ଏହି ସ୍ଥାନକୁ ମହାପ୍ରଭୁ ଚୟନ କରିଥିବାରୁ ପ୍ରତ୍ୟେକ ଓଡ଼ିଆ ମଧ୍ୟ ଏହି ସ୍ଥାନକୁ ଆସିବା ଦରକାର ଅଛି।

ଶ୍ରୀକ୍ଷେତ୍ରରେ ପାତାଳୀ ଶ୍ରୀକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ ହେବ। ଏଥି ପାଇଁ ରାଜ୍ୟ ସରକାର ସବୁ ପ୍ରକାରର ସହଯୋଗ ଯୋଗାଇବେ। ପୁରୀ ସହିତ ପାତାଳୀକୁ ସଂଯୋଗୀକରଣ କରାଯିବାର ଦରକାର ଅଛି। ଜଗନ୍ନାଥ ଚେତନାକୁ ଆମକୁ ପୁଣି ଥରେ ପୁନଃସ୍ଥାପନ କରାଯିବା ଦରକାର। 

-ସୂର୍ଯ୍ୟବଂଶୀ ସୁରଜ, ସଂସ୍କୃତି ମନ୍ତ୍ରୀ

ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ପ୍ରତିବର୍ଷ ୫୦ ହଜାର ଟଙ୍କା ଦିଆଯାଉଛି। ଏଣିକି ୫୦ ହଜାର ଟଙ୍କା ନୁହେଁ, ବରଂ ପାତାଳୀରେ ରଥଯାତ୍ରା ପାଇଁ ଜିଲ୍ଲା ସଂସ୍କୃତି ପରିଷଦ ୫ ଲକ୍ଷ ଟଙ୍କା ଦେବ। ୧୪୪ ବର୍ଷ ମଧ୍ୟରେ ଅନେକ ପିଢ଼ି ଚାଲିଯାଇଛି। ମହାପ୍ରଭୁ ଏଠାକୁ କେମିତି ଆସିଲେ, ଏନେଇ ଅନେକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେଣୁ ଜଗନ୍ନାଥଙ୍କ ଅପାର ଲୀଳା ସଂପର୍କିତ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ। ଏଥି ସହିତ ଏଠାରେ ଏକ ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା କରାଯିବ।  

ସୂଚନାଯୋଗ୍ୟ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ଅପରାହ୍‌ଣରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର ପରିଦର୍ଶନ କରିଛନ୍ତି। ପ୍ରଥମେ ତାଙ୍କୁ ଭବ୍ୟ ସର୍ମଦ୍ଧନା ଜଣାଯାଇଥିଲା। ତା ପରେ ଛଳିଆ ପାହାଡସ୍ଥ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ପ୍ରଭୁକୃପା ସାଉଁଟିଥିଲେ। ଗେଷ୍ଟ ହାଉସରେ ଟ୍ରଷ୍ଟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ତାପରେ ବୈଦ୍ଧିକ ମଣ୍ଡପରେ ମନ୍ତ୍ରୀ ନିଜେ କ୍ଷେତ୍ରର ମହିମା ଉପରେ ବକ୍ତବ୍ୟ ଦେବା ସହ ଜନସାଧାରଣଙ୍କୁ ସାମଗ୍ରିକ ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତା ପରେ ଟ୍ରଷ୍ଟ ତରଫରୁ ୪ଦଫା ନେଇ ଦାବିପତ୍ର ଦିଆଯାଇଥିଲା। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ଜିଲ୍ଲା ବିଜେପି ସଭାପତି ବେଣୁଧର ଦାଶ, ଜିଲ୍ଲାପାଳ ନୃପରାଜ ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। 

 Subarnapur