ରାଜକନିକା/ଆଳି: କୁମ୍ଭୀର ସହିତ ନାବାଳକ ଲଢ଼ିଛି। ଦୀର୍ଘ ସମୟ ପର୍ଯ୍ୟନ୍ତ କୁମ୍ଭୀର ସହିତ ଲଢ଼େଇ କରି ନିଜକୁ ବଞ୍ଚାଇ ପାରିଛି। ଟାଣିନେବା ପାଇଁ କୁମ୍ଭୀର ଶତଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଛି କେନ୍ଦ୍ରାପଡ଼ାଜିଲ୍ଲା ରାଜକନିକା ବ୍ଲକ ଜୟନଗର ପଞ୍ଚାୟତର ଖୁଣ୍ଟା ଗାଁ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀକୂଳରେ ଆଜି ଏହି ଭଳି ଅଭାବନୀୟ ଘଟଣା ଘଟିଛି।
ଉପକୂଳବର୍ତ୍ତୀ ଅଞ୍ଚଳରେ କୁମ୍ଭୀର ଆକ୍ରମଣ ଘଟଣା ବାରମ୍ବାର ଘଟୁଛି। କୁମ୍ଭୀରମାନେ ନଦୀର ଜଳସ୍ତର ଭିତରେ ଉପରମୁଣ୍ଡକୁ ମଧ୍ୟ ଯାଇ ପଶିଯାଉଛନ୍ତି। ନିକଟରେ ମାଲକାନଜିଲ୍ଲା କାଳିମେଳା ଅଞ୍ଚଳରେ ଏକ ପୋଖରୀରେ କୁମ୍ଭୀର ଆତଙ୍କ ଖେଳାଇଥିଲା। ପ୍ରାୟ ତିନି ଦିନ ଯାଏଁ ଗାଁ ଲୋକେ ଭୟଭୀତ ହୋଇଯାଇଥିଲେ। ଶେଷରେ କୁମ୍ଭୀରଟି ବନବିଭାଗର ଅକ୍ତିଆରକୁ ଆସିଥିଲା।
ସୂଚନା ଅନୁସାରେ ଖୁଣ୍ଟା ଗାଁର ରତ୍ନାକର ମଲ୍ଲିକ ବିଲରେ ଚାଷ କାମ କରୁଥିଲେ। ରାକେଶ ବାପାଙ୍କ ଲାଗି ବିଲକୁ ଖାଇବାକୁ ନେଇ ଯାଇଥିଲେl ବାପାଙ୍କୁ ପାଣି ଦରକାର ପଡ଼ିଲା। ବ୍ରlହ୍ମଣୀ ନଦୀକୁ ଲାଗିଥିବା ଖୁଣ୍ଟା ଜୋରକୁ ପୁଅ ରାକେଶ ବାପା ଲାଗି ପାଣି ଆଣିବାକୁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣ କରିଥିଲା। ରାକେଶକୁ କୁମ୍ଭୀର ଟାଣି ନେବାକୁ ଉଦ୍ୟମ କରିଥିଲା। କିନ୍ତୁ ରାକେଶ ନଦୀକୂଳରେ ଲାଗିଥିବା କେଉଟି ଗଛକୁ ଧରି ଜୀବନ ବଞ୍ଚାଇ ଥିଲାl ପୁଅର ଚିତ୍କାର ଶୁଣି ବାପା ରତ୍ନାକର ପହଞ୍ଚି ପୁଅକୁ ଗୁରୁତର ଅବସ୍ଥାରେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି।
ବ୍ରାହ୍ମଣୀ ନଈକୂଳରୁ ବୃଦ୍ଧଙ୍କୁ ଝାମ୍ପିନେଲା କୁମ୍ଭୀର
କେନ୍ଦ୍ରାପଡା ଜିଲା ଆଳି ଥାନା ଅନ୍ତର୍ଗତ ମାଣିକପାଟଣାଗାଁର ପଞ୍ଚାନନ ଦାସ(୭୮)ଙ୍କ ଆଜି କୁମ୍ଭୀର ଆକ୍ରମଣରେ ମୃତ୍ୟୁ ଘଟିଛି। ପଞ୍ଚାନନ ଆଜି ମାଣିକପାଟଣା-ନଳଦିଆ ଗାଁ ମଧ୍ୟବର୍ତ୍ତୀ ଏକମାଣିଆ ପାଳ ନିକଟସ୍ଥ ବ୍ରାହ୍ମଣୀ ନଦୀକୂଳରେ ଗାଈ ଚରାଉଥିଲେ। ଗାଈମାନେ ନଈକୂଳକୁ ଚାଲିଯିବାରୁ ପଞ୍ଚାନନ ସେମାନଙ୍କୁ ଗୋଡାଇ ଆଣିବାକୁ ନଦୀପଠାକୁ ଯାଇଥିଲେ। ସେ ନଈପଟରୁ ରହି ଗାଈ ଗୋଡ଼ାଉଥିବା ସମୟରେ ନଈରେ ଛପି ରହିଥିବା କୁମ୍ଭୀର ଅତର୍କିତ ଆକ୍ରମଣ କରି ପଞ୍ଚାନନଙ୍କୁ ନଦୀଭିତରକୁ ଝାମ୍ପି ନେଇଥିଲା। ପାଖ ଗାଈଚରାଳିମାନେ ଚିତ୍କାର କରିବାରୁ ଗ୍ରାମବାସୀମାନେ ଡଙ୍ଗା, ଡିଙ୍ଗି ନେଇ ନଦୀ ଭିତରେ ଖୋଜାଖୋଜି କରିଥିଲେ। ଖବର ପାଇ ଦମକଳ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନଦୀ ଭିତରେ ତଲାସୀ କରିବା ପରେ ସାହୁପଡା ନିକଟରୁ ପଞ୍ଚାନନଙ୍କ କ୍ଷତବିକ୍ଷତ ମୃତଶରୀର ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ, ଗତମାସ ୨୫ ତାରିଖ ଦିନ ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲା ବସୌନି ଥାନା ଅନ୍ତର୍ଗତ ଝରଣାପୁରା ଗ୍ରାମର ନିବାସୀ ଭଗବାନ ସିଂହଙ୍କ ପୁଅ ବଣ୍ଟୁ ଓରଫ ବୀରଭାନ (୩୬)ଙ୍କୁ କୁମ୍ଭୀର କବଳରୁ ୧୦ ବର୍ଷର ପୁଅ ବଞ୍ଚାଇଥିଲା। ସେଦିନ ସକାଳେ ବୀରଭାନ ଛେଳି ଏବଂ ଗାଈ ଚରାଇବାକୁ ଚମ୍ବଲ ନଦୀ କୂଳକୁ ଯାଇଥିଲେ। ଗାଈ ଓ ଛେଳି ଚରୁଥିବା ବେଳେ ବଣ୍ଟୁ ନଦୀକୂଳରେ ସେ ବିଶ୍ରାମ ନେଉନେଉ ଶୋଇ ପଡ଼ିଥିଲେ। ଏତିକିବେଳେ ନଦୀରୁ ଏକ କୁମ୍ଭୀର ଆସି ତାଙ୍କ ଗୋଡ଼କୁ ଆକ୍ରମଣ କରି ନଦୀ ଆଡ଼କୁ ଟାଣି ନେବାକୁ ଉଦ୍ୟମ କରୁଥିଲା।