ରାଉରକେଲା: ୨୦୨୧ ମସିହାରେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ଥାନା ଅଞ୍ଚଳରେ ଏକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ୧୭ ଜଣ ସାକ୍ଷୀ ଓ ୪୩ଟି ଦସ୍ତାବେଜ୍‌ ଆଧାରରେ ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ଦଣ୍ଡ ଶୁଣାଇଲେ ପୋକ୍ସୋ ଫାଷ୍ଟଟ୍ରାକ୍‌ କୋର୍ଟ ଜଜ୍‌ ପି. ସୂର୍ଯ୍ୟା ରାଓ। ଅଭିଯୁକ୍ତ ହେଲେ ଟାଙ୍ଗରପାଲି ଅଟୋ କଲୋନିର ଶଙ୍କର ସିଂ(୪୪)। ୨୦ ବର୍ଷ ଜେଲ୍‌ ଦଣ୍ଡ ସହ ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ମଧ୍ୟ କୋର୍ଟ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲ୍‌ଦଣ୍ଡ ଶୁଣାଇଛନ୍ତି।

Advertisment

ସରକାରଙ୍କ ତରଫରୁ ଅତିରିକ୍ତ ସରକାରୀ ଆଇନଜୀବୀ ଅମ୍ବିକା ପ୍ରସାଦ ସିଂ ଓ ଜିଲ୍ଲା ଅଭିଯୋଜନା ଉପନିର୍ଦେଶକ କହ୍ନେୟାଲାଲ ପ୍ରଧାନଙ୍କ ତତ୍ତ୍ବାବଧାନରେ ମାମଲା ପରିଚାଳିତ ହୋଇଥିଲା। ସ୍ୱତନ୍ତ୍ର ସରକାରୀ ଆଇନଜୀବୀ ପ୍ରମୋଦ ଦେବତାଙ୍କ ପ୍ରଭାବଶାଳୀ ଆଇନଗତ ଉପସ୍ଥାପନା ଦୋଷୀକୁ ଦଣ୍ଡ ଦେବାରେ ସହାୟକ ହୋଇଥିଲା। ତଦନ୍ତକାରୀ ଅଧିକାରୀ ଜୟଶ୍ରୀ ଦାସଙ୍କ ସମ୍ବେଦନଶୀଳ ତଦନ୍ତ ମାମଲାକୁ ମଜଭୁତ କରିଥିବା ରାଉରକେଲା ପୁଲିସ ତରଫରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: Murder Relatives Accused Detained ଭଣଜାକୁ ଭୁଜାଲିରେ ଆକ୍ରମଣ ପରେ ମୃତ୍ୟୁ ଘଟଣା: ଅଭିଯୁକ୍ତ ମିଥୁନ ନାଥ ଫେରାର, ବାପା ମା ଓ ସ୍ତ୍ରୀ ଥାନାରେ ଅଟକ

ଅଭିଯୁକ୍ତ ଶଙ୍କର ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା

ସୂଚନାନୁଯାୟୀ, ୨୦୨୧ ମସିହା ସେପ୍ଟେମ୍ବର ୧୧ ତାରିଖ ଦିନ ସକାଳେ ନାବାଳିକା ଘରେ ମା’, ଜେଜେମା ଓ ଦାଦାସହ ଥିଲେ। ଦିନ ପ୍ରାୟ ୧୦ଟା‌ବେଳେ ଉଭୟ କାମକୁ ଯାଇଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଶଙ୍କର ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ଏନେଇ ନାବାଳିକାଙ୍କ ମା’ ଜାଣିବା ପରେ ଟାଙ୍ଗରପାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ ପରେ ଜେଲ୍‌ ପଠାଇଥିଲା। ଏହି ବିଚାରାଧୀନ ମାମଲାର ମଙ୍ଗଳବାର ରାୟ ପ୍ରକାଶ ପାଇଛି।