ଭୁବନେଶ୍ୱର: ଉତ୍ତର ସିକ୍କିମର ମନ୍ଗାଁ ଜିଲ୍ଲାରେ ଘଟିଥିବା ସଡ଼କ ଦୁର୍ଘଟଣାର ସାମ୍ନା କରିଥିବା ନିଖୋଜ ଓଡ଼ିଆଙ୍କ ମୋବାଇଲ୍ ଫୋନ୍ ଓ କିଛି ନଗଦ ଟଙ୍କା ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଉଦ୍ଧାରକାରୀ ଦଳ ତିସ୍ତା ନଦୀରୁ ୬ଟି ମୋବାଇଲ ପାଇଛନ୍ତି। ଏହି ମୋବାଇଲ୍ଗୁଡ଼ିକ ଏକ ଭ୍ୟାନିଟି ବ୍ୟାଗ୍ ଭିତରେ ଥିଲା। ଏଥି ସହିତ ଉଦ୍ଧାରକାରୀ ଦଳ ଭ୍ୟାନିଟି ବ୍ୟାଗ୍ ଭିତରୁ ୯,୨୦୦ ଟଙ୍କା ପାଇଛନ୍ତି। ଉଦ୍ଧାର କରାଯାଇଥିବା ମୋବାଇଲ ଓ ବ୍ୟାଗ୍ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟରେ ନିଖୋଜ ପର୍ଯ୍ୟଟକଙ୍କ ପତ୍ତା ଏଯାଏଁ ମିଳି ନାହିଁ।
ସୂଚନାଯୋଗ୍ୟ ଓଡ଼ିଆଙ୍କ ସମେତ ପର୍ଯ୍ୟଟକମାନେ ଉତ୍ତର ସିକ୍କିମର ମନ୍ଗାଁ ଜିଲ୍ଲା ଲାଚେନ-ଲାଚଙ୍ଗ ଜାତୀୟ ରାଜପଥ ଦେଇ ଆଗକୁ ବଢୁଥିବା ବେଳେ ମୁନସ୍ତିଙ୍ଗ୍ ନିକଟରେ ସେମାନଙ୍କ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ପର୍ଯ୍ୟଟକଙ୍କ ଗାଡ଼ି ପ୍ରାୟ ହଜାରେ ଫୁଟ ତଳକୁ ତିସ୍ତା ନଦୀକୁ ଖସି ପଡ଼ିଥିଲା। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ୮ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ବ୍ୟାସନଗରର ବିଜେପି ନେତ୍ରୀ ଇତିଶ୍ରୀ ଜେନା ମଧ୍ୟ ଅଛନ୍ତି। ହେଲେ ଦୁର୍ଘଟଣାରେ ଇତିଶ୍ରୀଙ୍କ ପୁଅ ଏବଂ ପୁତୁରା ସୁରକ୍ଷିତ ଉଦ୍ଧାର ହୋଇଥିବା କୋରେଇ ବିଧାୟକ ଆକାଶ ଦାସ ନାୟକ ଗଣମାଧ୍ୟମକୁ ଶୁକ୍ରବାର ସୂଚନା ଦେଇଛନ୍ତି।
ସିକ୍କିମର ମନ୍ଗାଁ ଜିଲ୍ଲାରେ ଘଟିଥିବା ସଡ଼କ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅବଗତ ହୋଇଛନ୍ତି। ଶ୍ରୀ ମାଝୀ ସିକ୍କିମର ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂହ ତମାଙ୍ଗଙ୍କ ସହିତ କଥା ହୋଇଛନ୍ତି। ନିଖୋଜ ଓଡ଼ିଆ ଲୋକଙ୍କର ସ୍ଥିତି କ’ଣ ରହିଛି ଓ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ନିବେଦନ କରିଛନ୍ତି। ଏଥି ସହିତ ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ପଠାଇଛନ୍ତି।
ନିଖୋଜ ପର୍ଯ୍ୟଟକମାନେ ପଶ୍ଚିମବଙ୍ଗ ଓ ଓଡ଼ିଶା ନିବାସୀ। ଓଡ଼ିଶାରୁ ସମୁଦାୟ ୪ ଜଣ ନିଖୋଜ ଥିବା ଜଣାପଡିଛି। ଏଥିରେ ଇତିଶ୍ରୀ ଜେନା ମଧ୍ୟ ଅଛନ୍ତି। ଇତିଶ୍ରୀ ଏହି ଟୁରିଷ୍ଟ ଦଳ ସହିତ ନିଜ ସ୍ବାମୀ ଓ ୨ ଛୁଆଙ୍କୁ ନେଇ ଯାଇଥିଲେ। ମୋଟ ୧୧ ଜଣ ସିକ୍କିମ ବୁଲିବାକୁ ଯାଇଥିଲେ। ଗ୍ୟାଙ୍ଗଟକରୁ ଫେରିବାବେଳେ ଗୁରୁବାର ରାତି ପ୍ରାୟ ୯ଟାରେ ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ପୁଲିସ ଓ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
sikkim
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/06/01/jNYy9qfDjm3NpIUJw5O8.jpg)