ପୁରୀ: ମହାପ୍ରଭୁଙ୍କ ରଥଯାତ୍ରାକୁ ଆଉ ମାସେ ରହିଲା। ଚଳିତ ବର୍ଷ ରଥଯାତ୍ରାକୁ ଶୃଙ୍ଖଳତାର ସହିତ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି କରିଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ନିଯୋଗ ସହିତ ସମନ୍ବୟ ରକ୍ଷା କରି କାମ କରୁଛି। ଏଥର ରଥଯାତ୍ରାରେ ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରିବା ବ୍ୟାପକ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଶ୍ରୀ ପାଢ଼ୀ ସାମ୍ବାଦିକମାନଙ୍କୁ କହିଛନ୍ତି, ଘୋଷଯାତ୍ରା ବେଳେ ଅଣସେବାୟତମାନେ ରଥ ଉପରକୁ ଚଢ଼ି ପାରିବେ ନାହିଁ। କୌଣସି ପ୍ରକାର ଅନଧିକୃତ କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ରଥ ଉପରେ କୌଣସି ବ୍ୟକ୍ତି ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ। ରଥ ଉପରକୁ ସମସ୍ତଙ୍କୁ ମୋବାଇଲ୍ ବାରଣ କରାଯାଇଛି। ଏଣିକି କେବଳ ମୋବାଇଲ୍ ଜବତରେ କାର୍ଯ୍ୟାନୁଷ୍ଠାନ ଅଟକିବ ନାହିଁ। ବରଂ ଫୌଜଦାରୀ ମାମଲା ମଧ୍ୟ ରୁଜୁ ହେବ।
ଶ୍ରୀ ପାଢ଼ୀ କହିଛନ୍ତି ଯେ, ପରିକ୍ରମା ପ୍ରକଳ୍ପ ବାହାରେ ବହୁ ବଡ଼ବଡ଼ ଅଟ୍ଟାଳିକା ଗଢ଼ି ଉଠୁଛି। ସେମାନେ ନିଜସ୍ବ ଢ଼ଙ୍ଗରେ ଘର ନିର୍ମାଣ କରୁଛନ୍ତି। ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ ମଧ୍ୟ ବଡ଼ବଡ଼ କୋଠାଘର ନିର୍ମାଣ ହେଉଛି। ବଡ଼ବଡ଼ କୋଠା ନିର୍ମାଣ ଏକ ନିର୍ଦ୍ଦିଷ୍ଟ ଭାବେ ଢ଼ାଞ୍ଚା ସ୍ଥିର ହେବା ଦରକାର। ଆମେ ଏନେଇ ନଗର ଉନ୍ନୟନ ବିଭାଗକୁ ଅବଗତ କରିବୁ। ଅଟ୍ଟାଳିକାଗୁଡ଼ିକର ଉଚ୍ଚତା ନିର୍ଦ୍ଧାରଣ ପାଇଁ ସରକାରଙ୍କୁ ଚିଠି ଲେଖିବୁ।
କୌଣସି ପରିସ୍ଥିତିରେ ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ 'ଧାମ' କୁହାଯାଇପାରିବ ନାହିଁ। କେମିତି 'ଧାମ' ନାଁ ହଟିବ, ସେନେଇ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। ଶ୍ରୀକ୍ଷେତ୍ର ହିଁ ଏକମାତ୍ର ଜଗନ୍ନାଥ ଧାମ। ଦୀଘା ମନ୍ଦିରରୁ ଧାମ ନାମ ହଟାଇବାକୁ କଲେ ନିବେଦନ। ପଶ୍ଚିମବଙ୍ଗ ସରକାର ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଛନ୍ତି ତେଣୁ ସରକାରୀସ୍ତରରେ ଏହାର ସମାଧାନ ହେବା ଆବଶ୍ୟକ।
-ଗଜପତି ମହାରାଜ ଦିବ୍ୟସିଂହ ଦେବ
ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ୯ଦିନିଆ ରଥଯାତ୍ରା ଆସନ୍ତା ଜୁନ୍ ୨୭ ତାରିଖ ଠାରୁ ଆରମ୍ଭ ହେବ। ରଥଯାତ୍ରାର ପ୍ରମୁଖ ଆକର୍ଷଣ ‘ରଥ’ଗୁଡ଼ିକର ନିର୍ମାଣ କାମ ଏବେ ଜୋରଦାର ଚାଲିଛି। ରଥ ନିର୍ମାଣ ପାଇଁ ପୁରୀରେ କାଠ ପହଞ୍ଚିବାରେ ଲାଗିଛି ଓ କାମ ସୁରୁଖୁରୁରେ ଚାଲିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତବର୍ଷର ବଳକା ୫୧ ଖଣ୍ଡ କାଠକୁ ଛାଡି, ୮୧୪ ଖଣ୍ଡ କାଠ ଦରକାର ଥିବାବେଳେ, ଗତ ସପ୍ତାହ ସୁଦ୍ଧା ୪୯୯ ଖଣ୍ଡ କାଠ, ଉଭୟ ଶ୍ରୀକ୍ଷେତ୍ର ରଥଖଳା ତଥା ଖପୁରିଆ, କଟକସ୍ଥିତ କରତକଳରେ ପହଞ୍ଚି ସାରିଛି। ୪୦ ଫୁଟିଆ ୩୨ଟି କାଠ (୨୨ ଅସନ+୧୦ ଧଉରା) ବୌଦ୍ଧରୁ ଆସିଛି। ରଥ ଚାରମାଳ ପାଇଁ ତାଳଗଛ ମଧ୍ୟ ଢେଙ୍କାନାଳରୁ ଆସି ପହଞ୍ଚିଛି।
Puri Jagannath temple