ବଲାଙ୍ଗୀର: ତିନି ଦିନ ତଳେ ବଲାଙ୍ଗୀର ଜେଲରେ ଅଚାନକ ଚଢ଼ଉ କରିଥିଲା ପୁଲିସ। ଏସ୍‌ପି ରିଷିକେଶ ଖିଲାରୀଙ୍କ ନେତୃତ୍ବରେ ଦୁଇ ପ୍ଲାଟୁନ୍‌ ଫୋର୍ସ ସାରା ଜେଲ୍‌ ଓ ସବୁ ସେଲ୍‌ ଅଣ୍ଡାଳିଥିଲେ। ଭିତରୁ ପୁଳାପୁଳା ମାଦକ ଦ୍ରବ୍ୟ ଭାଙ୍ଗ, ବିଡ଼ି, ଗଞ୍ଜେଇ ଓ ଚିଲମ୍‌, ଲାଇଟର୍‌ ପ୍ରଭୃତି ଜବତ ହୋଇଥିବା ସୂଚନା ଦିଆଯାଇଥିଲା। ତେବେ ଏସବୁ ଭିତରେ ଚାଞ୍ଚଲ୍ୟକର କଥାଟି ହେଲା ବଲାଙ୍ଗୀର ଜେଲ୍‌ରେ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ସୁଶାନ୍ତ ଧଳସାମନ୍ତ ରହୁଥିବା ସେଲ୍‌ରୁ ସ୍ମାର୍ଟଫୋନ୍‌ ମିଳିବା। ଏହା ପୁଲିସ୍‌ର ଜବତ ତାଲିକାରେ ନଥିଲା। ଘଟଣା ଦିନ ସୁଶାନ୍ତ ଧଳସାମନ୍ତ ନିଜ ଆଖି ଚିକିତ୍ସା କରାଇବାକୁ କଟକ ଯାଇଥିଲେ। ସେ ସେଠାରେ ଚିକିତ୍ସାଧୀନ। ତେଣୁ ସେଲ୍‌ ବନ୍ଦ ଥିବାରୁ ଭିତରେ କ’ଣ ଥିଲା, କ’ଣ ନାହିଁ, ତାହା ଜଣାପଡ଼ିନଥିଲା। ଏବେ ଉକ୍ତ ସେଲ୍‌ ଭିତରୁ ମୋବାଇଲ୍‌ ଏବଂ ୩ଟି ଚାର୍ଜର୍‌ ମିଳିଛି। ଜେଲ୍‌ ଅଧୀକ୍ଷକ ଏହାକୁ ପୁଲିସ୍‌ ପାଖରେ ଜିମା ଦେଇଛନ୍ତି।

Advertisment

 ତିନୋଟି ଚାର୍ଜର୍‌ ମିଳିଥିବାରୁ ଜେଲ୍‌ ଭିତରେ ଅପରାଧୀମାନେ ଖୋଲାଖୋଲି ମୋବାଇଲ୍‌ ବ୍ୟବହାର କରୁଥିବା ସ୍ପଷ୍ଟ ହୋଇଛି। ଧଳସାମନ୍ତ ବହୁ ଦିନରୁ ମୋବାଇଲ୍‌ ବ୍ୟବହାର କରୁଥିଲେ ହେଁ ଜେଲ୍‌ କର୍ତ୍ତୃପକ୍ଷ କେମିତି ଜାଣିପାରିଲେନି, ପୁଲିସ୍‌ ଚଢ଼ଉ ପରେ ଜେଲ୍‌ କର୍ତ୍ତୃପକ୍ଷ ନିଜ ପଟୁ ମୋବାଇଲ୍‌ ଆଣି କାହିଁକି ଜିମା ଦେଲେ, ଜେଲ୍‌ ଭିତରୁ ଓ ବାହାରେ ଧଳସାମନ୍ତଙ୍କୁ ମୋବାଇଲ୍‌ ଦେବାରେ କିଏ ସହଯୋଗ କରୁଥିଲା; ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁ ଧଳସାମନ୍ତଙ୍କୁ ସୁରକ୍ଷା ଦୃଷ୍ଟିରୁ ଚୌଦ୍ବାର ଜେଲ୍‌ରୁ ବଲାଙ୍ଗୀର ଅଣାଯାଇଥିଲା, ତାଙ୍କୁ ଏଠାରେ ଆହୁରି ସୁଯୋଗ ଜୁଟାଇ ଦିଆଯାଇଛି। ମୋବାଇଲ୍‌କୁ ସାଇବର୍‌ ସେଲ୍‌କୁ ଦିଆଯାଇଥିବା ଏସ୍‌ପି ଶ୍ରୀ ଖିଲାରୀ ସୂଚନା ଦେଇଛନ୍ତି। ମୋବାଇଲ୍‌ କଲ୍‌ ରେକର୍ଡରୁ ଧଳସାମନ୍ତ କାହା କାହା ସହିତ କଥା ହେଉଥିଲେ, ତାହା ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।