ଭୁବନେଶ୍ବର: ରାଜ୍ୟରେ ପୁଣି ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯ରେ ପହଞ୍ଚି ଥିବା ବେଳେ ସେଥିରୁ ୧୫ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୩୪ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ପ୍ରଜାତି ୨୦୨୩ ଅଗଷ୍ଟରେ ଚିହ୍ନଟ ହୋଇଥିଲା। ଏହା ଓମିକ୍ରନ୍ର ଏକ ଉପପ୍ରଜାତି; ସେତେଟା ଘାତକ ନୁହେଁ। ଏଥିରେ ମଧ୍ୟମ ଧରଣର ଜ୍ବର, କାଶ ଓ ଥଣ୍ଡା ହୋଇଥାଏ। ତେବେ ବୟସ୍କ ଓ ଏକାଧିକ ଜଟିଳ ରୋଗ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଘାତକ ହୋଇପାରେ। ତେଣୁ ଏହି ବର୍ଗର ଲୋକମାନେ କୋଭିଡ୍ ନିର୍ଦ୍ଦେଶାବଳୀକୁ ପାଳନ କରିବାର ଆବଶ୍ୟକତା ରହିଛି।
ଭାରତରେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ମୁହାଁ ହୋଇଛି। ସକ୍ରିୟ ସଂକ୍ରମଣ ମାମଲା ୫ ହଜାର ୭୫୫ ରେ ପହଞ୍ଚିଛି।କେରଳରେ ସର୍ବାଧିକ ୧୮୦୬ ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ୭୧୭, ଦିଲ୍ଲୀରେ ୬୬୫ ଏବଂ ମହାରାଷ୍ଟ୍ରରେ ସକ୍ରିୟ ମାମଲା ୫୭୭ ରହିଛି। କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ଯଥାକ୍ରମେ ୪୪୪ ଏବଂ ୨୮୮ ମାମଲା ଚିହ୍ନଟ ହୋଇଥିବା ବେଳେ ତାମିଲନାଡୁରେ ୨୦୮ ଟି ମାମଲା ଚିହ୍ନଟ କରିଛି ସ୍ବାସ୍ଥ୍ୟ ବିଭାଗ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ମୁକାବିଲା ଲାଗି ରାଜ୍ୟମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଓ ଯଥେଷ୍ଟ ପରିମାଣର ଅକ୍ସିଜେନ୍ ସିଲିଣ୍ଡର ଗଚ୍ଛିତ ରଖିବାକୁ ମାର୍ଗଦର୍ଶିକା ଜାରି କରିଛନ୍ତି। ହାତ ସାନିଟାଇଜ କରିବା, କାଶ କିମ୍ବା ଛିଙ୍କ ହେଲେ ରୁମାଲ ବା ମାସ୍କ ବ୍ୟବହାର କରିବା, ଶରୀର ଅସୁସ୍ଥ ଥିଲେ ଭିଡ଼ଠୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ମନ୍ତ୍ରାଳୟ।
ସେହିପରି ଶ୍ବାସଜନିତ ସମସ୍ୟା କିମ୍ବା ଅସୁସ୍ଥ ଅନୁଭବ କଲେ ତୁରନ୍ତ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ପରାମର୍ଶ ଦିଆଯାଇଛି। ଅଯଥା ଗୁଜବକୁ ବିଶ୍ବାସ ନକରିବାକୁ କହିଛି ମନ୍ତ୍ରାଳୟ। ସେପଟେ ସମସ୍ତ ରାଜ୍ୟକୁ ଆବଶ୍ୟକୀୟ ପରିମାଣର ଅକ୍ସିଜେନ ମହଜୁଦ ରଖିବା ସହ ମେଡ଼ିକାଲ ବେଡ, ଭେଣ୍ଟିଲେଟର, ଆବଶ୍ୟକୀୟ ପରିମାଣର ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ।
COVID-19
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/08/TJ2aYaLt6r8tQ49b0Mxl.jpg)