କୋରାପୁଟ/ସେମିଳିଗୁଡା: ସୁନାବେଡା ପୌରପାଳିକା ଓ ସେମିଳିଗୁଡା ସହରର ଏକ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ପାଣି ଯୋଗାଯାଉଛି କେରାଣ୍ଡି ନଦୀ ପାଣି। ଏହାକୁ ଜନସ୍ବାସ୍ଥ୍ୟ ବିଭାଗ ନୂଆ ପଦ୍ଧତିରେ ବିଶୋଧନ କରି ଯୋଗାଇବା ବଦଳରେ ପୁରୁଣା ପଦ୍ଧତିରେ ହିଁ ବିଶୋଧନ କରି ଯୋଗାଉଛି।

Advertisment

ସେମିଳିଗୁଡା ସହର ଅନତି ଦୂରରେ କାକିଗାଁ ବୋଲି ଗାଁଟି ରହିଛି। ଏହି ଗାଁର ପଛ ପାର୍ଶରେ କେରାଣ୍ଡି ନଦୀ ରହିଛି। ସୁନାବେଡା ପୌରାଂଚଳର ସୁନାବେଡ଼ା, ସେମିଳିଗୁଡା ସହ ଏହି ନଦୀ ର ପାର୍ଶରେ ଥିବା ଗ୍ରାମ ଗୁଡିକ ର ଯେତେ ଦୂଷିତ ପାଣି  , ପ୍ଲାଷ୍ଟିକ ବୋତଲ, ପଲିଥିନ୍ ନାଳ ମାଧ୍ୟମ ରେ ଏହି କେରାଣ୍ଡି ନଦୀରେ ମିଶୁଛି। ସବୁଠାରୁ ଅଧିକ ଦୂଷିତ ପାଣି ସେମିଲିଗୁଡାରୁ ଯାଇ ମିଶୁଛି ଯାହା ଫଳରେ ନଦୀ ଟି ସମ୍ପୂର୍ଣ ଭାବେ ଦୂଷିତ ହୋଇ ଯାଇଛି। 

କାକିଗାଁର ପ୍ରାୟ ୬୦୦ ଘରର ସବୁ ପରିବାର କେରାଣ୍ଡି ନଦୀ ଉପରେ ନିର୍ଭର କରୁଛନ୍ତ। ଏହି ବିଷାକ୍ତ, ଦୂଷିତ ପାଣି ଲୋକ ମାନେ ପାନୀୟ ଜଳ ଭାବେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏହି ପାଣିରେ ଗାଧୋଇବା, ବାସନ ମାଜିବା, କପଡା ସଫା କରିବା ଏବଂ ଶୌଚ ମଧ୍ୟ ଏହି ନଦୀ ପାଣି ଭରସାରେ। କାକିଗାଁର ଲୋକମାନେ ଚର୍ମରୋଗ, ପେଟରୋଗରେ ପୀଡିତ ହେଉଛନ୍ତି ବୋଲି ସେହି ଗ୍ରାମର ମହିଳା ମାନେ ମତ ପ୍ରକାଶ କରିଛନ୍ତି।

ସେହିପରି ସୁନାବେଡ଼ା ଓ ସେମିଳିଗୁଡା ସହରକୁ ଏହି ନଦୀର ପାଣି ହିଁ ଜନସ୍ବାସ୍ଥ୍ୟ ବିଭାଗ ଯୋଗାଉଛି। ଏହି ନଦୀର ଅବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ। ଜିଲ୍ଲାପାଳଙ୍କୁ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି। ଗତ କିଛି ଦିନ ତଳେ ସେମିଳିଗୁଡାରେ ହୋଇଥିବା ପରିବେଶ ପଂଚାୟତରେ ବି ବିଧାୟକ ଏହି ନଦୀର ପୁନଃରୁଦ୍ଧାର ପାଇଁ ନିଜ ପାଣ୍ଠିରୁ ୧୦ଲକ୍ଷ ଖର୍ଚ୍ଚ କରିବାକୁ ଘୋଷଣା କରିଛନ୍ତି।

ଅପରପକ୍ଷରେ ଏହି ନଦୀକୁ ବଂଚାଇବା ପାଇଁ ‘କେରାଣ୍ଡି ନଦୀ ବଂଚାଅ’’ ଅଭିଯାନ ଆରମ୍ଭ ହୋଇଛି। ବୁଦ୍ଧିଜୀବୀ ଓ ପରିବେଶ ବିତ୍ ମାନେ ଏହି ନଦୀ ଓ ନଦୀର ବିଷାକ୍ତ ପାଣିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହି ନଦୀର ପାଣି କୋଲାବ ଜଳଭଣ୍ଡାରରେ ମିଶୁଥିବାରୁ ଜଳଭଣ୍ଡାରର ପାଣି ଧୀରେଧୀରେ ବିଷାକ୍ତ ହେଉଛି ବୋଲି ବହୁ ପରିବେଶବିତ୍, ବୁଦ୍ଧିଜୀବୀମାନେ କହିଛନ୍ତି। ବିଧାୟକଙ୍କ ପ୍ରସ୍ତାବ ମୁତାବକ ତଥା କେରାଣ୍ଡି ନଦୀ ବଂଚାଅ ଅଭିଯାନରେ ସାମିଲ ହୋଇଥିବା ବୁଦ୍ଧିଜୀବୀଙ୍କୁ ନେଇ ଜିଲ୍ଲାପ୍ରଶାସନ ପ୍ରୟାସ ଆରମ୍ଭ କରି ପ୍ରକୃତିଦତ୍ତ ନଦୀକୁ ବଂଚାଇବାକୁ ମତ ପ୍ରକାଶ ପାଇଛି। ବଡ ଧରଣର ଜନଆନ୍ଦୋଳନ ହେବା ପୂର୍ବରୁ ବିଷାକ୍ତ ନଦୀକୁ ବଂଚାଇ ପରିବେଶର ସୁରକ୍ଷା କରିବା ପାଇଁ ମତ ପ୍ରକାଶ ପାଇଛି।