ବାରିପଦା: ବିରଳ ପ୍ରଜାତିର କଳାବାଘ ଶିକାରୀ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ସହଯୋଗରେ ବନ ବିଭାଗ ଅଭିଯୁକ୍ତକୁ ଗୁଜରାଟରେ ଥିବା ନେଇ ଠାବ କରିଥିଲା। ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲା ରବୀନ୍ଦ୍ର ନାଏକ (୨୪)।
ସୂଚନା ଅନୁସାରେ ଶିମିଳିପାଳ ଜାତୀୟ ଉଦ୍ୟାନରେ ବିରଳ କଳାବାଘ ଶିକାର ନେଇ ଏକ ମାମଲା ରୁଜୁ ହୋଇଥିଲା। ଏନେଇ ବନ ବିଭାଗର ଟିମ୍ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି। ମୟୂରଭଂଜ ଜିଲ୍ଲା ଅମ୍ବିକାଦେଇପୁର ଅଞ୍ଚଳର କସିକୁନ୍ଦଲ ଗାଁର ନିମାଇଁ ନାଏକଙ୍କ ପୁଅ ତଥା ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ଗୁଜରାଟ ଫେରାର ହୋଇଯାଇଥିଲା। ସେ ମଧ୍ୟପ୍ରଦେଶର ଭୋପାଳସ୍ଥିତ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ସହଯୋଗରେ ଗୁଜରାଟରେ ଥିବା ଜଣାପଡ଼ିଥିଲା। ଗତ ୪ ତାରିଖ ଦିନ ରବୀନ୍ଦ୍ର ଗିରଫ ହୋଇଥିଲା।
ଶିମିଳିପାଳ ଜାତୀୟ ଉଦ୍ୟାନରେ କଳାବାଘଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ଉଦ୍ୟାନ ଜାତୀୟ ଉଦ୍ୟାନ ମାନ୍ୟତା ଲାଭ କରିବା ପରେ ବାଘ ବଂଶକୁ ଅଧିକ ସୁରକ୍ଷା ଦେବା ପାଇଁ ସରକାର ଚିନ୍ତା କରୁଛନ୍ତି। ଅନ୍ୟପଟରେ ଶିକାରୀମାନେ ବାଘମାନଙ୍କ ଉପରେ ନଜର ପକାଉଛନ୍ତି। ବନ ବିଭାଗ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ କରାଯାଉଥିଲେ ମଧ୍ୟ ଶିକାରୀମାନେ ଏହାକୁ ଖାତିର କରୁନାହାନ୍ତି।
ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ତଦନ୍ତ ବେଳେ ଜାଣିବାକୁ ମିଳିଥିଲା ଯେ, ବାଘକୁ ଶିକାର କରିବାରେ ବନ୍ଧୁକର ବ୍ୟବହାର ହୋଇଛି। ଫିଙ୍ଗର ପ୍ରିଣ୍ଟ ଓ ସାଇଣ୍ଟିଫିକ୍କୁ ତଦନ୍ତ ଆଧାରରେ ପ୍ରକ୍ରିୟା ଜାରି ରହିଛି। ଅଭିଯୁକ୍ତ ଶିକାରୀ ରବୀନ୍ଦ୍ର ଠାରୁ ୪ଟି ବାଘ ନଖ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତକୁ ସୋମବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେଲା ପରେ ବନ ବିଭାଗ ଗିରଫ କରିଛି।
ସୂଚନାଯୋଗ୍ୟ, କଳାବାଘ ଶିକାର ଅଭିଯୋଗରେ ବନ ବିଭାଗ ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ଗିରଫ କରିସାରିଛି। ଆହୁରି ୪ ଜଣ ଫେରାର ଅଛନ୍ତି। ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଛାନ୍ଭିନ୍ ଜାରି ରହିଛି।
Similipal National Park | Mayurbhanj