ଭୁବନେଶ୍ୱର: ଓଡ଼ିଶାର ବୟନ ପରମ୍ପରାକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆଗକୁ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମତବ୍ୟକ୍ତ କରିଛନ୍ତି। ଆଜି ମିସନ ଶକ୍ତି ଭବନର ପ୍ରେକ୍ଷାଳୟରେ ଶ୍ରୀମତୀ ପରିଡ଼ାଙ୍କ ଉପସ୍ଥିତିରେ ବୁଣାକାର ମା’ ଓ ଭଉଣୀମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ମିସନ ଶକ୍ତି ବିଭାଗ ସହ କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ବିକାଶ ଆୟୋଗ ଅଧୀନରେ ଥିବା ବୁଣାକାର ସେବା କେନ୍ଦ୍ରର ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି। ଏହି ବୁଝାମଣାପତ୍ର ରାଜ୍ୟର ବୁଣାକାର ସ୍ଵୟଂ ସହାୟକ ଗୋଷ୍ଠୀକୁ ନୂତନ ଡିଜାଇନ, ତାଲିମ ଓ ଦକ୍ଷତା ବିକାଶ ସହ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ଉପଲବ୍ଧ କରେଇବାରେ ସହାୟକ ହେବ ବୋଲି ଶ୍ରୀମତୀ ପରିଡ଼ା ମତ ପ୍ରକାଶ କରିଛନ୍ତି।
ନିକଟରେ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଥିବା ମୟୂରଭଞ୍ଜର ସାନ୍ତାଳୀ ବୟନ ଶିଳ୍ପର ପୁନରୁଦ୍ଧାର ଓ କେଉଁଝର ଜିଲ୍ଲାର ମହିଳା ସଂକୀର୍ତ୍ତନ କଥାକୁ ଦୋହରାଈ ଶ୍ରୀମତୀ ପରିଡା କହିଛନ୍ତି ଯେ ଆଜି ଓଡ଼ିଶାର ମା’ ମାନେ ସମଗ୍ର ଦେଶରେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ଲକ୍ଷପତି ଦିଦି ସୃଷ୍ଟି ଲକ୍ଷ୍ୟକୁ ପୂର୍ଣ୍ଣ ଭାବେ ହାସଲ କରିବାପାଇଁ ଆମେ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସହଜ, ସୁବିଧା ଓ ସୁଖଦ ରୋଜଗାର ପନ୍ଥା ବାଛିବାକୁ ସୁଯୋଗ ଦେଉଛୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଗଦର୍ଶନରେ ଆମେ ଲକ୍ଷପତି ଦିଦି ମା’ମାନଙ୍କୁ ଏବେ କୋଟିପତି କରିବାକୁ ପ୍ରୟାସ ଜାରି ରଖିଛୁ ବୋଲି ଶ୍ରୀମତୀ ପରିଡ଼ା ଦୃଢ ମତ ରଖିଛନ୍ତି।
ଏହି କାର୍ଯ୍ୟକ୍ରମରେ ମିସନ ଶକ୍ତି ବିଭାଗର କମିସନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ବିଭାଗୀୟ ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ, ବୁଣାକାର ସେବା ସଂଘର ଉପନିର୍ଦ୍ଦେଶକ ବିକାଶ କୁମାର ଓ ବିଭାଗୀୟ ବରିଷ୍ଠ ଅଧିକାରୀ, ବୟନ ବିଶେଷଜ୍ଞ ଏବଂ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଓଡ଼ିଶା ଆଜି ମହିଳା ନେତୃତ୍ୱାଧୀନ ବିକାଶରେ ଜାତୀୟସ୍ତରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ଏବଂ ସୁଭଦ୍ରା ଶକ୍ତି ମେଳା, ସୁଭଦ୍ରା ଶକ୍ତି କାଫେ, ଏବଂ ଏକ ଜିଲ୍ଲା ଏକ ଉତ୍ପାଦ କ୍ଲଷ୍ଟର ଭଳି ଅଗ୍ରଣୀ ମଡେଲ ସହିତ, ଓଡ଼ିଶା ଆଜି ଭାରତ ସରକାରଙ୍କ ଲକ୍ଷପତି ଦିଦି ପଦକ୍ଷେପ ଅଧୀନରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ପ୍ରତିଷ୍ଠିତ ହୋଇଛି। ରାଜ୍ୟସରକାରଙ୍କ ହସ୍ତକ୍ଷେପଗୁଡ଼ିକ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଶିଳ୍ପ ଏବଂ ବସ୍ତ୍ର କ୍ଷେତ୍ରରେ ମହିଳାଙ୍କ ପାଇଁ ଆର୍ଥିକ ସୁଯୋଗର ବାଟ ଖୋଲିଛି।
ଓଡ଼ିଶାର ଉଦ୍ୟୋଗୀ ମହିଳାଙ୍କ ପାଇଁ ହସ୍ତତନ୍ତ ଏବଂ ବୟନ ଶିଳ୍ପ ଏକ ଉଦୀୟମାନ କ୍ଷେତ୍ର ଅଟେ। ହଜାର ହଜାର ଏସଏଚଜି ସଦସ୍ୟା ତନ୍ତ ବୁଣା, ସିଲାଇ, ଏମ୍ବ୍ରୋଇଡାରି ଏବଂ ଘରୋଇ ଉତ୍ପାଦକୁ ନିଜର ଜୀବନ ଜୀବିକା ଭାବେ ଗ୍ରହଣ କରିଥିବା ବେଳେ ଏହି ବୁଝାବଣା ପତ୍ର ଆଧୁନିକ, ଡିଜାଇନ୍ ଏବଂ ବଜାର ପ୍ରସ୍ତୁତ ଇକୋସିଷ୍ଟମ ନିର୍ମାଣ ଦିଗରେ ସହାୟକ ହେବ ବୋଲି ବିଭାଗୀୟ କମିସନର ତଥା ଶାସନ ସଚିବ ଶ୍ରୀମତୀ ପଣ୍ଡିତ କହିଛନ୍ତି।
ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ବୁଣାକାର ସେବା କେନ୍ଦ୍ର ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହେବା ଫଳରେ ଘରକରଣା ଏବଂ ସାଜସଜ୍ଜା ସମେତ ଏସ୍ଏଚ୍ଜି-ନେତୃତ୍ୱାଧୀନ ବୟନ ଉଦ୍ୟୋଗଗୁଡ଼ିକର ସମସ୍ତ ଉତ୍ପାଦର ଅପଗ୍ରେଡେସନ୍, ସ୍କିଲିଂ ଏବଂ ମାର୍କେଟିଂ ଆଦି ବୁଣାକାର ସେବା କେନ୍ଦ୍ର ବୁଝିବ। ତୃଣମୂଳ ସ୍ତରରେ ଗାଁରେ… pic.twitter.com/opKRdeFR8B
— Pravati Parida (@PravatiPOdisha) July 29, 2025
ବିଭାଗୀୟ ସହଭାଗିତାରେ ଏହି ପଦକ୍ଷେପ ଡିଜାଇନ୍ ମେଣ୍ଟରସିପ୍, ନମୁନା ସହାୟତା ଏବଂ ବଜାର ସଂଯୋଗ ପ୍ରଦାନ କରିବ ସହ ଏକ ସ୍ଥାୟୀ ମହିଳା-ନେତୃତ୍ୱାଧୀନ ବୟନ ଉଦ୍ୟୋଗ ନିର୍ମାଣ ଏବଂ ବୟନ ମୂଲ୍ୟ ଶୃଙ୍ଖଳ ଗଢ଼ିବାରେ ସହାୟକ ହେବ ବୋଲି ବିଭାଗର ନିର୍ଦ୍ଦେଶକ, ଡ. ମୋନିକା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟଗୁଡ଼ିକୁ ଆଲୋକପାତ କରି ମତ ପ୍ରକାଶ କରିଥିଲେ।
ଏହି ଅବସରରେ ଶ୍ରୀ ବିକାଶ କୁମାର,ଉପନିର୍ଦ୍ଦେଶକ, ବୁଣାକାର ସେବା କେନ୍ଦ୍ର କହିଛନ୍ତି ଯେ ଓଡ଼ିଶା ବୟନ ପ୍ରତିଭାର ଅନେକ କାରିଗର ଜାତୀୟସ୍ତରରେ ସ୍ୱୀକୃତି ପାଇଛନ୍ତି। ରାଜ୍ୟ ସରକାରଙ୍କ ସହିତ ଏହି ସହଭାଗିତା, ଓଡ଼ିଶା ବୟନ ସୃଜନଶୀଳତାକୁ ନୂଆ ରୂପ ଦେବା ସହ ଜାତୀୟ ବୟନ ଓ ହସ୍ତତନ୍ତ ମାନଚିତ୍ରକୁ ଆହୁରି ସଶକ୍ତ କରିବ।
Prabhati Parida