ରାଉରକେଲା: ପୂର୍ବ ସରକାରଙ୍କ ସମୟରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା(ମୁକ୍ତା) ପାଣ୍ଠିରେ ହୋଇଥିବା ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପର ଚିହ୍ନବର୍ଣ୍ଣ ନାହିଁ। କେଉଁଠି ପ୍ରକଳ୍ପ ମାଟିରେ ମିଶିଗଲାଣି ତ ଅନ୍ୟ କେଉଁଠି ଇଟା ଦେଖାଯାଉଛି। ଆଶ୍ଚର୍ଯ୍ୟ କଥା, ଯେଉଁସ୍ଥାନରେ ପ୍ରକଳ୍ପ ସମ୍ପର୍କିତ ସୂଚନାଫଳକ ଲାଗିଛି, ସେଠି ପ୍ରକଳ୍ପର ନାଁ ଗନ୍ଧ ନାହିଁ। ପ୍ରକଳ୍ପ ବାବଦରେ ୧୦ କି ୧୫ କୋଟି ନୁହେଁ ୬୩ କୋଟିରୁ ଅଧିକ ଖର୍ଚ୍ଚ ହୋଇଛି। ଏତେ ଟଙ୍କାରେ ପ୍ରକଳ୍ପ ସହରବାସୀଙ୍କ କାମରେ ଆସିଲାନି। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସହରର ବୁଦ୍ଧିଜୀବୀ ଓ ବିଭିନ୍ନ ରାଜନୈତିକ ଦଳର ନେତା। ସରକାର ପ୍ରକଳ୍ପର ତଦନ୍ତକରି ଦୁର୍ନୀତିକୁ ସାମ୍ନାକୁ ଆଣିବାକୁ ଦାବି କରିଛନ୍ତି। ଯେଉଁମାନେ ସରକାରୀ ପାଣ୍ଠିର ଅପବ୍ୟୟ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି କୁହାଯାଉଛି।
ସୂଚନାନୁସାରେ, ପ୍ରକଳ୍ପ କାମ ହାତେଇଥିଲେ ମହିଳା ସ୍ବୟଂସହାୟକ ଗୋଷ୍ଠୀ(ଏସ୍ଏଚ୍ଜି)। କାମ କରିଛନ୍ତି ଠିକାଦାର। ଆର୍ଏମ୍ସି କାର୍ଯ୍ୟାଳୟ ନିକଟ ସିଂହାସିନୀ ମନ୍ଦିର ପରିସର, ବେଦବ୍ୟାସ, ବାସନ୍ତୀ କଲୋନି, ସାରନଗରୀ, ଇସ୍ପାତ ସହରାଞ୍ଚଳ, ଏଫ୍ସିଆଇ ଗୋଦାମ ପାଚେରିପାର୍ଶ୍ବ ଆଦି ଅନେକସ୍ଥାନରେ ମହିଳା ଏସ୍ଏଚ୍ଜିଗୁଡ଼ିକ ଦ୍ବାରା କରାଯାଇଥିବା କାମ ଦେଖାଯାଉନି। କେଉଁଠି ହାତେ ଦୁଇହାତ ଡ୍ରେନ୍ ଓ ୩/୪ଟି ନନ୍ଦ ବସାଇ କାମସାରି ଦିଆଯାଇଛି ତ ଆଉ କେଉଁଠି ସେତିକି ବି ନାହିଁ। ସେକ୍ଟର-୨୧ ନୟାବଜାର ସ’ ମିଲ୍ ନିକଟରେ ଗୋଟିଏ କି ଦୁଇଟି ନୁହେଁ ୨୧ଟି ପ୍ରକଳ୍ପ କରାଯାଇଛି।
ପୁଣି ନୟାବଜାର କୁଷ୍ଠବସ୍ତିରେ ୨୦, ଆଇନ ମହାବିଦ୍ୟାଳୟ ନିକଟରେ ୧୨ଟି ପ୍ରକଳ୍ପ ହୋଇଛି। ହେଲେ ସେଠାରେ ବାସ୍ତବଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। କେଉଁଠି ନନ୍ଦଗୁଡ଼ିକ ମାଟିରେ ପୋତିଗଲାଣି ତ ଅନ୍ୟ କେଉଁଠି ମାଟିରେ ମିଶିଲାଣି। ସେହିପରି ରାଉରକେଲା ଶିଳ୍ପାଞ୍ଚଳରେ ଜଳ ଅମଳ ପ୍ରକଳ୍ପ ହୋଇଥିବା ସ୍ଥାନରେ ଏବେ ଡ୍ରେନ୍ ନିର୍ମାଣ ଚାଲିଛି। ଅଭିଯୋଗ ହେଉଛି, ବିଲ୍ ହେଲା ପରେ ପ୍ରକଳ୍ପ ଡ଼ିକ କୁଆଡ଼େ ଉଭାନ୍ ହୋଇଯାଇଛି। ଆଉ କିଛିସ୍ଥାନରେ ପ୍ରକଳ୍ପ ନାଁରେ କିଛି ବି କାମ ହୋଇନାହିଁ। ସେକ୍ଟର-୨୧ ଓଏସ୍ଏପି ବାଟାଲିୟନରେ ୨୦ଟି, ଉଦିତନଗର ମାଇନିଂ କାର୍ଯ୍ୟାଳୟ ଚତୁଃପାର୍ଶ୍ବରେ ୧୨ଟି, ଆର୍ଏମ୍ସି କ୍ବାର୍ଟର୍ସ ପାଖରେ ୨୪ଟି, ଆଇଟିଆଇ ଶାନ୍ତିନଗରରେ ୨୮ଟି, ଦେଓଗାଁ ଦେହୁରୀବସ୍ତିରେ ୧୮ଟି, ସିଭିଲଟାଉନସିପ୍ ଖଟାଲବସ୍ତିରେ ୩୦ଟି ପ୍ରକଳ୍ପ କରାଯାଇଛି। ପାନପୋଷ ୱାଟ୍କୋ କାର୍ଯ୍ୟାଳୟ ପରିସରରେ ୨୪ଟି, ବେଦବ୍ୟାସ ସେଣ୍ଟ ଆର୍ଣ୍ଣଲ୍ଡ ଇଂରାଜୀ ମାଧ୍ୟମ ସ୍କୁଲ ଚତୁଃପାର୍ଶ୍ବରେ ୨୮ଟି ପ୍ରକଳ୍ପ କରାଯାଇଛି।
ଦୁର୍ନୀତି ଲୁଚାଇବାକୁ ଅଧିକାଂଶ ସ୍ଥାନରେ ସୂଚନାଫଳକ ବି ଲଗାଯାଇ ନାହିଁ
ବେଦବ୍ୟାସ ଆଇଡିସିରେ ୨୧ଟି, ସିଂହଟୋଲାରେ ୬ଟି, ନଦୀଟୋଲା ପଡ଼ିଆରେ ୬ଟି ଜଳ ଅମଳ ପ୍ରକଳ୍ପ ହୋଇଛି। ଏମିତି ଭାବେ ୪୦ ୱାର୍ଡରେ ଗୋଟିଏ ଗୋଟିଏସ୍ଥାନରେ ଅନାବଶ୍ୟକ ଭାବେ ୫ରୁ ୧୦ଟି ପ୍ରକଳ୍ପ କରି ବିଲ୍ ଉଠାଯାଇଛି। ଦୁର୍ନୀତି ଲୁଚାଇବାକୁ ଅଧିକାଂଶ ସ୍ଥାନରେ ସୂଚନାଫଳକ ବି ଲଗାଯାଇ ନାହିଁ। ଏମିତି ଭାବେ ମୁକ୍ତାପାଣ୍ଠିରୁ ପ୍ରାୟ ୬୩ କୋଟିରୁ ଅଧିକ ଟଙ୍କାରେ ବର୍ଷାଜଳ ଅମଳ ପ୍ରକଳ୍ପ କାମ କରାଯାଇଛି। ତଦନ୍ତ ହେଲେ ବଡ଼ଧରଣ ଦୁର୍ନୀତିର ପର୍ଦାଫାସ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/21/untitled-2026-01-21-11-33-02.png)