କଟକ: ଡବଲ୍ ମର୍ଡର ଓ ତିନି ଜଣଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲାର ଆସାମୀ ନିରଞ୍ଜନ ମଲ୍ଲିକକୁ ଫାଶୀ ବଦଳରେ ଆଜୀବନ ଜେଲ ଦଣ୍ଡ ପ୍ରଦାନ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ଓଡ଼ଗାଁ ଅତିରିକ୍ତ ଦୌରା ଜଜ୍ ଅଦାଲତ ୨୦୨୪, ଏପ୍ରିଲ ୨୪ରେ ମାମଲାର ରାୟ ପ୍ରକାଶ କରି ନିରଞ୍ଜନଙ୍କୁ ଆଇପିସିର ଦଫା ୩୦୨, ୩୦୭, ୩୨୫, ୩୨୬, ୪୫୮ରେ ଦୋଷୀ ସାବ୍ୟସ୍ତ କରିବା ସହିତ ମୃତ୍ୟୁ ଦଣ୍ଡ ପ୍ରଦାନ କରିଥିଲେ। ନିରଞ୍ଜନ ଏହି ରାୟକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ନିରଞ୍ଜନଙ୍କୁ ପ୍ରଦାନ କରାଯାଇଥିବା ମୃତ୍ୟୁ ଦଣ୍ଡକୁ ଆଜୀବନ କରାଦଣ୍ଡକୁ ପରିବର୍ତ୍ତନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅବଶିଷ୍ଟ ଜୀବନ ନିରଞ୍ଜନ ଜେଲରେ ରହିବେ। ଏଥି ସହିତ ଉପରୋକ୍ତ ଦଫା ଗୁଡ଼ିକରେ ନିରଞ୍ଜନଙ୍କୁ ଦୋଷୀ ସାବ୍ୟସ୍ତ ପ୍ରସଂଗକୁ ହାଇକୋର୍ଟ କାଏମ ରଖିଛନ୍ତି। ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।
ନୟାଗଡ଼ ଜିଲ୍ଲାର ଓଡ଼ଗାଁ ସହରରେ ୨୦୧୯, ଜାନୁଆରି ୧୬ ତାରିଖ ରାତି ୨ଟାରୁ ୧୭ ତାରିଖ ସକାଳ ଭିତରେ ଦୁଇ ଜଣ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ସହିତ ତିନି ଜଣଙ୍କୁ ପ୍ରଣାନ୍ତକ ଆକ୍ରମଣ କରାଯାଇଥିଲା।
ମାମଲାର ବିବରଣୀରୁ ପ୍ରକାଶ ଯେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ସହରରେ ୨୦୧୯, ଜାନୁଆରି ୧୬ ତାରିଖ ରାତି ୨ଟାରୁ ୧୭ ତାରିଖ ସକାଳ ଭିତରେ ଦୁଇ ଜଣ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ସହିତ ତିନି ଜଣଙ୍କୁ ପ୍ରଣାନ୍ତକ ଆକ୍ରମଣ କରାଯାଇଥିଲା। ଓଡ଼ଗାଁ ସହରର ପରିବାବଜାର ସୁରକ୍ଷାକର୍ମୀ ଲୋଚନ ସେଠୀ ରାତି ଡ୍ୟୁଟି କରୁଥିବା ବେଳେ ନିରଞ୍ଜନ ହଠାତ ପହଞ୍ଚି ଏକ କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ଓ ଶରୀର ଅନ୍ୟ ସ୍ଥାନକୁ ଆକ୍ରମଣ କରିଥିଲା। ପାଖ ଗଣେଶବଜାର ସୁରକ୍ଷା କର୍ମୀ ପହଞ୍ଚି ଯିବାରୁ ନିରଞ୍ଜନ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। କିନ୍ତୁ ଲୋଚନଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଏକ ଘରୋଇ କ୍ଲିନିକ ପରିସରରେ ଥିବା କ୍ବାର୍ଟରରେ ରହୁଥିବା ବଦନୀ ପ୍ରଧାନ ଭୋର ପ୍ରାୟ ୩ଟା ସମୟରେ ଘର ବାହାର ଝାଡ଼ୁ ମାରୁଥିବା ବେଳେ ନିରଞ୍ଜନ ତାଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲା। ପାଚେରି ଡେଇଁ ନିରଞ୍ଜନ କ୍ଲିନିକ ପରିସରରେ ପଶି ଏପରି ଆକ୍ରମଣ କରିଥିଲା। ବଦନୀଙ୍କ ପାଟି ଶୁଣି ତାଙ୍କ ଝିଅ ଘଟଣାସ୍ଥଳକୁ ଆସି ନିରଞ୍ଜନଙ୍କ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ବଦନୀଙ୍କ ମୃତ୍ୟ ହୋଇଥିବା ବେଳେ ତାଙ୍କ ଝିଅ ଗୁରୁତର ଆହତ ହୋଇଥିଲେ। ପାଟି ଶୁଣି ବାଟରେ ଯାଉଥିବା କିଛି ଲୋକ କ୍ଲିନିକ ପରିସରକୁ ଯିବାରୁ ନିରଞ୍ଜନ ଏକ ଲେଡିଜ ନାଇଟ ଗାଉନ ପିନ୍ଧି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଏହାର କିଛି ସମୟ ପରେ ରଘୁନାଥ ମନ୍ଦିର ଯାଉଥିବା ଜଣେ ବୟସ୍କ ମହିଳାଙ୍କୁ ନିରଞ୍ଜନ ଆକ୍ରମଣ କରିଥିଲା। ମହିଳା ରକ୍ତାକ୍ତ ଅବସ୍ଥାରେ ପଡ଼ି ଯିବାରୁ ସେଠାରୁ ନିରଞ୍ଜନ ଚାଲି ଯାଇଥିଲା ଓ ଦୋକାନ ଖୋଲୁଥିବା ଜଣେ ବ୍ୟକ୍ତିଙ୍କୁ ସେ ଏହାପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ସଂପୃକ୍ତ ବ୍ୟକ୍ତି ପ୍ରତିରୋଧ କରିବା ସହିତ ନିରଞ୍ଜନ ହାତରୁ କାଠ ଫାଳିଆ ଛଡ଼େଇ ନେଇଥିଲେ।
ଏହାପରେ ନିରଂଜନ ତାଙ୍କ ବାମ ହାତର ଏକ ଆଙ୍ଗୁଳିକୁ କାମୁଡ଼ି ଛିଣ୍ଡାଇ ଦେଇଥିଲା। ଏହାପରେ ନିରଞ୍ଜନକୁ କାବୁ କରାଯାଇଥିଲା। ଓଡ଼ଗାଁ ଥାନା ପୁଲିସ ମାମଲା ରୁଜୁ କରି ନିରଞ୍ଜନକୁ ଗିରଫ କରିଥିଲା। ଚାର୍ଜସିଟ ପରେ ଓଡ଼ଗାଁ ଅତିରିକ୍ତ ଦୌରା ଜଜ୍ ଅଦାଲତରେ ମାମଲାର ଶୁଣାଣି ହୋଇଥିଲା। ନିରଞ୍ଜନଙ୍କ ମାନସିକ ଅବସ୍ଥା ଭଲ ନଥିବା ଶୁଣାଣି ବେଳେ ଦର୍ଶାଯାଇଥିଲା। ଅତିରିକ୍ତ ଦୌରା ଅଦାଲତ ଆଇପିସିର ଦଫା ୩୦୨ରେ ନିରଞ୍ଜନକୁ ମୃତ୍ୟୁ ଦଣ୍ଡ, ଦଫା ୩୦୭ରେ ଆଜୀବନ ଜେଲ, ଦଫା ୩୨୫ରେ ୩ ବର୍ଷ ଜେଲ, ୩୨୬ରେ ୧୦ ବର୍ଷ ଜେଲ, ୪୫୮ରେ ୩ ବର୍ଷ ଜେଲ ଦଣ୍ଡ ପ୍ରଦାନ କରିଥିଲେ। ୨୦୨୪, ଏପ୍ରିଲ ୨୪ର ଏହି ରାୟ ବିରୋଧରେ ନିରଞ୍ଜନ ହାଇକୋର୍ଟରେ ଅପିଲ କରିଥିବା ବେଳେ ମୃତ୍ୟୁ ଦଣ୍ଡ ଅନୁମୋଦନ ସଂପର୍କିତ ଆବେଦନ ସରକାରଙ୍କ ତରଫରୁ ଦାୟର କରାଯାଇଥିଲା। ଉଭୟ ମାମଲାର ହାଇକୋର୍ଟରେ ଏକତ୍ର ଶୁଣାଣି ଚାଲିଥିଲା।
Nayagarh | Cuttack | Orissa High Court