ରାଇରଙ୍ଗପୁର/ତିରିଂ: ବହୁଚର୍ଚ୍ଚିତ ମୟୂରଭଞ୍ଜଜିଲ୍ଲା ତିରିଂ ଥାନା ହତ୍ୟା ଘଟଣାରେ ହତ୍ୟାକାରୀ ସ୍ଵାମୀ କୋର୍ଟ ଚାଲାଣ। ସୂଚନା ଅନୁଯାୟୀ ତିରିଂ ଥାନା ଅନ୍ତର୍ଗତ ଝାରଖଣ୍ଡ ସୀମାନ୍ତବର୍ତ୍ତୀ ଆଦିବାସୀ ଅଧ୍ଯୁଷିତ ଦେଓଗାମ ଗ୍ରାମରେ ଗତ ୨୩ ଅଗଷ୍ଟ ଜଣେ ମହିଳାଙ୍କୁ ହାଣି ମୁଣ୍ଡ ଗଣ୍ଡି ଅଲଗା କରି ଦେବା ଭଳି ନୃଶଂସ ହତ୍ୟା ଘଟଣାର ରହସ୍ୟ ତିରିଂ ପୁଲିସ ଉନ୍ମୋଚନ କରିଛି। ନିଜ ସ୍ତ୍ରୀକୁ ହତ୍ୟା କରିଥିବା ନେଇ ସ୍ଵାମୀ ଜଣକ ପୁଲିସ ନିକଟ କଟରେ ସ୍ଵୀକାର କରିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ମୃତା ମହିଳାଙ୍କ ସ୍ଵାମୀ ମୋଟାଇ ବାଇପେଇକୁ ପୁଲିସ ଗିରଫ କରିଛି।

Advertisment

ମୋଟାଇର ସୂଚନା ଆଧାରରେ ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ କାତାନ (ଏକ ଧାରୁଆ ତୀକ୍ଷଣ ଅସ୍ତ୍ର)କୁ ପୋଖରୀ ଭିତରୁ ଜବତ କରିଛି। ସୂଚନା ଅନୁଯାୟୀ ଗତ ଅଗଷ୍ଟ ୨୩ ରାତିରେ ମାଘୁଆ ଗ୍ରାମର ଖେଳପଡିଆରେ ଆୟୋଜିତ ହେଉଥ‌ିବା ଫୁଟବଲ ପ୍ରତିଯୋଗିତାରେ ଦେଓଗାମ ଗ୍ରାମର ମୋଟାଇ ବାଇପେଇ ନିଜର ମାଇକ ସାଉଣ୍ଡ ସେଟ ଭଡ଼ାରେ ଲଗାଇବା ସହ ମାଘୁଆ ଗ୍ରାମର ଖେଳପଡ଼ିଆକୁ ଯାଇଥିଲେ। ସେଠାରୁ ରାତିରେ ଘରକୁ ଫେରିବା ପରେ ଦେଖିବା ବେଳକୁ ମୋଟାଇ ବାଇପେଇ(୪୫)ଙ୍କ ସ୍ତ୍ରୀ ସୋହାଗୀ ବାଇପେୟୀ (୩୭)ଙ୍କ ରକ୍ତଭିଜା ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିବା ରକ୍ତଭିଜା ମୃତଦେହ ଘର ବାରଣ୍ଡା ଚଟାଣରେ ପଡିଥ‌ିବାର ଦେଖୁଥିଲେ ବୋଲି ପୁଲିସକୁ ଜଣାଇଥିଲେ।

ସୋହାଗୀ କାଠ ଚୁଲିରେ ରୋଷେଇ କରିବାରେ ବ୍ୟସ୍ତ ଥ‌ିବାବେଳେ କେହି ଦୁର୍ବୃତ୍ତ ସମ୍ଭବତଃ ପଛରୁ ଆସି ଅତି ତୀକ୍ଷଣ ଓ ଧାରୁଆ ଅସ୍ତ୍ରରେ ତାଙ୍କ ବେକରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲା ଭଳି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିଲା। ଏଭଳି ନାରକୀୟ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବାକୁ ରାଇରଙ୍ଗପୁର ଏଏସପି ଯଦୁନାଥ ଜେନା, ଉପଖଣ୍ଡ ପୁଲିସ ଅଧୂକାରୀ ଗୋକୁଳାନନ୍ଦ ସାହୁ ଓ ତିରିଂ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନା  ଉଦ୍ୟମ ଜାରି ରଖିଥିଲେ। ଏନେଇ ତିରିଂ ଥାନାରେ ଏକ ହତ୍ୟା ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଥିଲା।

ପୁଲିସ ସୂତ୍ରରୁ ମିଳିଥିବା ଖବର ମୁତାବକ ମୃତା ମହିଳା ସୋହାଗୀଙ୍କ ସ୍ଵାମୀ ମୋଟାଇ ବାଇପେଇ ମଘୁଆ ଖେଳପଡିଆକୁ ଯାଇ ପୁଣି ସେଠାରୁ ଘରକୁ ଫେରି ନିଜ ସ୍ତ୍ରୀକୁ ହତ୍ୟା କରି ପୁଣି ଖେଳପଡିଆକୁ କିଛି କେହି ନ ଜାଣିବା ଭଳି ଫେରି ଯାଇଥିଲେ। ରାତିରେ ଘରକୁ ଫେରି କିଛି ନ ଜାଣିବା କିମ୍ବା ସନ୍ଦେହ ନହେବା ଭଳି ତାଙ୍କ ଅନୁପସ୍ଥିତିରେ କେହି ଅଜଣା ଦୁବୃର୍ଭ ଏଭଳି ନାରକୀୟ କାଣ୍ଡ ଭିଆଇଛନ୍ତି ଭଳି ପୁଲିସ ନିକଟରେ ଏକ ଧାରଣା ବା ଭ୍ରମ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲା। ତେବେ ପୁଲିସର ଘନଘନ ତଦନ୍ତ ପରେ ହତ୍ୟାକାଣ୍ଡର ସମସ୍ତ ରହସ୍ୟ ଶେଷରେ ଉନ୍ମୋଚିତ ହୋଇଛି। ୨୦୧୬ ମସିହାରେ ବହଳଦା ପେଟ୍ରୋଲ ପମ୍ପ ନିକଟରେ ହୋଇଥିବା ଏକ ଗୁଳିକାଣ୍ଡ ଘଟଣାରେ ସାମିଲ ଥୂବା ଅଭିଯୋଗରେ ପୂର୍ବରୁ ମୋଟାଇ ୫ ବର୍ଷ ପାଇଁ ଜେଲ ଯାଇଥିଲା ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

ତେବେ ମୋଟାଇ ହତ୍ୟା ଘଟାଇଥିବା ସ୍ତ୍ରୀ ହେଉଛନ୍ତି ଚତୁର୍ଥ ସ୍ତ୍ରୀ। ପୂର୍ବରୁ ଦୁଇଜଣ ସ୍ତ୍ରୀ ପଳାଇଥିବା ବେଳେ ଅନ୍ୟ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୁଲିସ ମୋଟାଇକୁ ଗତକାଲି ଗିରଫ କରିବା ପରେ ଆଜି ରାଇରଙ୍ଗପୁର କୋର୍ଟକୁ ଚାଲାଣ କରାଯାଇଛି।

Mayurbhanj