ବଲାଙ୍ଗୀର: ବଲାଙ୍ଗୀର ସହର ଅସୁରକ୍ଷିତ ହୋଇପଡ଼ିଛି। ଆଜି ପୁଣି ଏକ ମୁଣ୍ଡ ଗଡ଼ିଛି। ଶନିବାର ଚିମିନିଭାଟି ପଡ଼ାରେ ଜଣକୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିଲା। ପୁଲିସ ଉକ୍ତ ମାମଲାରେ ତନାଘନା କରୁଥିବାବେଳେ ରବିବାର ସନ୍ଧ୍ୟାରେ ଭୁଜାଲିରେ ଆକ୍ରମଣ କରି ଜଣେ ଦୋକାନୀଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ବିଷ୍ଣୁମୁଣ୍ଡା ଅଞ୍ଚଳର ମନୋଜ ନାଏକ। ସେ ଘର ସମ୍ମୁଖରେ ପାନ ଦୋକାନ ଖୋଲିଥିଲେ। ଠିକ‌ା କାମ ମଧ୍ୟ କରୁଥିଲେ।

Advertisment

ଘର ପାଖ ମୁଖ୍ୟରାସ୍ତା ଉପରେ ଏକ କଲଭର୍ଟ ପାଖରେ ସେ ଏକୁଟିଆ ବସିଥିଲେ। ପାଖରେ ଥିବା ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନଥିଲା। ଏହାର ସୁଯୋଗ ନେଇ ତାଙ୍କୁ ପଛପଟୁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଭୁଜାଲି ଏବଂ ଲୁହାଛଡ଼ରେ ତାଙ୍କୁ ଆକ୍ରମଣ ହୋଇଥିଲା। 

 

ଗୁରୁତର ଅବସ୍ଥାରେ ମନୋଜଙ୍କୁ ଭୀମ ଭୋଇ ମେଡିକାଲ୍‌ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଥିଲେ ହେଁ କିଛି ସଫଳତା ପାଇନାହିଁ। ତେବେ ସହରରେ ତିନି ଦିନରେ ୩ଟି ହତ୍ୟାକାଣ୍ଡ ଘଟିବା ପୁଲିସର ପାରିବାପଣିଆ ପଦାରେ ପକାଇ ଦେଇଛି।

Balangir