ନବରଙ୍ଗପୁର: ଭିଏତନାମ ଠାରେ ସଦ୍ୟ ସମାପ୍ତ ହୋଇଥିବା ଫ୍ୟାସନ୍ ରନୱେ ଇଣ୍ଟରନ୍ୟାସନାଲ୍ଲିଂ ମଡେଲିଂ ସିଜନ-୯ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲାର ତାରାଗାଁର ତାରିଖ ହାସନ୍ ଖାନଙ୍କ ୧୨ବର୍ଷର ପୁଅ ତାହିଦ ହାସନ୍ ଖାନ୍ ଅନେକ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶାର ଗୌରବାନ୍ବିତ କରିଛନ୍ତି। ତାହିଦ ପୂର୍ବତନ ମନ୍ତ୍ରୀ ର୍ସ୍ବଗତ ହାବିବୁଲ୍ଲା ଖାନ୍ଙ୍କ ନାତି। ଶେଷ ରାଉଣ୍ଡରେ ନେପାଳ, ୟୁଏଇ ଓ ଇଣ୍ଡୋନେସିଆର ପିଲା ମାନେ ରହିଥିଲେ।
ତାରାଗାଁରେ ନିଜ ଘର ହୋଇଥିଲେ ହେଁ ତାହିଦ ଭୁବନେଶ୍ବର ୟୁନିଟ୍-୮ ଡିଏଭି ସ୍କୁଲର ସପ୍ତମ ଶ୍ରେଣୀରେ ପଢ଼ୁଛନ୍ତି। ଏହି ପ୍ରତିଯୋଗିତାରେ ବିଭିନ୍ନ ଦେଶରୁ ୫୭ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ତାହିଦ, ବିଜେତା ହେବା ସହିତ ‘ସୁପର ଟେଲେଣ୍ଟ’ ସବ୍ ଟାଇଟଲ ମଧ୍ୟ ପାଇଛନ୍ତି। ଉକ୍ତ ପ୍ରତିଯୋଗିତା ଚାରି ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏଥିରେ ନେସନ୍ନାଲ କଷ୍ଟ୍ୟୁମ୍ ରାଉଣ୍ଡ, ଟାଲେଣ୍ଟ ରାଉଣ୍ଡ ଏବଂ କଷ୍ଟ୍ୟୁମ୍ ରାଉଣ୍ଡ ପ୍ରଭୃତିରେ ତାହିଦ୍, ଉତ୍କୃଷ୍ଟ ଧରଣର ପ୍ରଦର୍ଶନ କରି ବିଚାରକ ମଣ୍ଡଳୀଙ୍କ ମନ ଜିଣି ନେଇଥିଲେ।
ମିସନ ଡ୍ରିମ୍ସ ମିସ ଇଣ୍ଡିଆର ବିଜେତା ଅୟନା ରାଉତରାୟ ତାହିଦକୁ ପ୍ରଶିକ୍ଷଣ ଦେଇଥିବା ବେଳେ ଗୁରୁ ବିଦୁ ସେଠୀ ତାଙ୍କର ନୃତ୍ୟର ତାଲିମ ଦେଇଥିଲେ। ମିଷ୍ଟର ଏବଂ ମିସ ଟିନ ସୁପର ଗ୍ଲୋବ ଓ ଜୁନିଅର ମଡେଲ ଇଣ୍ଟରନେସନାଲର ଷ୍ଟେଟ ଡାଇରେକ୍ଟର ଜ୍ୟୋତିର୍ମୟୀ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ତାହିଦ ଓଡ଼ିଶାକୁ ଗୌରବାନ୍ବୀତ କରିପାରିଛନ୍ତି। ସାଇକୃପା କଳା କେନ୍ଦ୍ରରେ ତାକୁ ପ୍ରଶିକ୍ଷଣ ଦିଆଯାଇଥିଲା। ନବରଙ୍ଗପୁର ଜିଲ୍ଲାର ଜଣେ ପିଲାର ଏହି ସଫଳତାର ଖବର ପ୍ରସାରିତ ହେବା ପରେ ଜିଲ୍ଲାର ଅନେକ ବରିଷ୍ଠ କଳାକାର ସମେତ ଜିଲ୍ଲାବାସୀ ପ୍ରତିଯୋଗୀ ତାହିଡ ହାସନ୍ ଖାଁ, ପିତା ତାରିଖ ହସନ ଖାନ ଏବଂ ମାତା ଆସମା ବାନୋଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।
ପ୍ରକାଶଯୋଗ୍ୟ, ରାଜ୍ୟ ଓ ସର୍ବଭାରତସ୍ତରୀୟ ପ୍ରତିଯୋଗିତାରେ ତାହିଦ୍ ପ୍ରଥମ ହେବା ପରେ ଭିଏତନାମରେ ଅନୁଷ୍ଠିତ ଅର୍ନ୍ତଜାତୀୟ ପ୍ରତିଯୋଗିତାରେ ବି ବାଜିମାତ କରି ନବରଙ୍ଗପୁର ଜିଲ୍ଲା ସମେତ ଭାରତର ନାଁକୁ ବିଶ୍ବରେ ସ୍ଥାନ ଦିଲେଇଛନ୍ତି।
nabarangapur