ନବରଙ୍ଗପୁର: ସଦ୍ୟ ପ୍ରକାଶିତ ମାଟ୍ରିକ ପରୀକ୍ଷା ଫଳରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନିଜ ଜିଲ୍ଲା ଓ ଉମରକୋଟ ନିର୍ବାଚନମଣ୍ଡଳୀରେ ଶତପ୍ରତିଶତ ପରୀକ୍ଷା ଫଳ ହୋଇପାରିନାହିଁ। ଜିଲ୍ଲାର ୧୭,୦୦୮ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୧୬,୧୮୭ଜଣ ୯୫.୧୭ପ୍ରତିଶତ ପିଲା ପାସ୍ କରିଛନ୍ତି। ୪୬୪ଜଣ ପିଲା ଅନୁପସ୍ଥିତ ରହିଥିବା ବେଳେ ଏହି ପିଲାମାନେ ଫର୍ମଫିଲଅପ୍ ପରେ ଗଲେ କୁଆଡେ? ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇ ଯାଇନାହାନ୍ତି ତ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ଜିଲ୍ଲାରେ ୨୨୯ଟି ବିଦ୍ୟାଳୟର ୧୭,୪୭୨ଜଣ ପିଲା ପରୀକ୍ଷା ଦେବାକୁ ଫର୍ମଫିଲଅପ୍ କରିଥିଲେ। ଏଥିରୁ ୧୭୦୦୮ଜଣ ପିଲା ପରୀକ୍ଷା ଦେଇ ଏ-୧ରେ ୫ଜଣ, ଏ-୨ରେ ୧୩୦ଜଣ, ବି-୧ରେ ୧୦୩୯ଜଣ, ବି-୨ରେ ୩୯୩୦, ସି-ରେ ୬୩୪୧, ଡି-୩୬୩୬, ଇ-୧୧୦୬ ଜଣ ଏଭଳି ୧୬୧୮୭ଜଣ ପିଲା ପାସ୍ କରିଛନ୍ତି। ଯଦି ସ୍କୁଲ ୱାରୀ ଦେଖାଯାଏ ଜିଲ୍ଲାର ୨୨୯ଟି ହାଇସ୍କୁଲରୁ ୩୮ଟିରେ ଶତପ୍ରତିଶତ ପିଲା ପାସ୍ କରିଛନ୍ତି। ସେହିପରି ୯୦ରୁ ୧୦୦ପ୍ରତିଶତ ମଧ୍ୟରେ ୧୩୭ଟି , ୮୦ରୁ ୯୦ପ୍ରତିଶତ ମଧ୍ୟରେ ୩୭ଟି, ୭୦ରୁ ୮୦ପ୍ରତିଶତ ମଧ୍ୟରେ ୧୧ଟି , ୬୦ରୁ ୭୦ପ୍ରତିଶତ ମଧ୍ୟରେ ୩ଟି, ୫୦ରୁ ୬୦ପ୍ରତିଶତ ମଧ୍ୟରେ ୨ଟି, ଓ ୪୦ରୁ ୫୦ ପ୍ରତିଶତ ମଧ୍ୟରେ ଗୋଟିଏ ବିଦ୍ୟାଳୟର ପିଲା ପାସ୍ କରିଛନ୍ତି।
ଯଦି ବଡ଼ ସହରର ବିଦ୍ୟାଳୟ ଗୁଡିକର ସମୀକ୍ଷା କରାଯାଏ ତେବେ ନବରଙ୍ଗପୁର ସହରର ଆରସିଡି ନୋଡାଲ ହାଇସ୍କୁଲ, ପୌରପାଳିକା ଓ ଜେଇଏଲସି ଶତପ୍ରତିଶତ ପରୀକ୍ଷା ଫଳ ହୋଇନି। ସେହିପରି ଉମରକୋଟ ସହରର ୨ଟି ହାଇସ୍କୁଲର ଫଳ ବି ଶତପ୍ରତିଶତ ହୋଇନି। ଶିକ୍ଷାମନ୍ତ୍ରୀଙ୍କ ନିଜ ଉମରକୋଟ ନିର୍ବାଚନମଣ୍ଡଳୀର ଉମରକୋଟ ଓ ରାଇଘର ବ୍ଲକରେ ବି ଶତପ୍ରତିଶତ ପରୀକ୍ଷା ଫଳ ହୋଇଥିବା ଦେଖିବାକୁ ମିଳିନି।
ଡାବୁଗାଁରେ ୧୯, ବୋରିଗାଁ ୨୧, ଧାମଣାଗୁଡ଼ା ୨୪, ଡଙ୍ଗରୀଗୁଡା ୨୩, ତେଲନଦୀଗାଁରେ ୧୯, ବାଣୁଆଗୁଡ଼ା ୨୩, ବାଙ୍କୁଲି ୧୫, ସିନ୍ଧିଗାଁ ୧୫, ଆରସିଡି ନୋଡାଲ ହାଇସ୍କୁଲ ୧୩, ସିନ୍ଧିଗୁଡା ୨୦, ମଇଦଲପୁର ୧୬, କଣ୍ଟାମାଲ ୧୩, କଲ୍ଲାପଦର ୧୮, ଏସଏସ୍ ସରକାରୀ ଉଚ୍ଚବିଦ୍ୟାଳୟରେ ୧୮ଟି ଏଭଳି ପିଲା ଫେଲ୍ ହୋଇଛନ୍ତି। ଜିଲ୍ଲାରେ ୮୧୫ଜଣ ପିଲା ଫେଲ୍ ହୋଇଥିବା ବେଳେ ୬ଜଣ ପିଲା ମାଲ୍ ପ୍ରାକ୍ଟିସ୍ ରେ ଧରା ପଡିଛନ୍ତି। ଯଦି ଉମରକୋଟ ନିର୍ବାଚନମଣ୍ଡଳୀର ଉମରକୋଟ ବ୍ଲକ ଓ ପୌରାଂଚଳର ୨୬ଟି ସ୍କୁଲରୁ ମାତ୍ର ୨ଟି ଓ ରାଇଘର ବ୍ଲକର ୩୧ଟି ସ୍କୁଲରୁ ୩ଟିରେ ସ୍କୁଲର ଶତପ୍ରତିଶତ ପିଲା ପାସ୍ କରିଛନ୍ତି।
ସହରାଂଚଳ ଗୁଡିକର ହାଇସ୍କୁଲରେ ସବୁ ବିଷୟର ଶିକ୍ଷକ ଶିକ୍ଷୟତ୍ରୀ ରହିଥିବା ବେଳେ ଶତପ୍ରତିଶତ ପରୀକ୍ଷା ଫଳ ହୋଇ ନପାରିବା ପଛର କାରଣ ଖୋଜିବା ଆବଶ୍ୟକ। ଫର୍ମଫିଲଅଫ୍ କରି ୪୬୪ ଜଣ ପିଲା କାହିଁକି ଅନୁପସ୍ଥିତ ରହିଲେ, ବର୍ତ୍ତମାନ ସେହି ପିଲାମାନେ କେଉଁଟି ଅଛନ୍ତି। ମନ୍ତ୍ରୀ ଓ ଜିଲ୍ଲା ଶିକ୍ଷାଅଧିକାରୀ ଏହାର ଯାଂଚ କରିବା ସହ ଶତପ୍ରତିଶତ ପାସ୍ କାହିଁକି ହୋଇନି ତାହାର ସମୀକ୍ଷା କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି।
Nabarangpur | BSE Odisha | Nityananda Ganda