ନବରଙ୍ଗପୁର: ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳରେ ଯଦିଓ ଘରୋଇ ବିଦ୍ୟାଳୟ ଶ୍ରେଷ୍ଠତା ତାଲିକା ସହ ପାସ୍ ହାର ସଫଳତାରେ ବି ଆଗୁଆ ରହିଛନ୍ତି। ତେବେ ଏ-୧ ତାଲିକାରେ ନବରଙ୍ଗପୁର ଜିଲ୍ଲାର ୫ଜଣଙ୍କ ମଧ୍ୟରେ ୩ଜଣ ସରକାରୀ ବିଦ୍ୟାଳୟର ରହିଥିବା ବେଳେ ଘରୋଇ ବିଦ୍ୟାଳୟର ୨ଜଣ ରହିଛନ୍ତି। ଜିଲ୍ଲାରେ ୨୨୯ଟି ପରୀକ୍ଷା କେନ୍ଦ୍ରରେ ୧୭୦୦୮ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୧୬୧୮୭ଜଣ ୯୫.୧୭ପ୍ରତିଶତ ପିଲା ପାସ୍ କରି ନବରଙ୍ଗପୁର ଜିଲ୍ଲାପାଇଁ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।
ଦୀର୍ଘ ବହୁ ବର୍ଷ ପରେ ସରକାରୀ ଉଚ୍ଚବିଦ୍ୟାଳୟ ଗୁଡିକରୁ ୩ଜଣ ଏ-୧ରେ ରହି ଶ୍ରେଷ୍ଟତା ପ୍ରତିପାଦିତ କରିବାରେ ସକ୍ଷମ ହୋଇ ପାରିଛନ୍ତି। ବଡକୁମାରୀର ବ୍ଲକଗ୍ରାଣ୍ଟ କଳିଙ୍ଗା ହାଇସ୍କୁଲର କିଶୋର ଟୋଲଟିଆ ୫୬୦ମାର୍କ(୯୩.୩୩) ପ୍ରତିଶତ ମାର୍କ ଆଣି ଜିଲ୍ଲାର ଟଫର ହୋଇଛନ୍ତି।
ସେହିପରି ସରକାରୀ ନୂଆ ମଇଦଳପୁର ହାଇସ୍କୁଲର ଛାତ୍ରୀ ଦେବସ୍ମିତା ସ୍ବାଇଁ ୫୪୪(୯୦.୬୬) ପ୍ରତିଶତ ମାର୍କ ଆଣି ତୃତୀୟ, ସରକାରୀ ଉଚ୍ଚବିଦ୍ୟାଳୟ କୋଷାଗୁମୁଡାର ମନୋରଂଜନ ପଣ୍ଡା ୫୪୩(୯୦.୫)ପ୍ରତିଶତ ମାର୍କ ଆଣି ଚତୁର୍ଥ ସ୍ଥାନରେ ରହିଛନ୍ତି। ସେହିପରି ଘରୋଇ ସରସ୍ବତୀ ଶିଶୁ ମନ୍ଦିର ନୂଆଗଡ ବିଦ୍ୟାଳୟର ୨ଜଣ ଏ-୧ରେ ସ୍ଥାନ ପାଇଛନ୍ତି। ଆଶୁତୋଷ ପାଣିଗ୍ରାହୀ ୫୪୯(୯୧.୫) ପ୍ରତିଶତ ମାର୍କ ରଖି ଦ୍ବିତୀୟ ଓ ଋଶିକେଶ ମିଶ୍ର ୫୪୪(୯୦.୬୬)ପ୍ରତିଶତ ମାର୍କ ଆଣି ତୃତୀୟ ସ୍ଥାନରେ ରହିଛନ୍ତି।
ଜିଲ୍ଲାରେ ୨୨୯ଟି ପରୀକ୍ଷା କେନ୍ଦ୍ରରେ ୧୭୪୭୨ଜଣ ପିଲା ପରୀକ୍ଷା ଦେବାକୁ ଫର୍ମ ଫିଲଅଫ୍ କରିଥିଲେ। ପରୀକ୍ଷା ବେଳେ ୪୬୪ଜଣ ପିଲା ଅନୁପସ୍ଥିତ ରହିଥିଲେ। ଏଥିରୁ ୧୭୦୦୮ଜଣ ପିଲା ପରୀକ୍ଷା ଦେଇଥିଲେ। ଜିଲ୍ଲାରେ ଏ-୧ରେ ୫ଜଣ, ଏ-୨ରେ ୧୩୦ଜଣ, ବି-୧ରେ ୧୦୩୯ଜଣ, ବି-୨ରେ ୩୯୩୦, ସି-ରେ ୬୩୪୧, ଡି-୩୬୩୬, ଇ-୧୧୦୬ ଜଣ ଏଭଳି ୧୬୧୮୭ଜଣ ପିଲା ପାସ୍ କରିଛନ୍ତି। ପୂର୍ବ ବର୍ଷ ଅପେକ୍ଷା ଏଥରକ ୨୭ଜଣ ଅଧିକା ପୁଅ ପାସ୍ କରିଛନ୍ତି। ଜିଲ୍ଲାରେ ୮୧୦୭ଜଣ ପୁଅ, ୮୦୮୦ଜଣ ଝିଅ ପାସ୍ କରିଛନ୍ତି। ଘରୋଇ ବିଦ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନୂଆଗଡ ଅଧିନରେ ଦେଇଥିବା ପରୀକ୍ଷା ଫଳ ଶତପ୍ରତିଶସତ ପିଲା ପାସ୍ କରି ପୂର୍ବବର୍ଷର ରେକର୍ଡକୁ ବଜାୟ ରଖିଛନ୍ତି। ଏ-୧ରେ ୨ଜଣ, ଏ-୨ରେ ୨୪ଜଣ, ବି-୧ରେ ୪୨ଜଣ, ସି-୬,ଡି-ଜଣେଏଭଳି ୧୧୯ଜଣ ପିଲା ପାସ୍ କରିଛନ୍ତି।
ଆଶୁତୋଷ ପାଣିଗ୍ରାହୀଙ୍କ ବାପା ଗୋପାଳ କୃଷ୍ଣ ପାଣିଗ୍ରାହୀଓକିଲ ଓ ମା’ ମୀନା ପାଣିଗ୍ରାହୀ ସରକାରୀ ବିଦ୍ୟାଳୟରେ ଶିକ୍ଷୟତ୍ରୀ । ଆଶୁତୋଷ ଆଗାମୀ ଦିନରେ ଡାକ୍ତର ହେବା ସହ ଅବିଭକ୍ତ କୋରାପୁଟ ଜିଲ୍ଲାରେ ସେବା ଯୋଗାଇବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି। ଋଶିକେଶ ମିଶ୍ରଙ୍କ ବାପା ଶଶିଭୁଷଣ ମିଶ୍ର ଟ୍ରକ ମାଲିକ ଓ ମା’ ସ୍ମିତା ମହାପାତ୍ର ଶିଶୁ ମନ୍ଦିରର ଶିକ୍ଷୟତ୍ରୀ ଭାବେ କାମକରୁଛନ୍ତି। ଋଶିକେଶ ଭବିଷ୍ୟତରେ ଇଂଜିନୟର ହେବା ଲକ୍ଷ୍ୟ ରଖିଛନ୍ତି।
Nabarangpur | BSE Odisha | Education