ପୁରୀ: ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶେଷରେ ଶରଧାବାଲି ଅଭିମୁଖେ ବାହାରିଛନ୍ତି। କାଳିଆ ଠାକୁରଙ୍କ ନନ୍ଦିଘୋଷଙ୍କୁ ଭକ୍ତମାନେ ଶ୍ରଦ୍ଧାର ସହିତ ଟାଣିଟାଣି ନେଉଛନ୍ତି। ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଭିତରେ ହରିବୋଲ ଓ ହୁଳିହୁଳି ସହିତ ଘଣ୍ଟ, ଶଙ୍ଖରେ ଏକ ଭବ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।
ନନ୍ଦିଘୋଷ ପୂର୍ବରୁ ଦେବୀ ସୁଭଦ୍ରା ନିଜର ଦର୍ପଦଳନରେ ଆଗକୁ ବଢ଼ିଥିଲା। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କର ତାଳଧ୍ବଜ ସିଂହଦ୍ବାର ସାମ୍ନାରୁ ବାହାରି ଥିଲା।
ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରର ସିଂହଦ୍ବାର ସମ୍ମୁଖରୁ ଶରଧାବାଲି ଅଭିମୁଖେ ତିନିରଥ ଗଡୁଛି। ତିନି ରଥ ଉପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁନାର ଖଡ଼ିକାରେ ଛେରାପହଁରା କରିବା ପରେ ଘୋଡ଼ା ଯୋଚା ଯାଇଥିଲା। ଚାରମାଳ ଫିଟା ସରିବା ପରେ ମହାପ୍ରଭୁଙ୍କ ବହୁ ପ୍ରତୀକ୍ଷିତ ରଥଯାତ୍ରାର ଆକର୍ଷଣୀୟ ଦୃଶ୍ୟ ‘ରଥ’ ଗଡ଼ିଛି।
ବଡ଼ଦାଣ୍ଡରେ ପ୍ରଥମେ ପ୍ରଭୁ ବଳଦେବଙ୍କର ତାଳଧ୍ବଜ ରଥ ଶରଧାବାଲି ଅଭିମୁଖେ ପ୍ରଥମେ ବାହାରି ଥିଲା। ପାଇଁ ବଡ଼ଦାଣ୍ଡ ଭକ୍ତିମୟ ହୋଇଛି। ତାଳଧ୍ବଜଙ୍କୁ ଟାଣିଟାଣି ନେବା ବେଳେ ଭକ୍ତମାନେ ହରିବୋଲ ଓ ହୁଳହୁଳିରେ କମ୍ପନ ସୃଷ୍ଟି କରୁଛନ୍ତି। ବହୁ ସମୟ ଧରି ଅପେକ୍ଷାରେ ଥିବା ଭକ୍ତମାନେ ଜଗନ୍ନାଥଙ୍କ ବଡ଼ଭାଇ ବଳଭଦ୍ରଙ୍କ ରଥକୁ ଟାଣିଟାଣି ନେଉଛନ୍ତି।
ଶ୍ରୀଜିଉଙ୍କ ୯ ଦିନିଆ ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ଦେଖାଯାଉଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି। ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି। ଆହୁରି ଭକ୍ତମାନେ ପୁରୀ ଅଭିମୁଖେ ବାହାରିଛନ୍ତି।
ଶ୍ରୀ ମନ୍ଦିରର ନୀତିକାନ୍ତି ପରେ ଶ୍ରୀଜିଉମାନଙ୍କର ପହଣ୍ଡି ଆରମ୍ଭ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତା ପରେ ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିଥିଲେ।
ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଶୁକ୍ରବାର ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ହୋଇଛି। ୬ଟା ୧୦ରେ ମଇଲମ, ୬ଟା ୩୦ରେ ତଡ଼ପ ଲାଗି, ରୋଷହୋମ ଓ ୭ଟାରେ ଅବକାଶ ପରେ ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଏବଂ ବେଶ ଶେଷ କରାଯିବ। ସେହିପରି ସକାଳ ୮ଟାରୁ ୯ଟା ଯାଏଁ ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡି ଭୋଗ) ନୀତି ପରେ ୯ଟା ୧୫ରେ ମଙ୍ଗଳାର୍ପଣ କରାଯାଇଥିଲା।
ପ୍ରାୟ ୧୦ଟାରେ ପ୍ରଭୁ ବଳଭଦ୍ରଙ୍କର ପହଣ୍ଡି ଆରମ୍ଭ କରାଯାଇଥିବା ବେଳେ ଅପରାହ୍ଣ ପ୍ରାୟ ୩ଟାରେ ଶ୍ରୀଜିଉମାନଙ୍କୁ ରଥାରୁଢ଼ କରାଯାଇଥିଲା। ରଥ ଉପରେ ଆବଶ୍ୟକ ନୀତି ଶେଷ ହେଲା ପରେ ରଥ ଟଣା ଯାଇଛି। ଭକ୍ତଙ୍କ ଶ୍ରଦ୍ଧାଳୁମାନଙ୍କର ସୁରକ୍ଷା ପାଇଁ ସିସିଟିଭି କ୍ୟମେରା ସମେତ ବ୍ୟାପକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।
rath yatra puri