କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ବିଭାଗ ଆନୁକୂଲ୍ୟରେ ‘‘ଭାରତରେ ଜନଜାତି କିଏ?’’ ଏବଂ ‘‘ଆପଣଙ୍କ ଥିସିସ୍ ଲେଖିବା’’ ଶୀର୍ଷକ ମୌଳିକ ପ୍ରଶ୍ନଗୁଡ଼ିକର ଅନୁସନ୍ଧାନ ଉପରେ ଦୁଇଟି ଅଧିବେଶନର ଆୟୋଜିତ ହୋଇଛି। ଅରୁଣାଚଳ ପ୍ରଦେଶସ୍ଥିତ ରାଜୀବ ଗାନ୍ଧୀ (କେନ୍ଦ୍ରୀୟ) ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ତଥା ନିର୍ଦେଶକ (ଅବସରପ୍ରାପ୍ତ) ପ୍ରଫେସର ମାଗୁଣି ଚରଣ ବେହେରା ଉପରୋକ୍ତ ବିଷୟରେ ଆଲୋକପାତ କରିଥିଲେ।
ଏହି ଅବସରରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଆଲୋଚନାର ସଫଳ ଆୟୋଜନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ସମାଜବିଜ୍ଞାନ ବିଭାଗର ଆସୋସିଏଟ୍ ପ୍ରଫେସର ତଥା ମୁଖ୍ୟ ଡ. କପିଳା ଖେମୁଣ୍ଡୁ ସ୍ୱାଗତ ଭାଷଣ ଦେଇ ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶ ଦିଗରେ ଗବେଷଣାକୁ ପ୍ରୋତ୍ସାହିତ କରିବାରେ ସମାଜବିଜ୍ଞାନ ବିଭାଗର ଭୂମିକା ଉପରେ ଆଲୋକପାତ କରିଥିଲେ। ଅର୍ଥନୀତି ବିଭାଗର ପ୍ରଫେସର ତଥା ମୁଖ୍ୟ ପ୍ରଫେସର ରତିକାନ୍ତ କୁମ୍ଭାର ଆଦିବାସୀ ସମ୍ପ୍ରଦାୟର ସଶକ୍ତୀକରଣ ପାଇଁ ସେମାନଙ୍କ ପ୍ରକୃତ ଆବଶ୍ୟକତାକୁ ବୁଝିବା ଏବଂ ଏହାର ସମାଧାନ କରିବା ପାଇଁ ଏକାଧିକ ଅଂଶୀଦାରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ସମାଜବିଜ୍ଞାନ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ଦୀପ୍ତି ଶଙ୍କର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ କଠୋର, ପ୍ରମାଣ ଭିତ୍ତିକ ଏବଂ ମୌଳିକ ଗବେଷଣା ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସମାଜବିଜ୍ଞାନର ସହକାରୀ ପ୍ରଫେସର ଡ. ଏଲିସା ମହାନ୍ତି ଏହି ଦୁଇଟି ବକ୍ତୃତାକୁ ସଂଯୋଜନା କରିଥିଲେ।
ପ୍ରଫେସର ମାଗୁଣୀ ଚରଣ ବେହେରା ତାଙ୍କ ବକ୍ତବ୍ୟରେ ଭାରତରେ ଜନଜାତିମାନଙ୍କର ଶୈକ୍ଷିକ ବୁଝାମଣାକୁ ନେଇ ରହିଥିବା ଭୁଲ ଧାରଣାକୁ ଦୂର କରିଥିଲେ। ଏଥିରେ ଅନ୍ତର୍ନିହିତ ବିବିଧତା ଏବଂ ବୈଭବକୁ ସ୍ପଷ୍ଟ କରିବା ପାଇଁ ସେ ‘‘ଜନଜାତି’’ର ଧାରଣାକୁ ବିଷୟରେ ବିଶେଷ ଭାବରେ ଆଲୋକପାତ କରିଥିଲେ। ସେ ଛାତ୍ରମାନଙ୍କୁ ଗବେଷଣା ସନ୍ଦର୍ଭ ଲେଖିବାର ସମସ୍ତ ଦିଗ ପ୍ରତି ଅବଗତ କରାଇଥିଲେ ଯାହା ଦ୍ୱାରା ସେମାନେ ସନ୍ଦର୍ଭ ଲେଖିବା ଏବଂ ଗବେଷଣା ମଧ୍ୟରେ ପାର୍ଥକ୍ୟ କରିବାରେ ବୁଝିବାରେ ପ୍ରେରଣା ଯୋଗାଇଥିଲା। ସେ ଗବେଷଣା ସନ୍ଦର୍ଭ ପ୍ରାକ୍ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଗବେଷକଙ୍କ ଭୂମିକା ବିଷୟରେ ଆଲୋଚନା କରି ସନ୍ଦର୍ଭର ଗଠନ ଓ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ଜିଲ୍ଲାର ବିକାଶରେ ଗବେଷକମାନେ ଭାଗିଦାର ହେବାକୁ କହିଥିଲେ ପ୍ରଫେସର ବେହେରା।
ସହକାରୀ ପ୍ରଫେସର ଡ. ସୌଭାଗ୍ୟଲକ୍ଷ୍ମୀ ସିଂହ ଓ ଡ. ଏଲିସା ମହାନ୍ତି ଆଲୋଚନା ପରିଚାଳନା କରିବା ସହ ଅଧିବେଶନର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ରଶ୍ମିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଡ. ଆଦିତ୍ୟ କେଶରୀ ମିଶ୍ର, ଡ. ରବିତା ପାଠକ ଓ ଡ. ମାନସ ରଞ୍ଜନ ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ସମାଜବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ନୁପୁର ପଟ୍ଟନାୟକ ଓ ଗବେଷକ ଶାଶ୍ୱତିକା ରାଉତରାୟ ପରିଚାଳନା କରିଥିଲେ।
CUO Koraput
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/24/RX8rk9GeRn8L0iYDIWEV.jpg)