କୋରାପୁଟ: ଜିଲ୍ଲା ରକ୍ତଦାତା ପ୍ରବର୍ତ୍ତକ ସଂଘ ପକ୍ଷରୁ ଜିଲ୍ଲାପ୍ରଶାସନ, ଶୋଭା ଅନୁଷ୍ଠାନ ସହଯୋଗରେ ସ୍ଥାନୀୟ ପୌରପାଳିକା ଅଡିଟୋରିୟମ୍ ଠାରେ ଦୁଇ ଦିନ ବ୍ୟାପୀ ସର୍ବଭାରତୀୟ ସ୍ବେଚ୍ଛାକୃତ ରକ୍ତଦାନ, ସିକିଲସେଲ୍ ଓ ଥାଲେସେମିଆ କର୍ମଶାଳା ଉଦଘାଟିତ ହୋଇଛି।ଏଥିରେ ଦେଶର ବିଭିନ୍ନ ରାଜ୍ୟ ସହ ନେପାଳରୁ ପ୍ରତିନିଧି ମାନେ ଭାଗ ନେଇଥିଲେ। ଉଦଘାଟନୀ ଉତ୍ସବରେ ପ୍ରବର୍ତ୍ତକ ସଂଘର ସଭାପତି ଜି.ସଂଜୀବ କୁମାର ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଭି.କିର୍ତ୍ତୀ ୱାସନ୍ ଯୋଗ ଦେଇ ଏଭଳି ନିଆରା କାର୍ଯ୍ୟକ୍ରମ ନିଶ୍ଚିତ ରୁପେ ଯୁବବର୍ଗକୁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ପ୍ରେରଣା ଦେବ ବୋଲି କହିଥିଲେ। ଶତାୟୁ ସ୍ବେଚ୍ଛାକୃତ ରକ୍ତଦାତା ମାନେ ଏଭଳି କର୍ମଶାଳାରେ ସମ‌ବେତ ହେବା ନିଶ୍ଚିତ ରୁପେ କୋରାପୁଟ ଜିଲ୍ଲାକୁ ବିକାଶ କ୍ଷେତ୍ରରେ ଆଗେଇ ନେବ ବୋଲି କହିଥିଲେ। 

Advertisment

ଜିଲ୍ଲାରେ ରକ୍ତର ଅଭାବ, ସିକିଲସେଲ୍ ଓ ଥାଲେସେମିଆ ରୋଗୀ ଅଧିକା ରହିଥିବାରୁ ଅଧିକାରୁ ଅଧିକା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳ କହିଥିଲେ। ଯେଉଁ ସବୁ ସଂଗଠନ ଏଭଳି ନିଆରା କାମ କରୁଛନ୍ତି ସେମାନଙ୍କୁ ସାଧୁବାଦ୍‌ ଦେଇଥିଲେ। ‌ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ପାଇଁ ଜିଲ୍ଲାପ୍ରଶାସନ ସମ୍ପୁର୍ଣ୍ଣ ରୁପେ ସହଯୋଗ କରିବ ବୋଲି କହିଥିଲେ। ଏଭଳି ମହାନ ବ୍ୟକ୍ତି ମାନେ କୋରାପୁଟ ଜିଲ୍ଲାମାଟି‌ରେ ପାଦ ଦେଇଥିବାରୁ ଜିଲ୍ଲା ଇତିହାସରେ ସ୍ବାର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି କହିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ଡ.ସୁଶାନ୍ତ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ନେପାଳର ‘ବଳଦାନ’ର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ସଭ୍ୟ ବାଳକୃଷ୍ଣ ଶ୍ରେଷ୍ଠ, ଶୋଭା ଅନୁଷ୍ଠାନର ସଭାପତି ମଦନ କିର୍ସାନୀ,  ସିଡିଏମଓ ଡ.ବରଦାକାନ୍ତ ମିଶ୍ର, ପୌରପାଳିକା ଅଧ୍ୟକ୍ଷ ଲଲାଟ ରଂଜନ ସେଠୀ, ସାଂସଦ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ବକ୍ତାଭାବେ ବୁର୍ଲା ତ୍ୟାଗ ଅନୁଷ୍ଠାନର ସଭାପତି ଦୁର୍ଗା ପ୍ରସାଦ ପାଢ଼ୀ ଯୋଗ ଦେଇଥିଲେ।

ସାଧାରଣ ସମ୍ପାଦକ ସେକ୍ ଇବ୍ରାହିମ୍ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା କାର୍ଯ୍ୟକ୍ରମର ଅଭିମୁଖ୍ୟ ସମ୍ପର୍କରେ ମତ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ‘‘ସମ୍ପର୍କ-୩’’କୁ ଅତିଥି ମାନେ ଉନ୍ନୋଚନ କରିଥିଲେ। ଏହି ଅବସରରେ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା ଶତାୟୁ ରକ୍ତଦାତା ଉତ୍ପଳ କୁମାର ରାୟ, ସୁବିର କୁମାର କୁଣ୍ଡୁ, ଗୋପୀ ମୋହନ ପଟ୍ଟନାୟକ, ପ୍ରବୀର ସେନ୍ ଶର୍ମା, ଡ.ସୁରେଶ ସାଇନି, ଏମଭି ପ୍ରସାଦ, ଲୋକନାଥ ଦାସ, ଆଶିଷ କର୍ମକାର, ଦୁର୍ଗା ପାଢ଼ୀ, ଆମ୍ବତି ନଟରାଜ, ଜି.ସଂଜୀବ କୁମାରଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ଶେଷରେ ପ୍ରଦୀପ କୁମାର ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।  

 

ଏହି ଅବସରରେ ରକ୍ତଦାନ, ସିକିଲସେଲ, ଥାଲେସେମିଆ , ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ରକ୍ତର ସୁରକ୍ଷା ଆଦିକୁ ନେଇ ବୈଷୟିକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଡ.ବିଷ୍ଣୁପ୍ରସାଦ ଦାସ, ଡ.ସଂଜତ କୁମାର ସାହୁ, ଶୋଭାର ସ୍ବାସ୍ଥ୍ୟ ପରାମର୍ଶଦାତା ବୁବୁ ସାହା, , ଡ.ଜି.ବନୋଦ କୁମାର, ଡ.ସସ୍ମିତା ପଟ୍ଟନାୟକ,  ଡ. ପ୍ରଶାନ୍ତ କୁମାର ଦାଶ, ଶରତ କୁମାର ଦାଶ, ଆଇନି ଟାକି ତାଲୋ, ଅମ୍ଲାନ ଆଚାର୍ଯ୍ୟ, ସଂଗୀତା ସୁବେଦୀଙ୍କ ସହ ଶତାୟୁ ରକ୍ତଦାତା ମାନେ ‌ଭାଗ ନେଇ ଆଲୋଚନା କରିଥିଲେ। 

Koraput