ନବରଙ୍ଗପୁର: ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରାକୃତିକ ଚାଷ। ରାଜ୍ୟର ୧୦ଜିଲ୍ଲାରେ ଏହି ଚାଷ ହେଉଥିବା ବେଳେ ନବରଙ୍ଗପୁର ଏଥିରେ ଅନ୍ୟତମ। ନ୍ୟାସନାଲ ମିସନ୍ ଅନ୍ ନ୍ୟାଚୁରାଲ୍ ଫାର୍ଟି (ଏନଏମଏନଏଫ୍) ଯୋଜନାରେ ନବରଙ୍ଗପୁର ଜିଲ୍ଲାର ୬ବ୍ଲକରେ ୧୧୫୦ ହେକ୍ଟର ଜମିରେ କରାଯିବ ପ୍ରାକୃତିକ ଚାଷ। ଏହି ଚାଷ କରି ୨୮୭୫ଜଣ ଚାଷୀ ଉପକୃତ ହେବେ।
ଜିଲ୍ଲାର ନବରଙ୍ଗପୁର, କୋଷାଗୁମୁଡା ଓ ଝରିଗାଁ ବ୍ଲକରେ ୨୦୦ହେକ୍ଟର ଲେଖାଏଁ ଏହି ଚାଷ କରାଯିବ। ସେହିପରି ପାପଡାହାଣ୍ଡି ବ୍ଲକରେ ୨୫୦ହେକ୍ଟର, ଡାବୁଗାଁ ଓ ଉମରକୋଟ ବ୍ଲକରେ ୧୫୦ହେକ୍ଟର ଲେଖାଏଁ ଏହି ଚାଷ କରାଯିବ। ଏହି ୬ଟି ବ୍ଲକରେ ଏଯାଏଁ ୨୮୭୫ଜଣ ଚାଷୀଙ୍କୁ ଚୟନ କରାଯାଇଥିବା ଜିଲ୍ଲା ଉଦ୍ୟାନ ବିଭାଗରୁ ସୂଚନା ମିଳିଛି।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ତତ୍ବାବଧାନରେ ଏହି ଯୋଜନା ଜିଲ୍ଲା ଉଦ୍ୟାନ ବିଭାଗ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟକାରୀ କରୁଥିବା କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧିରଂଜନ ବେହେରା। ପ୍ରାକୃତିକ ଚାଷ ଜୈବ ଚାଷଠାରୁ ଭିନ୍ନ ଅଟେ। ପ୍ରାକୃତିକ ଚାଷରେ କୌଣସି ଜୈବିକ ଖତ କିମ୍ବା ରାସାୟନିକ ସାର ନୁହେଁ ବରଂ ପ୍ରକୃତିଦତ୍ତ ଜିନିଷରୁ ହିଁ ଖତ ସୃଷ୍ଟି କରି ବ୍ୟବହାର କରାଯାଏ। ଏ ଦିଗରେ ଏନଏମଏନଏଫ୍ ଯୋଜନାରେ ଚାଷୀଙ୍କୁ ସଚେତନ କରିବା ସହ ଦକ୍ଷତା ବୃଦ୍ଧି ଲାଗି ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରତି ୫୦ ହେକ୍ଟରରେ ଗୋଟିଏ କୃଷକ ସମୂହ (କୃଷ୍ଟର) ଗଠନ ହେବ।
ପ୍ରତିଟି କୃଷ୍ଟରରେ ପ୍ରାକୃତିକ ଖତ ଯୋଗାଇଦେବା ପାଇଁ ବାୟୋ ରିସୋର୍ସ ସେଣ୍ଟର କରାଯିବ। ଏ ଦିଗରେ ସିଆରପି ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ। ଚାଷୀଙ୍କୁ ବାର୍ଷିକ ୪ ହଜାର ଟଙ୍କା ପ୍ରୋତ୍ସାହନ ରାଶି ବି ମିଳିବ ବୋଲି ସୂଚନା ମିଳିଛି। ଏଥିସହ ପ୍ରାକୃତିକ ଚାଷର ଉତ୍ପାଦଗୁଡ଼ିକର ବିକ୍ରିବଟା ଲାଗି ବଜାର ବ୍ୟବସ୍ଥା ଓ ପ୍ରାକୃତିକ ଚାଷୀଙ୍କ ରୋଜଗାର ବୃଦ୍ଧିକୁ ଗୁରୁତ୍ବ ଦିଆଯିବ। ରାସାୟନିକ ସାର ଆଦି ବ୍ୟବହାର ଦ୍ବାରା ଚାଷୀଙ୍କ ଉତ୍ପାଦନ ବଢିଥାଏ ସତ କିନ୍ତୁ ଏହାକୁ କିଣିବା ପାଇଁ ଚାଷୀଙ୍କ ଇନପୁଟ୍ ଖର୍ଚ୍ଚ ମଧ୍ୟ ବଢିଯାଏ।
ତେବେ ପ୍ରାକୃତିକ ଚାଷରେ ଚାଷୀଙ୍କ ଇନପୁଟ୍ ଖର୍ଚ୍ଚ କମିବ ଆଉ କମ୍ ଉତ୍ପାଦନ ହେଲେ ବି ପ୍ରାକୃତିକ ଖାଦ୍ୟ ମିଳିପାରିବ। ଏହାବ୍ୟତୀତ ପ୍ରାକୃତିକ ଚାଷକୁ ପ୍ରମାଣୀକରଣ କରିବା ପାଇଁ ଭାରତ ସରକାରଙ୍କ ତରଫରୁ ଦୁଇ ବର୍ଷ ପର୍ଯ୍ୟନ୍ତ ସହଭାଗୀ କୃଷି ପଦ୍ଧତି ମାଧ୍ୟମରେ ପ୍ରମାଣନ (ସାର୍ଟିଫିକେସନ୍) ପ୍ରକ୍ରିୟା ମଧ୍ୟ କରାଯିବ। ଯାହା ଫଳରେ ଚାଷୀମାନେ ଦେଶ ଭିତରେ ନିଜର ପ୍ରାକୃତିକ ଚାଷ ଉତ୍ପାଦକୁ ଖାଉଟିଙ୍କ ପାଖରେ ସହଜରେ ଓ ଅଧିକ ଭାବରେ ପହଞ୍ଚାଇ ପାରିବେ। ମାଟିର ଉର୍ବରତା ବୃଦ୍ଧି, ଜଳବାୟୁ ପରିବର୍ତ୍ତନକୁ ରୋକିବା ଏବଂ ସୁସ୍ଥ ଶରୀର ପାଇଁ ପ୍ରାକୃତିକ ତଥା ରସାୟନମୁକ୍ତ ଖାଦ୍ୟ ଯୋଗାଇବାକୁ କେନ୍ଦ୍ର ସରକାର ଏଭଳି ଅଭିଯାନ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ଜିଲ୍ଲାମୁଖ୍ୟ କୃଷି ଅଧିକାରୀ।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/09/jidcRKIjghNcKY4dEDkG.jpg)