ମଣ୍ଡପରେ ଜଗତ୍ଜନନୀଙ୍କ ପୂଜାର୍ଚ୍ଚନା
ରସୁଲଗଡ଼ରେ ସ୍ବାମୀ ନାରାୟଣ ମନ୍ଦିର
ପ୍ରତିବର୍ଷ ଭଳି ରସୁଲଗଡ଼ ଦୁର୍ଗାପୂଜା କମିଟି ଚଳିତ ଥର ମଧ୍ୟ ମା’ଙ୍କ ପାଇଁ ଆକର୍ଷଣୀୟ ତୋରଣ ନିର୍ମାଣ କରିଛି। ଭୁବନେଶ୍ବରର ଅନ୍ୟତମ ଜନଗହଳିପୂର୍ଣ୍ଣ ସ୍ଥାନରେ ସ୍ବାମୀ ନାରାୟଣ ମନ୍ଦିରର ଆକୃତି ନିର୍ମାଣ କରିଛି। ସ୍ବାମୀ ନାରାୟଣ ମନ୍ଦିର ଦେଶ-ବିଦେଶରେ ନାମୀ ପର୍ଯ୍ୟଟନସ୍ଥଳୀ। ସେଥିରୁ ଗୁଜରାଟର ଅହମଦାବାଦସ୍ଥିତ ସ୍ବାମୀ ନାରାୟଣ ମନ୍ଦିର ଅନ୍ୟତମ। ଏହି ମନ୍ଦିର ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁମାନଙ୍କର ସମାଗମ ହୋଇଥାଏ।
ବେଲୁର ମଠରେ ମା’ ଦୁର୍ଗା
ରାମକୃଷ୍ଣ ପରମହଂସଙ୍କ ମୁଖ୍ୟ ଶିଷ୍ୟ ହେଉଛନ୍ତି। ସ୍ବାମୀ ବିବେକାନନ୍ଦ। ସ୍ବାମୀ ବିବେକାନନ୍ଦଙ୍କ ଦ୍ବାରା ପ୍ରତିଷ୍ଠିତ ରାମକୃଷ୍ଣ ମିସନ ଓ ରାମକୃଷ୍ଣ ମଠର ମୁଖ୍ୟ କାର୍ଯ୍ୟାଳୟ ହେଉଛି ବେଲୁର ମଠ। ପଶ୍ଚିମବଙ୍ଗର ହୁଗୁଳି ନଦୀକୂଳରସ୍ଥିତ ବେଲୁର ନାମକ ଏକ ସ୍ଥାନରେ ରହିଛି ଏହି ମଠ। ଚଳିତ ଦୁର୍ଗାପୂଜାରେ ଚକେଇସିହାଣୀ ଦୁର୍ଗାପୂଜା କମିଟି ବେଲୁର ମଠର ସଦୃଶ ତୋରଣ ପ୍ରସ୍ତୁତ କରିଛି, ଯାହା ଦର୍ଶକଙ୍କୁ ଆକର୍ଷିତ କରୁଛି।
ଝାରପଡ଼ାରେ ଇମ୍ପେରିଆଲ୍ ପ୍ୟାଲେସ୍
ଦୁର୍ଗାପୂଜା ମେଢ଼ ସାଜସଜ୍ଜାରେ ଝାରପଡ଼ା ପ୍ରତିବର୍ଷ ଅଗ୍ରଣୀ ଭୂମିକା ତୁଲାଇଥାଏ। ଚଳିତ ବର୍ଷ ଚତୁର୍ଦ୍ଦଶ ବର୍ଷରେ ପଦାର୍ପଣ କରିଥିବା ଝାରପଡ଼ା ଦୁର୍ଗାପୂଜା ସମିତି ନିଜସ୍ବ ପରିକଳ୍ପନାରେ ‘ଇମ୍ପେରିଆଲ୍ ପ୍ୟାଲେସ୍’ ନିର୍ମାଣ କରିଛି। ୫୦ଜଣ କାରିଗର ୮୫ ଫୁଟ ଉଚ୍ଚତା ଓ ୧୫୦ ଫୁଟ ଚଉଡ଼ାର ଏହି ଭବ୍ୟ ତୋରଣ ନିର୍ମାଣ କରିଛନ୍ତି। ତୋରଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ କୋଲକାତାର କାରିଗରଙ୍କ ଦ୍ୱାରା ଆଲୋକ ସଜ୍ଜା ବ୍ୟବସ୍ଥା କରାଯାଇଛି।
ମା’ଙ୍କ ପୂଜାରେ ‘ଢୋଲ’ର ତୋରଣ
ମା’ ମହିଷାମର୍ଦ୍ଦିନୀଙ୍କ ପାଇଁ ବୀର ସୁରେନ୍ଦ୍ର ସାଏ (ଭିଏସ୍ଏସ୍) ନଗର ପୂଜା କମିଟି ଭାରତୀୟ ପରଂପରାର ବାଦ୍ୟ ‘ଢ଼ୋଲ’କୁ ନେଇ ସ୍ବତନ୍ତ୍ର ମେଢ଼ ପ୍ରସ୍ତୁତ କରିଛି। ପ୍ରତ୍ୟେକ ଦେବୀଙ୍କ ପୂଜାରେ ଢୋଲ ବଜାଇବାର ପରଂପରା ରହିଛି।
ମନ ମୋହୁଛି କାଳ୍ପନିକ ମହଲ
ଭୁବନେଶ୍ବରର ବୋମିଖାଲ ଦୁର୍ଗା କମିଟି ଏଥର ମା’ଙ୍କ ପାଇଁ ଏକ ‘କାଳ୍ପନିକ ମହଲ’ ନିର୍ମାଣ କରିଛି, ଯାହାକି ଦର୍ଶକଙ୍କୁ ଆକର୍ଷିତ କରୁଛି। ରସୁଲଗଡ଼ରୁ କଳ୍ପନା ଯାଉଥିବା ଲୋକେ ଏହି ମେଢ଼ ଦେଖିବା ମାତ୍ରେ ଟିକିଏ ଅଟକି ଯାଉଛନ୍ତି। ସେହିପରି ବ୍ରିଜ୍ ଉପର ଦେଇ ଯେଉଁମାନେ ସହିଦନର ପଟରୁ ରସୁଲଗଡ଼ ଯାଉଛନ୍ତି, ରଂଗୀନ ଆଲୋକମାଳା ଦେଖି ଖୁସି ଅନୁଭବ କରୁଛନ୍ତି।
ଲକ୍ଷ୍ମୀସାଗରରେ ପଦ୍ମାବତୀ ପ୍ୟାଲେସ୍
ରାଣୀ ପଦ୍ମିନୀଙ୍କ ପ୍ୟାଲେସ୍ ଅଥବା ରାଣୀ ପଦ୍ମିନୀ ମହଲ ହେଉଛି ଏକ ଧଳା କୋଠା। ରାଜସ୍ଥାନର ଚିତୋରାଗଡସ୍ଥିତ ଚିତ୍ତୋର ଦୁର୍ଗ ଭିତରେ ଅବସ୍ଥିତ ଏକ ତିନି ମହଲା ବିଶିଷ୍ଟ ସଂରଚନା ଦୁର୍ଗର ଦକ୍ଷିଣ ଭାଗରେ ଅବସ୍ଥିତ। ଏହା ଏକ ଜଳରାଶିକୁ ଘେରି ରହିଛି। ଚଳିତ ଦୁର୍ଗାପୂଜାରେ ଲକ୍ଷ୍ମୀସାଗର ପୂଜା କମିଟି ଏହି ତୋରଣ ନିର୍ମାଣ କରିଛି। କଳ୍ପନା ଛକରୁ ରସୁଲଗଡ଼ ଅଭିମୁଖେ ଯାଉଥିବା ଦର୍ଶକଙ୍କୁ ଏହାର ଆକର୍ଷଣ ଅଟକାଇ ଦେଉଛି।
ପୋଲ ଉପରୁ ମନ ଲୋଭାଉଛି ନୟାପଲ୍ଲୀ ପୂଜା
ରାଜଧାନୀ ଭୁବନେଶ୍ବରର ଅନ୍ୟତମ ବଡ଼ଧରଣର ପୂଜା ନୟାପଲ୍ଲୀ ଦୁର୍ଗାପୂଜା କମିଟି ତରଫରୁ ଆୟୋଜନ କରାଯାଇଛି। ମା’ଙ୍କ ଉଦ୍ଦେଶ୍ୟରେ ପୂଜା କମିଟି ତରଫରୁ ଏଥର ଏକ ସୁନ୍ଦର ଓ ସୁଉଚ୍ଚ ତୋରଣ ନିର୍ମାଣ କରାଯାଇଛି। ବିଶେଷ କରି ଏହି ତୋରଣ ବରମୁଣ୍ଡାରୁ ରସୁଲଗଡ଼ ଯାଇଥିବା ରାସ୍ତାର ଦର୍ଶକମାନଙ୍କୁ ଅଟକାଇ ଦେଉଛି। ଯଦିଏ ବି ଦେଖୁଛନ୍ତି, ଖୁସିରେ କହୁଛନ୍ତି, ବହୁତ ସୁନ୍ଦର ସାଜସଜ୍ଜା ହୋଇଛି।