ମାଲକାନଗିରି: ସୀମାନ୍ତ ଛତିଶଗଡରେ ଏବେ ପୁଲିସ ଲଗାତାର ନକ୍ସଲ ଉପରେ ଆକ୍ରମଣ କରି ନକ୍ସଲ ସଂଗଠନକୁ ଏକ ପ୍ରକାର ଦୁର୍ବଳ କରିବା ସହ ରାଜ୍ୟ ଛାଡି ଚାଲିଯିବାକୁ ବାଧ୍ୟ କରିଛି। ଏହି ପରିପ୍ରେକ୍ଷୀରେ ଗତ ଏକ ସପ୍ତାହ ମଧ୍ୟରେ ୧୫ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇସାରିଲାଣି। ଆଜି ପ୍ରେସ ବିଜ୍ଞପ୍ତିରେ ପଶ୍ଚିମ ବସ୍ତର ଡିଭିଜନର ସଚିବ ମୋହନ ପ୍ରକାଶ କରିଛନ୍ତି ଯେ ପୁଲିସ ସହ ମିଶି ଯେଉଁମାନେ ନକ୍ସଲ ଗତିବିଧି ଏବଂ ଲୋକଙ୍କୁ ହଇରାଣ କରୁଛନ୍ତି ସେମାନଙ୍କୁ ସଂଗଠନ ପକ୍ଷରୁ ମୃତ୍ୟୁ ଦଣ୍ଡ ଦିଆଯିବ। ପୁଣି ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ଯେ ଲଚ୍ଛା ପୁନେମ ନାମକ ବ୍ୟକ୍ତି ଲଗାତାର ପୁଲିସ ସହ ମିଶି ସଂଗଠନକୁ ଧ୍ବଂସ କରିବାରେ ଲାଗିଛି। ଲୋକଙ୍କୁ ଡରାଇ ଧମକାଇ ସେମାନଙ୍କୁ ଗିରଫ କରାଉଛି।

Advertisment

ଲଚ୍ଛା ପୁନେମ ଭଳି ଲୋକେ କାମ ନକରନ୍ତୁ ବୋଲି କୁହାଯାଇଛି। ନଚେତ ସମସ୍ତେ ମୃତ୍ୟୁ ଦଣ୍ଡ ପାଇବେ।ଲଛା ପୁନେମକୁ ପୁଲିସ ଇନଫର୍ମର ଦର୍ଶାଇ ପ୍ରଜାକୋର୍ଟରେ ହାଜର କରାଯାଇଥିଲା। କିନ୍ତୁ ସେ ଆଗକୁ ଆଉ କେବେ କରିବ ନାହିଁ ବୋଲି କ୍ଷମା ପ୍ରାର୍ଥନା କରିବା ପରେ ତାକୁ ଛାଡି ଦିଆଯାଇଥିଲା। କିନ୍ତୁ ତାଙ୍କ ପୁଅ କୋଣ୍ଡା ପୁନେମ ପୁଲିସ ସହ ମିଶି ସଂଗଠନକୁ ଧ୍ବଂସ କରିବାକୁ ଚେଷ୍ଟା କରିଥିଲା, ଯାହାରଫଳସ୍ବରୂପ ତାକୁ ହତ୍ୟା କରାଗଲା।

ସେହିପରି ଲଚ୍ଛା ପୁନେମକୁ ମଧ୍ୟ ୨୦୨୧ରେ ପୁଲିସ ସହ ମିଶି କିଛି ଲୋକଙ୍କୁ ତାଂକ ପୁଅର ହତ୍ୟାକାରୀ ବୋଲିକହି ଗିରଫ କରାଇଥିଲା। ସେତେବେଳେ ବି ତାକୁ ଛାଡି ଦିଆଯାଇଥିଲା। ପୁଣି ୨୦୨୨ରେ କ୍ୟାମ୍ପ ପ୍ରତିଷ୍ଠା ବେଳେ ସେ ଦସ୍ତଖତ କରିଥିଲା। ଏଥିରେ ବି ତାକୁ ଛାଡି ଦିଆଯାଇଥିଲା।ଏଥର କିନ୍ତୁ ତାକୁ ହତ୍ୟା କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ପୁଣି ତାଙ୍କ ସହ ମଙ୍ଗୁ, ନାଗା, ପାଣ୍ଡୁ, ମେଡ୍ଡି ତାତି, ମଙ୍ଗୁ ହେମଲା, ଗୋଲାଲ, ପାଣ୍ଡୁ ଗୁରୁଜୀ, ସୁଖଲାଲ ଗୁରୁଜୀ ପ୍ରମୁଖଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି କୁହାଯାଇଛି। ଏମାନେ ନସୁଧୁରିଲେ ଆଗକୁ ବିପଦ ରହିଛି। ଏଥିସହ ବହୁ ଗ୍ରାମର ଲୋକଙ୍କ ଜମିକୁ ଜବରଦସ୍ତ ଛଡାଇ ନେଇ ସେହି ଜମିରେ ଚାଷ କରିଛନ୍ତି। ତେଣୁ ଏମାନେ କେବେ ମଧ୍ୟ କ୍ଷମଣିୟ ନୁହନ୍ତି ବୋଲି କୁହାଯାଇଛି।ପୁଲିସ କଥାରେ ପଡି ଗୋପନୀୟ ତଥ୍ୟ ଦିଅ ନାହିଁ। ନଚେତ ଆଗାମୀ ଦିନରେ ମୃତ୍ୟୁ ଦଣ୍ଡ ହିଁ ଭୋଗିବ ବୋଲି କୁହାଯାଇଛି।