କୋରାପୁଟ: ମାଳଅଂଚଳର ଲାଲଗଡ ନାରାୟଣପାଟଣାରେ ଶାନ୍ତି ଓ ବିକାଶ ଫେରିଛି। ମାଓବାଦୀଙ୍କ ଉପସ୍ଥିତି ପ୍ରଭାବଶୂନ୍ୟ। ଗତ ୧୭ବର୍ଷ ତଳେ ନିଜ ଭିଟାମାଟିକୁ ଛାଡିଥିବା ବିସ୍ଥାପିତ ୧୭୭ ପରିବାର ଆଜି ବି ନିଜ ଗାଁ, ନିଜ ମାଟିକୁ ଫେରି ନ ପାରି ବାସ୍ତୁହରା। ବହୁ ପରିବାର ଆଜି ବି କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଓ କୋରାପୁଟ ସହରରେ ରହୁଛନ୍ତି। ଏବେ ଏମାନଙ୍କ ଠିକଣା ବଦଳିଛି, ଏମାନଙ୍କ ଭୋଟ ପରିଚୟପତ୍ର ସହ ଆଧାରକାର୍ଡରେ ବି ଠିକଣା ବଦଳିଛି। ଏବେ ଏହି ନୂଆ ସ୍ଥାନରେ ହିଁ ଏମାନଙ୍କ ଜୀବନଜୀବିକା।
୨୦୦୬-୦୭ ମସିହାରେ ଜଳ, ଜମି, ଜଙ୍ଗଲର ସୁରକ୍ଷା ଏବଂ ମଦ ଓ ଗୋତି ମୁକ୍ତି ନାରା ନେଇ ନାରାୟଣପାଟଣାରେ ଚାଷୀ ମୂଲିଆ ଆଦିବାସୀ ସଂଘ ମୁଣ୍ଡ ଟେକିଥିଲା। ଯାହାର ନେତୃତ୍ବ ନେଇଥିଲେ ନାଚିକା ଲିଙ୍ଗା। ଆନ୍ଦୋଳନ ତୀବ୍ରତର ହେବାପରେ ୨୦୦୮ ଜୁଲାଇରେ ଅଣଆଦିବାସୀଙ୍କ ୨୦୦ ଏକର ଜମିକୁ ଚାଷୀ ମୂଲିଆ ସଂଘ କବ୍ଜାକୁ ନେଇଥିଲା। ନାଲି ପତାକା ଲଗାଇ ନିଜର ଦାବି କରିଥିଲା। ଏହାପରେ ୨୦୦୮ ଡିସେମ୍ବର ୧୦ ତାରିଖରେ ସଂଘର ହଜାର ହଜାର ସମର୍ଥକ ଅସ୍ତ୍ରଶସ୍ତ୍ର ଧରି ପୋଡ଼ାପଦର, ଝଡିପଦର ଆଦି ଗ୍ରାମ ଉପରେ ଆକ୍ରମଣ କରି ଘର ଭାଙ୍ଗି ଦେଇଥିଲେ। ଆଖି ପିଛୁଳାକେ ପୂରା ଗାଁ ମାଟିରେ ମିଶି ଯାଇଥିଲା। ସମସ୍ତ ପରିବାର ଜୀବନ ବଞ୍ଚାଇବା ପାଇଁ ଭୟରେ ଭିଟାମାଟି ଛାଡ଼ି ଦେଇଥିଲେ।
୧୭ ବର୍ଷ ହେଲା ବିସ୍ଥାପିତ ପରିବାର ବର୍ଷା, ଶୀତ, କାକରରେ ଏଣେ ତେଣେ ବୁଲୁଛନ୍ତି। ୧୩୬ ପରିବାର କୋରାପୁଟର ଟିକିରା ସାହି, ମୃତ୍ତିକା ସଂରକ୍ଷଣ ବିଭାଗ ତାଲିମ ଶିବିର କୋଠା, ସରକାରୀ କଲେଜ ନିକଟ ଅସ୍ଥାୟୀ କ୍ୟାମ୍ପ, ଦାମନଯୋଡ଼ି, ଦେଓଘାଟି ସମେତ ନାରାୟଣପାଟଣା, ବନ୍ଧୁଗାଁ, ପୋଡ଼ାଗଡ଼, ଲକ୍ଷ୍ମୀପୁରରେ ରହୁଛନ୍ତି। ୫୬ ଆଦିବାସୀ ପରିବାର ବି ବିସ୍ଥାପିତ ହୋଇ ନାରାୟଣପାଟଣା ସହରରେ ବିସ୍ଥାପିତ କଲୋନିରେ ରହୁଛନ୍ତି। ୨୦୦୯ ମସିହା ନଭେମ୍ବର ୨୦ରେ ନାରାୟଣପାଟଣା ଥାନା ଆକ୍ରମଣ ସମୟରେ ସଂଘର ଦୁଇ ସଦସ୍ୟ ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିଲେ। ନକ୍ସଲଙ୍କ ଛାମୁଆ ସଂଗଠନ ଭାବେ ସଂଘ କାମ କରୁଥିବାରୁ ପୁଲିସ୍ ଆକ୍ସନ ମୁଡ୍କୁଆସିବା ପରେ ବହୁ ସମର୍ଥକ ଗିରଫ ହୋଇଥିଲେ।
ଶତାଧିକ ସମର୍ଥକ ଆତ୍ମସମର୍ପଣ କରିଥିଲେ। ବିଏସ୍ଏଫ୍-ଡିଭିଏଫ୍ ଯବାନଙ୍କ ଘନ ଘନ କମ୍ବିଂ ଅପରେସନ୍ ଯୋଗୁମାଓ ସଙ୍ଗଠନ ଛତ୍ରଭଙ୍ଗ ଦେଇଥିଲା। ଶେଷରେ ସଂଘ ସଭାପତି ନାଚିକା ଲିଙ୍ଗାକୁ ୨୦୧୪ ଅକ୍ଟୋବର ୨୮ରେ ପୁଲିସ ଗିରଫ କରିଥିଲା। ଏହାପରେ ସରକାର ବହୁ ବିକାଶମୂଳକ କାମ କରିଛନ୍ତି।
ଏହି ବ୍ଲକର ପ୍ରତି ଗାଁକୁ ରାସ୍ତା, ପାନୀୟ ଜଳ, ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, ବିଜୁଳି, ପକ୍କା ଘର, ମୋବାଇଲ୍ ଟାୱାର ପରି ବିକାଶମୂଳକ ଯୋଜନା ପହଞ୍ଚିଛି। କିନ୍ତୁ ବିସ୍ଥାପିତଙ୍କ ଦୁଃଖ ଦୂର ହୋଇପାରୁନି। ଏହାରି ମଧ୍ୟରେ ୯ଜଣ ଜିଲ୍ଲାପାଳଙ୍କ ସହ ବହୁ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କ ଅଦଳବଦଳ ହେଲାଣି। ତଥାଫି ବିସ୍ଥାପିତଙ୍କ ଭାଗ୍ୟ ବଦଳି ପାରୁନି। ନିଜ ଜିଲ୍ଲାରେ ନିଜର ଠିକଣା ପରିବର୍ତ୍ତନ ହୋଇଛି। ଗତ କାଲିର ଝିଅ ଓ ପୁଅ ଆଜି ଯୁବକ ଓ ଯୁବତୀ ହେଲେଣି। ଏମାନେ ଏବେ ଆଉ ଗାଁକୁ ଫେରିବାକୁ ଚାହୁଁନାହାନ୍ତି। ପ୍ରଶାସନ ବି ଏମାନଙ୍କ ଠାରୁ ନିଆଯାଇଥିବା ଜମି ବିବାଦର ସମାଧାନ କରି ପାରିନି।
Malkangiri