ଭୁବନେଶ୍ବର: ଗଂଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ବେଳାଭୂମିରେ ଗତ ରବିବାର ବିଳମ୍ବିତ ସନ୍ଧ୍ୟାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଜାତୀୟ ମହିଳା କମିସନ (ଏନ୍ସିଡବ୍ଲ୍ୟୁ) ହସ୍ତକ୍ଷେପ କରିଛନ୍ତି। ଏହି ଘଟଣା ନେଇ ଜାତୀୟ ମହିଳା କମିସନ ଉଦ୍ବେଗ୍ ପ୍ରକାଶ କରିଛନ୍ତି ଏଥି ସହ ଏହି ମାମଲା ନେଇ ନିଜ ତରଫରୁ ହସ୍ତକ୍ଷେପ କରିଛନ୍ତି। ଜାତୀୟ ମହିଳା କମିସନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି।
ଜାତୀୟ ମହିଳା କମିସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ସହିତ ଜଡ଼ିତ ବାକି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରାଯାଇଛି। ପୀଡିତାଙ୍କୁ ଠିକ୍ ସମୟରେ ନ୍ୟାୟ ଦିଆଯାଉ। ମାଗଣା ଚିକିତ୍ସା ଓ ମାନସିକ ସହଯୋଗ କରାଯାଉ। ଆଗାମୀ ୩ ଦିନ ଭିତରେ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲା ବାହାରର ଜଣେ ଯୁବତୀ ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଯୁକ୍ତ ୩ ଅଧ୍ୟୟନ କରୁଥିବା ବେଳେ ରବିବାର ଅପରାହ୍ଣରେ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ଯାଇଥିଲେ। ପାନ୍ଥନିବାସ ପଛପଟ ବେଳାଭୂମିରେ ଉଭୟ ବସିଥିଲେ। ସଂଧ୍ୟା ପ୍ରାୟ ୮ଟା ବେଳେ ହିଞ୍ଜିଳିକାଟୁ ଅଞ୍ଚଳର ୧୦ଜଣ ଯୁବକ ନିଛାଟିଆ ସ୍ଥାନରେ ଉଭୟ ବସିଥିବା ଦେଖି ଅସଦାଚରଣ କରିଥିଲେ। ପୁରୁଷ ବନ୍ଧୁଙ୍କୁ କିଛି ଯୁବକ କାବୁ କରିବା ସହ ଯୁବତୀଙ୍କୁ ଉଠାଇ ନେଇ ଏକ ଅନ୍ଧାରିଆ ସ୍ଥାନରେ ତିନି ଜଣ ଗଣଦୁଷ୍କର୍ମ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସେମାନେ ଥାନାରେ ପହଞ୍ଚି ଘଟଣା ସଂପର୍କରେ ପୁଲିସକୁ ଜଣାଇଥିଲେ। ଅଭିଯୋଗ ପାଇବା ମାତ୍ରକେ ପୁଲିସ ପୀଡ଼ିତାଙ୍କ ପୁରୁଷବନ୍ଧୁଙ୍କୁ ନେଇ ଖୋଜାଖୋଜି ଆରମ୍ଭ କରିଥିଲା।
ଏହି ଖବର ପଢ଼ନ୍ତୁ: ‘ମହିଳାଙ୍କ ଉପରେ ବଢୁଥିବା ନିର୍ଯାତନାକୁ ରୋକିବା ଦିଗରେ ସରକାର ସଜାଗ ହୁଅନ୍ତୁ’
ଏହି ସମୟରେ ଡୁରା ଓଭରବ୍ରିଜ୍ ନିକଟରେ ୪ ଜଣ ଥିବା ବେଳେ ପୁଲିସ ଗାଡ଼ି ଦେଖି ଦୁଇ ଜଣ ଯୁବକ ଦୌଡ଼ି ଚମ୍ପଟ ମାରିଥିଲେ। ଅନ୍ୟ ୨ ଜଣଙ୍କୁ ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଜଣକ ଚିହ୍ନଟ କରିଥିଲେ। ୨ଜଣକୁ ପୁଲିସ କାବୁ କରି ଥାନାକୁ ଆଣି ପଚରାଉଚରା କରିବା ପରେ ଅନ୍ୟ ୮ ଜଣ ହିଞ୍ଜିଳିକାଟୁ ଆଖପାଖ ଅଞ୍ଚଳର ବୋଲି ପୁଲିସ ଜାଣିବାକୁ ପାଇଥିଲା। ଏହି ମାମଲାରେ ପୁଲିସ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରିଛି।
ganjam | rape | Crime | NCW