ନୂଆଦିଲ୍ଲୀ: ଭାରତୀୟ ଟିମ୍ ନିଜମାଟିରେ ବାଂଲାଦେଶ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଛି। ଯୁବ କ୍ରିକେଟର ରିଙ୍କୁ ସିଂହ ଓ ନୀତୀଶ ରେଡ୍ଡିଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ଆଜି ବାଂଲାଦେଶକୁ ଶୋଚନୀୟ ଭାବେ ପରାସ୍ତ କରିଛି। ଏଥି ସହିତ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ୨-୦ରେ ଅକ୍ତିଆର କରିଛି। ଉଭୟ ଟିମ୍ ମଧ୍ୟରେ ଦ୍ବିତୀୟ ମୁକାବିଲା ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ବୁଧବାର ଖେଳାଯାଇଛି। ଏହି ମ୍ୟାଚ୍କୁ ଭାରତୀୟ ଟିମ୍ ୮୬ ରନ୍ରେ ଜିତିଛି। ଏହା ପୂର୍ବରୁ ଭାରତୀୟ ଟିମ୍ ଗ୍ବାଲିୟରରେ ୧୧.୫ ଓଭରରେ ବାଂଲାଦେଶକୁ ୭ ୱିକେଟ୍ରେ ପରାସ୍ତ କରିଥିଲା। ଶୃଙ୍ଖଳାର ଅନ୍ତିମ ମୁକାବିଲା ଆସନ୍ତା ୧୨ ତାରିଖରେ ହାଇଦ୍ରାବାଦ୍ରେ ଖେଳାଯିବ।
ଟସ୍ ଜିତି ବାଂଲାଦେଶ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳର ଭଲ ଆରମ୍ଭ ହୋଇ ନ ଥିଲା। ତସ୍କିନ୍ ଅହମ୍ମଦ ସଞ୍ଜୁ ସାମସନଙ୍କୁ ମାତ୍ର ୧୦ ରନ୍ ସ୍କୋରରେ ପାଭିଲିୟନ ଫେରାଇ ଦେଇଥିଲେ। ଏହା ପରେ ଅଭିଷେକ ଶର୍ମା ମଧ୍ୟ କିଛି ଶକ୍ତିଶାଳୀ ସଟ୍ ମାରିବା ପରେ ପାଭିଲିୟନ ଫେରିଥିଲେ। ସେ ୧୧ ବଲରେ ୧୫ ରନ୍ ସ୍କୋର କରିଥିଲେ।
ଉଭୟ ଓପନିଂ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେବା ପରେ ନୀତୀଶ ରେଡ୍ଡୀ କ୍ରିଜ୍କୁ ଆସିଥିଲେ। ନୀତୀଶ ପଡ଼ିଆରେ ପାଦ ଦେବା ମାତ୍ରେ ସେ ଚୌକା ଓ ଛକା ମାରିବା ଆରମ୍ଭ କରିଥିଲେ। ରିଶାଦ ହୁସେନ୍ଙ୍କ ବଲ୍କୁ ନୀତୀଶ କ୍ରମାଗତ ଦୁଇଟି ଛକା ମାରିଥିଲେ। ତୋଫାନୀ ବ୍ୟାଟିଂ କରି ନୀତୀଶ ମାତ୍ର ୨୭ବଲ୍ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।
ଇନିଂସର ୧୩ ତମ ଓଭରରେ ନୀତୀଶ ରେଡ୍ଡୀ ମେହେନ୍ଦି ହାସନ ମିରାଜଙ୍କ ବଲ୍ର କଡ଼ା ଜବାବ ଦେଇଥିଲେ। ନୀତୀଶ ଓଭରର ଦ୍ୱିତୀୟ ବଲ୍କୁ ସିଧାସଳଖ ସୀମା ପାର୍ କରିଥିଲେ। ଓଭରର ତୃତୀୟ ବଲ୍ରେ ମଧ୍ୟ ନୀତୀଶ ଚୌକା ସ୍କୋର କରିବାରେ ସଫଳ ହୋଇଥିଲେ। ଚତୁର୍ଥ ବଲରେ ୨ ରନ୍ ନେବା ପରେ ନୀତୀଶ ପଞ୍ଚମ ବଲ୍କୁ ଚୌକା ମାରିଥିଲେ। ନୀତୀଶ ଓଭରର ଶେଷ ବଲରେ ଛକା ମାରିବାରେ ସଫଳ ହୋଇଥିଲେ। ସେ ମେହେନ୍ଦୀ ହାସନଙ୍କ ଓଭରରୁ ୨୬ ରନ୍ ସଂଗ୍ରହ କରିଥିଲେ।
ନୀତୀଶ ରେଡ୍ଡୀ ୨୭ଟି ବଲରେ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ପୂରଣ କରି କ୍ରିକେଟର ସବୁଠାରୁ କମ୍ ଫର୍ମାଟରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିବା ଭାରତର ଚତୁର୍ଥ କନିଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ନୀତୀଶ ତାଙ୍କର ପ୍ରଥମ ପଚାଶ ରନ୍ ୨୧ ବର୍ଷ ୧୩୬ ଦିନରେ ପୂରଣ କରିଥିଲେ। ଟିମ୍ ଇଣ୍ଡିଆ ପାଇଁ ସର୍ବ କନିଷ୍ଠ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ରୋହିତ ଶର୍ମାଙ୍କ ନାମରେ ଅଛି, ଯିଏ ୨୦୦୭ ମସିହାରେ ୨୦ ବର୍ଷ ୧୪୩ ଦିନ ବୟସରେ ପଚାଶ ସ୍କୋର କରିଥିଲେ। ଭାରତ ପକ୍ଷରୁ ନୀତୀଶ ରେଡ୍ଡୀ ୭୪ ରନ୍ କରିଥିବାବେଳେ ରିଙ୍କୁ ସିଂ ୫୩ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୩୨ ରନ୍ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/LQ1KN6RfPOdnjxLnurel.jpeg)