ଭୁବନେଶ୍ବର: ଓଡ଼ିଶାର ଭିତ୍ତିଭୂମି ବକାଶରେ ଆଜି ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଛି। କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହି ପ୍ରକଳ୍ପଗୁଡ଼ିକ ଭେଟି ଦେଇଛନ୍ତି। ଏହା ଦ୍ବାରା ରାଜ୍ୟର ୧୯ଟି ରାସ୍ତାରେ ୪୦୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟୟରେ ୧୫୪ଟି ରାଜରାସ୍ତା, ବ୍ରିଜ ଓ ଫ୍ଲାଏଓଭର ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହା କହିଛନ୍ତି।
ରାଜ୍ୟରେ ୧୯ଟି ଜାତୀୟ ରାଜପଥ ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶା ପାଇଁ ଆଜି ଏକ ଐତିହାସିକ ଦିନ। ଓଡ଼ିଶାର ବିକାଶରେ ଆଜି ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ସବୁ ପ୍ରକଳ୍ପ କାମ ସଂପୂର୍ଣ୍ଣ ହେଲେ ରାଜ୍ୟରେ ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ। ଓଡ଼ିଶାର ବିକାଶକୁ ନୂଆ ବଳ ମିଳିବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ୨ଟି ଜାତୀୟ ରାଜପଥ ଲୋକାର୍ପଣ କରିଥିବା ବେଳେ ୧୭ଟି ଜାତୀୟ ରାଜପଥ ପାଇଁ ଶିଳାନ୍ୟାସ କରିଛନ୍ତି।
ରାଜ୍ୟ ସରକାର ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ସଫଳ ହୋଇଛନ୍ତି। ଦିଲ୍ଲୀ, ମୁମ୍ବାଇରେ ଆୟୋଜିତ ରୋଡ ସୋ’ରେ ପୁଞ୍ଜିନିବେଶ ଆସିଛି। ସିଙ୍ଗାପୁରରେ ମଧ୍ୟ ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି।
-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂତନ ଜାତୀୟ ରାଜପଥ ନିର୍ମାଣ ହେବା ଦ୍ବାରା ରାଜ୍ୟର ଗମନାଗମନ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବା ସହିତ ଯାତାୟତ ସୁବିଧା ହେବ। ଏଥି ସହିତ ରାଜ୍ୟର ଅର୍ଥନୀତିରେ ବିକାଶ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଡ଼କ ନିର୍ମାଣକୁ ଗୁରୁତ୍ବ ଦେଇଛନ୍ତି। ପୂର୍ବ ସରକାର ଦିନକୁ ୧୪କିମି ରାସ୍ତା ନିର୍ମାଣ କରୁଥିଲେ। ବିଜେପି ସରକାର ଆସିଲା ପରେ ଏହା ଦିନକୁ ୩୬ କିମି ନିର୍ମାଣ ହେଉଥିଲା। କିନ୍ତୁ ବତ୍ତର୍ମାନ ଦୈନିକ ୧୦୦କିମି ରାସ୍ତା ନିର୍ମାଣ ହେଉଛି। ଯାତାୟତର ସୁବ୍ୟବସ୍ଥା ହେଲେ ବିକାଶ ହୋଇଥାଏ।
CM Mohan Charan Majhi | Road