କୋରାପୁଟ: ଜାତୀୟ ରାଜପଥକଡ଼ରେ ଥିବା ଗୁରୁତ୍ବପୂର୍ଣ୍ଣ ଡାକ୍ତରଖାନା ଡୁମୁରୀପୁଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ଏହା ଫର୍ମାସିଷ୍ଟଙ୍କ ଭରସାରେ ଚାଲିଛି। ଶହେ ବର୍ଷର ଡାକ୍ତରଖାନା ହେଉଛି ପଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ଜାତୀୟ ରାଜପଥ କଡରେ ଥିବା ଏହି ଗୁରୁତ୍ବପୂର୍ଣ୍ଣ ଡାକ୍ତରଖାନାରେ କିନ୍ତୁ ଜଣେ ହେଲେ ବି ବିଶେଷଜ୍ଞ ଡାକ୍ତର ନାହାନ୍ତି। ମେଡିକାଲର ଭାରପ୍ରାପ୍ତ ଅଧିକାରୀଙ୍କୁ ମିଶାଇ ସମୁଦାୟ ଅଛନ୍ତି ୩ ଜଣ ଡାକ୍ତର। ଉପାେନ୍ତ ବନ୍ଧୁଗାଁ ଡାକ୍ତରଖାନାରେ ମଧ୍ୟ ସମାନ ସ୍ଥିତି। ଜୟପୁରରେ ଥିବା ଜିଲ୍ଲାସଦରମହକୁମା ଡାକ୍ତରଖାନା ଓ ଏସଏଲଏନ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅବସ୍ଥା ବି ସମାନ। ଏହା ଫଳରେ ରୋଗୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ମିଳୁନି। ଟିକିଏ ଟିକିଏ କଥାରେ ରୋଗୀଙ୍କୁ ରେଫର କରିବାକୁ ପଡୁଛି।
କୋରାପୁଟ ଜିଲ୍ଲାର ସ୍ବାସ୍ଥ୍ୟସେବାର ଏହା ହେଉଛି ଅସଲ ଚିତ୍ର। ଭିତ୍ତିଭୂମି ନାହିଁ କି ଡାକ୍ତର ନାହାନ୍ତି। ଫଳରେ ରୋଗୀ ମେଡିକାଲ ଆସି ହନ୍ତସନ୍ତ ହେଉଛନ୍ତି ସିନା ଭଲ ସେବା ଟିକିଏ ପାଇ ପାରୁ ନାିହାନ୍ତି। ସବୁଠାରୁ ବଡ ଚିନ୍ତାର ବିଷୟ ହେଲା ଜିଲ୍ଲାରେ ଏବେ ଅଧାରୁ ଅଧିକ ଡାକ୍ତର ପଦବି ଖାଲି। ଜିଲ୍ଲାରେ ମୋଟ ୫୬୫ଟି ଡାକ୍ତର ପଦବି ରହିଥିଲାବେଳେ ଅଛନ୍ତି ମାତ୍ର ୨୨୫ଜଣ। ପୁଣି ଏହା ଭିତରେ ଆଡହକ ଓ ଠିକା ଡାକ୍ତର କାମ କରୁଛନ୍ତି। ଖାଲି ପଡିଛି ୩୪୦ଟି ଡାକ୍ତର ପଦବି।
ସେହିପରି ଗର୍ଭବତୀ ମା’ମାନେ ରକ୍ତହୀନତାରେ ଶୀକାର ଅଧିକା। କିନ୍ତୁ ଏଭଳି ସ୍ଥିତିରେ ଡାକ୍ତର ଅଭାବ ଯୋଗୁଁ ଜିଲ୍ଲାରେ ଭଲ ସ୍ବାସ୍ଥ୍ୟସେବା ମିଳିପାରୁନି। ସରକାର ସ୍ବାସ୍ଥ୍ୟ ପରୀକ୍ଷାରୁ ରକ୍ତ ପରୀକ୍ଷା ଓ ଔଷଧ ପର୍ଯ୍ୟନ୍ତ ସବୁ କିଛି ମାଗଣାରେ ଯୋଗାଇ ଦେଲେ ବି ଡାକ୍ତର ନଥିବାରୁ ଏହା କେତେ ଦୁର କାର୍ଯ୍ୟକାରୀ ହେଉଛି ସହଜେ ଅନୁମେୟ। କରୁଛନ୍ତି। ଜିଲ୍ଲାର କୌଣସି ଗୋଟିଏ ହେଲେ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନାହାନ୍ତି। ଏପରିକି ଅଧିକାଂଶ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ହେଲେ ବିଶେଷଜ୍ଞ ନାହାନ୍ତି। ଜିଲ୍ଲାରେ ଥିବା ୧୬ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭିତରୁ କେବଳ ଲକ୍ଷ୍ମୀପୁର, ବୋରିଗୁମ୍ମା ଓ କୁନ୍ଦୁଲି ଡାକ୍ତରଖାନାରେ ଜଣେ ଲେଖାଏଁ ବିଶେଷଜ୍ଞ ଡାକ୍ତର ଅଛନ୍ତି। ନୂଆ ନିଯୁକ୍ତି ପାଇଥିବା କିଛି ଠିକା ଓ ଆଡହକ ଡାକ୍ତରଙ୍କୁ ନେଇ କାମ ଚଳାଇ ନିଆଯାଉଛି। ତେଣେ ରୋଗୀ ଉପଯୁକ୍ତ ସେବା ପାଉଛନ୍ତି କି ନ ପାଉ ତାହା ପ୍ରତି କାହାରି ନଜର ନାହିଁ।
ମିଳିଥିବା ସୂଚନା ଅନୁସାରେ, ଜାତୀୟ ରାଜପଥ କଡରେ ଥିବା ପଟାଙ୍ଗୀ, କୁନ୍ଦୁଲି, ସୁନାବେଡା, ଲକ୍ଷ୍ମୀପୁର, କାକିରିଗୁମ୍ମା, ପୋଡାଗଡ, ଦଶମନ୍ତପୁର କୋଟପାଡ, ବୋରିଗୁମ୍ମା ଆଦି ଗୁରୁତ୍ବପୂର୍ଣ୍ଣ ଡାକ୍ତରଖାନାଗୁଡିକରେ ଆବଶ୍ୟକ ଡାକ୍ତର ନ ଥିବାରୁ ଲୋକେ ନିତି ହନ୍ତସନ୍ତ ହେଉଛନ୍ତି। କିଏ କୋରାପୁଟ ଆସୁଛନ୍ତି ତ କେହି ହାତରୁ ଟଙ୍କା ଗଣି ବିଶାଖାପାଟଣା ଯାଉଛନ୍ତି। ବିଶାଖାପାଟଣା ଯାଇ ଠକାମିରେ ପଡ଼ୁଛନ୍ତି।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅତି କମ୍ରେ ୬ ଜଣ ଡାକ୍ତର ରହିବା ଆବଶ୍ୟକ। ୪ ଜଣ ବିଶେଷଜ୍ଞ ଡାକ୍ତରଙ୍କ ସମେତ ଜଣେ ଭାରପ୍ରାପ୍ତ ଅଧିକାରୀ ଓ ଜଣେ ଆସିଷ୍ଟାଣ୍ଡ ସର୍ଜନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହି ରୋଗୀସେବା କରିବା ପ୍ରାବଧାନ ରହିଛି। କିନ୍ତୁ ଜିଲ୍ଳାରେ ବିଶେଷଜ୍ଞ ଡାକ୍ତରଙ୍କ ଘୋର ଅଭାବ। ଏପରିକି ଆସିଷ୍ଟାଣ୍ଟ ସର୍ଜନ ମଧ୍ୟ ନାହାନ୍ତି। ତେଣୁ ସବୁ ଡାକ୍ତରଖାନାରେ ମଂଜୁରୀପ୍ରାପ୍ତ ପଦବୀ ପୂରଣ ହୋଇପାରୁନି। ଏପରିକି ବହୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବିନା ଡାକ୍ତରରେ ଚାଲିଛି। ଏପଟେ ବିଶେଷଜ୍ଞ ନ ଥିବାରୁ ଉପଯୁକ୍ତ ସେବା ମିଳୁନି। ଏଥିନେଇ ଜିଲ୍ଲାପରିଷଦ , ଦିଶା ଓ ଅକ୍ଷାଂକା ଜିଲ୍ଲା ନୋଡାଲ ଅଧିକାରୀଙ୍କ ବୈଠକରେ ବି ଉଦବେଗ ପ୍ରକାଶ ପାଇଥିଲା। ତେବେ ଏହି ସ୍ଥିତି ନୂଆ ଡବଲ ଇଂଜିନ ସରକାରରେ କିଛି ସୁଧାର ଆସିବ ବୋଲି ଆଶାବାନ୍ଧିଛନ୍ତି ଜିଲ୍ଲାବାସୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/MmzZHp34NLKrSO54vvW4.jpg)