ରାଉରକେଲା: ଓଡ଼ିଶାର ଶିଳ୍ପ କେନ୍ଦ୍ର ତଥା ପ୍ରମୁଖ ରାଜସ୍ୱ ଯୋଗଦାନକାରୀ ସହର ହେଉଛି ରାଉରକେଲା। ସହରରର ଜନସଂଖ୍ୟା (ଉଭୟ ମହାନଗର ନିଗମ ଓ ଇସ୍ପାତ ସହରାଞ୍ଚଳ) ପ୍ରାୟ ୯ ଲକ୍ଷ ଟପିଲାଣି। ଏହାସତ୍ତ୍ବେ ଏଠାରେ ଡାକ୍ତରୀ ଶିକ୍ଷା ଓ ଚିକିତ୍ସା ବ୍ୟବସ୍ଥାରେ ବିରାଟ ଶୂନ୍ୟସ୍ଥାନ ପରିଲକ୍ଷିତ ହୁଏ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ନୂତନ ମେଡିକାଲ କଲେଜ ଓ ହସପିଟାଲ ସ୍ଥାପନ କରାଯାଉନି। କିନ୍ତୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ଓ ଅପୂର୍ଣ୍ଣ ପ୍ରତିଶ୍ରୁତିର ଶିକାର ହୋଇଚାଲିଛି ରାଉରକେଲା। ଏଠାରେ ନୂତନ ମେଡିକାଲ କଲେଜ ଓ ହସପିଟାଲ ଅନିବାର୍ଯ୍ୟ ହେଲାଣି, କିନ୍ତୁ ରାଉରକେଲା ପ୍ରତି କ୍ରମାଗତ ଅବହେଳା ବଳବତ୍ତର ରହିଛି।ରାଉରକେଲାର ନ୍ୟାଯ୍ୟ ଦାବିକୁ ଅଣଦେଖାକରି ଅନ୍ୟ ଜିଲ୍ଲାକୁ ପ୍ରାଥମିକତା ଦିଆଯାଉଛି। ଫଳରେ ଉନ୍ନତମାନର ସ୍ବାସ୍ଥ୍ୟସେବାରୁ ବଞ୍ଚିତ ରାଉରକେଲାବାସୀ ୪ ଶହ କିଲୋମିଟର ଦୂରକୁ ଯିବାକୁ ବାଧ୍ୟ ହେଉଛନ୍ତି।
କଥା ରଖିଲେନି ପ୍ରଧାନମନ୍ତ୍ରୀ
୨୦୧୫ ଏପ୍ରିଲ ୧ ତାରିଖ। ଉକ୍ତ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମଥର ପାଇଁ ରାଉରକେଲା ଗସ୍ତରେ ଆସିଥିବା ସମୟରେ ସେଲ୍ ପରିଚାଳିତ ଇସ୍ପାତ ଜେନେରାଲ୍ ହସ୍ପିଟାଲ (ଆଇଜିଏଚ୍) କୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ମେଡିକାଲ୍ କଲେଜରେ ଉନ୍ନୀତ କରାଯିବାନେଇ ଘୋଷଣା କରିଥିଲେ। ପରେ ଆଇଜିଏଚ୍ ନିକଟରେ ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ଏନ୍ବିସିସି ଦ୍ବାରା ପ୍ରାୟ ୨୯୪.୮୨ କୋଟି ବିନିଯୋଗରେ ନୂତନ ହସପିଟାଲ ବିଲ୍ଡିଂ ନିର୍ମାଣ କରାଯାଇଥିଲା। ଏହାକୁ ୨୦୨୧ ମାର୍ଚ୍ଚ ୨୧ ତାରିଖରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍ଘାଟନ କରିଥିଲେ। ତେବେ ୨୦୨୨ ଡିସେମ୍ବର ମାସରେ ଏହି ସୁପର ସ୍ପେଶାଲିଟି ହସ୍ପିଟାଲର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ବେସରକାରୀ ସଂସ୍ଥା ଆପୋଲୋ ହସପିଟାଲକୁ ଦିଆଯାଇଥିଲା। ୨୦୨୩ ମାର୍ଚ୍ଚ ୧ ତାରିଖରୁ ଆପୋଲୋ ହସ୍ପିଟାଲ୍ସ ନିଜ ଅଧୀନକୁ ନେବାସହ ୨୦୨୩ ଅକ୍ଟୋବର ୧୮ ତାରିଖରୁ ଏହି ମଲ୍ଟି-ସ୍ପେଶାଲିଟି ହସ୍ପିଟାଲ୍ ଆନୁଷ୍ଠାନିକଭାବେ ଆରମ୍ଭ ହୋଇଥିଲା। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ମୂଳ ଘୋଷଣାର ଏକ ପ୍ରମୁଖ ଦିଗ ଥିଲା ପୋଷ୍ଟ-ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ସହ ଏକ ମେଡିକାଲ୍ କଲେଜ। ବେସରକାରୀ ସଂସ୍ଥାଦ୍ବାରା ହେଉପଛେ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେଲା ସତ; କିନ୍ତୁ ମେଡିକାଲ କଲେଜ କଥା ଭୁଲିଯାଇଛନ୍ତି।
ଇଏସ୍ଆଇସି ମେଡିକାଲ କଲେଜ
୨୦୦୯ ମସିହାରୁ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ପକ୍ଷରୁ ମେଡିକାଲ କଲେଜ ଓ ହସପିଟାଲ ପାଇଁ ଦାବି ହେଉଥିଲେ ସୁଦ୍ଧା ଏଥିପ୍ରତି ଦୃଷ୍ଟି ଦେଉନି କେନ୍ଦ୍ର ଶ୍ରମ ଓ କର୍ମ ନିୟୋଜନ ମନ୍ତ୍ରାଳୟ। ଏହି ପ୍ରକଳ୍ପ ପାଇଁ ୨୦୧୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଆରମୁଣ୍ଡା ଡାଏରୀ ଫାର୍ମ ନିକଟରେ ପ୍ରାୟ ୨୫ ଏକର ପରିମିତ ଅଞ୍ଚଳରେ ଇଏସ୍ଆଇସି ମେଡିକାଲ କଲେଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତେବେ ରାଉରକେଲାରେ ଏହି ପ୍ରକଳ୍ପ ସ୍ଥାପନ କରିବା ପରିବର୍ତ୍ତେ ଭୁବନେଶ୍ବରରେ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରି ଉପେକ୍ଷା କରାଯାଇଥିଲା। ପରବର୍ତ୍ତୀ ସମୟରେ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ଡାକ୍ତରୀ ଶିକ୍ଷାରୁ ଓହରିଯିବା ପାଇଁ ନୀତିଗତ ପରିବର୍ତ୍ତନ ପରେ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିଲା।
ଶ୍ରମଜୀବୀଙ୍କୁ ଠକୁଛି ଶ୍ରମ ମନ୍ତ୍ରାଳୟ
କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଚଳିତ ୨୦୨୬-୨୭ ଆର୍ଥିକ ବର୍ଷରେ ଦେଶରେ ୫୦ ଶଯ୍ୟା ବିଶିଷ୍ଟ ୧୦ଟି ନୂଆ ମେଡିକାଲ କଲେଜ ସ୍ଥାପନ କରାଯିବ। ଏନେଇ ଗତ ୧୪ ତାରିଖରେ ଆନୁଷ୍ଠାନିକଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଭୁବନେଶ୍ବରକୁ ଅଗ୍ରାଧିକାର ଦେଇ ରାଉରକେଲାକୁ ଅଣଦେଖା କରାଯାଇଛି। ପ୍ରକୃତରେ ଏନେଇ ନିଷ୍ପତ୍ତି ଢେର୍ ପୂର୍ବରୁ ନିଆଯାଇଥିଲା। ଗତ ଜୁନ ୨୭ ମାସରେ ଅନୁଷ୍ଠିତ ୧୯୬ତମ ଇଏସ୍ଆଇସି ବୈଠକରେ ଭୁବନେଶ୍ବର ସମେତ ୧୦ଟି ସ୍ଥାନକୁ ସ୍ଥିର କରାଯାଇଥିଲା। ଏହାଦ୍ବାରା ଜିଲ୍ଲାର ପ୍ରାୟ ୨ ଲକ୍ଷ ବୀମାଧାରୀ ପୁଣିଥରେ ଉପେକ୍ଷିତ ହୋଇଛନ୍ତି।
ଆହୁରି ପଢ଼ନ୍ତୁ: Plane Crash: ରାଉରକେଲା ବିମାନ ଦୁର୍ଘଟଣା: ମୁମ୍ବାଇ ସ୍ଥାନାନ୍ତର ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ
ଦୃଷ୍ଟି ଆଢୁଆଳରେ ପ୍ରସ୍ତାବ ଏକାଧିକ
ସ୍ମାର୍ଟ ସିଟି ରାଉରକେଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ଅପରିହାର୍ଯ୍ୟ ହେଲାଣି। ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ପକ୍ଷରୁ ମେଡିକାଲ କଲେଜ ସ୍ଥାପନ କରାଯାଇପାରିବ। ଆଇଆଇଟି ଖଡ଼ଗପୁର ମଡେଲ ଅନୁସରଣକରି ଏଠାରେ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନକରି ଚିକିତ୍ସା ଗବେଷଣା ଓ ବିକାଶକୁ ପ୍ରୋତ୍ସାହିତ କରାଯାଇପାରିବ। ସେହିଭଳି ରେଳବାଇ ପକ୍ଷରୁ ବନ୍ଧମୁଣ୍ଡା ହସ୍ପିଟାଲ ଅପଗ୍ରେଡେସନ୍ ମଧ୍ୟ ପରିକଳ୍ପନା କରାଯାଇପାରେ।ରେଳବାଇର ଦେଶବ୍ୟାପୀ ଉନ୍ନତିକରଣର ଅଂଶଭାବେ ପ୍ରକଳ୍ପ ହାତକୁନେଲେ ଅଞ୍ଚାବାସୀ ବହୁମାତ୍ରାରେ ଉପକୃତ ହେବେ। ଏତଦ୍ବ୍ୟତୀତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠିରୁ ମେଡିକାଲ କଲେଜ ସ୍ଥାପନ କରିବାକୁ ମତ ପାଉଛି।
ସଙ୍କଟରେ ଆର୍ଜିଏଚ୍ର ଭବିଷ୍ୟତ
ସହରର ଗରିବ ଖଟିଖିଆଙ୍କ ଏକମାତ୍ର ଭରସା ପାଲଟିଛି ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)। ଦୈନିକ ପାଖାପାଖି ୨ ହଜାର ରୋଗୀ ଆସୁଛନ୍ତି। ଏଠାକାର ଶଯ୍ୟାସଂଖ୍ୟା ୩୭୬ରେ ସୀମିତ ଥିବାରୁ ରୋଗୀ ବାରଣ୍ଡାରେ ଶୋଉଥିବା ଦେଖିବାକୁ ମିଳୁଛି। ଏଠାରେ ଚିକିତ୍ସା ଉପକରଣର ମଧ୍ୟ ଘୋର୍ ଅଭାବ। ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଯାଏ, ବିଗତ ଦିନରେ ଏକାଧିକବାର ଶଯ୍ୟା ବୃଦ୍ଧି ପାଇଁ ଘୋଷଣା କରାଯାଇଥିଲା, କିନ୍ତୁ ଏଯାବତ୍ ସମ୍ଭବ ହେଲାନି। ଗତ ୨୦୨୪ ମାର୍ଚ୍ଚ ୨ ତାରିଖରେ ପ୍ରାୟ ୬୬୦ କୋଟି ବିନିଯୋଗରେ ଆର୍ଜିଏଚ୍ର ନବୀକରଣ ଓ ସମ୍ପ୍ରସାରଣ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ତେବେ ଜମି ଅଭାବ ଯୋଗୁ ଏହି ପ୍ରକଳ୍ପ ମଧ୍ୟ ଆଗେଇପାରୁନି।
ନିର୍ମାଣ ହେଲାଣି ୧୬, ରାଉରକେଲା ଭାଗ ଶୂନ
ଗତ ୧୦ ବର୍ଷ (୨୦୧୬-୨୦୨୬) ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୨ଟି ନୂଆ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି। ସେଗୁଡ଼ିକ ହେଲା, ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲ (ତାଳଚେର), ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ (ଫୁଲବାଣୀ), ମହାରାଜା ଯଜାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ (ଯାଜପୁର), ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ (ଭବାନୀପାଟଣା), ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ (କେନ୍ଦୁଝର), ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ (ସୁନ୍ଦରଗଡ଼), ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ (ପୁରୀ), ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ (ବଲାଙ୍ଗୀର), ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ (ବାଲେଶ୍ବର), ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ (କୋରାପୁଟ) ଏବଂ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ (ବାରିପଦା)। ଏବେ ରାଜ୍ୟ ସରକାର ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଓ ନବରଙ୍ଗପୁରରେ ଆଉ ୪ଟି ନୂତନ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି। ବିଡ଼ମ୍ବନା ରାଉରକେଲା ଭାଗରେ ଗୋଟିଏ ପଡ଼ିଲାନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/18/untitled-2026-01-18-08-24-39.png)