ନବରଙ୍ଗପୁର: ଗତ ୧୨ବର୍ଷ ହେବ ନବରଙ୍ଗପୁର ପୌରପାଳିକାରେ ନାହାନ୍ତି ନିୟମିତ ସ୍ବାସ୍ଥ୍ୟ ଅଧିକାରୀ। ପୌରପାଳିକାରେ ୧୭ଟି ୱାର୍ଡ, ୨୮ଟି ବସ୍ତି ୮୦ରୁ ଊର୍ଦ୍ଧ୍ବ ଗଳି ରହିଛି। ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ତା ସାଙ୍ଗକୁ ନୂଆ ନୂଆ କଲୋନି ଓ ନୂଆ ଘରବି ବୃଦ୍ଧି ପାଇବାରେ ଲାଗିଛି। ଏହାସାଙ୍ଗକୁ ଶହ ଶହ ଉଠା ଦୋକାନ, ହୋଟେଲ, ଜଳଖିଆ ଦୋକାନ, ସହରରେ ଶତାଧିକ ମାଛ, ଛେଳି ଓ କୁକୁଡା ମାଂସର ଦୋକାନ ସଂଖ୍ୟାରେ ବି ବୃଦ୍ଧି ପାଇଛି। ଏତେ ବଡ଼ ସହରର ପରିମଳ, ପରିଚ୍ଛନ୍ନତା, ସଫେଇ, ସ୍ବେରେଜ ବ୍ୟବସ୍ଥା ସହ ଉପରୋକ୍ତ ଦୋକାନ, ହୋଟେଲ ଓ ଅମିଷ ବଜାର, ପନିପରିବା ବଜାରର ସଂପୂର୍ଣ୍ଣ ଯାଂଚ ଓ ତଦାରଖର ଦାୟିତ୍ବ ପୌର ସ୍ବାସ୍ଥ୍ୟ ଅଧିକାରୀଙ୍କର। ସ୍ଥାୟୀ ସ୍ବାସ୍ଥ୍ୟ ଅଧିକାରୀ ନଥିବାରୁ ସହରର ନାଳନର୍ଦ୍ଧମା ସଫେଇ ଠାରୁ ଆରମ୍ଭ କରି ପରିମଳ ପରିଚ୍ଛନ୍ନତା, ମ୍ୟାଲେରିଆ, ଡେଙ୍ଗୁ ଆଦିର ସଚେତନତା ସୃଷ୍ଟି ଆଦିରେ ବାଧା ଉପୁଜିବା ସହ ଏହାକୁ ପ୍ରମୁଖତାର ସହ ତଦାରଖ କରିବା ଡାକ୍ତର ନଥିବାରୁ ନିର୍ବାହୀ ଅଧିକାରୀଙ୍କ ଉପରେ ଅଧିକା ଭାର ପଡୁଛି।
ଗତ ୨୦୧୩ମସିହା ପର ଠାରୁ ଆଉ ନିୟମିତ ପୌରସ୍ବାସ୍ଥ୍ୟ ଅଧିକାରୀଙ୍କୁ ସରକାର ନିଯୁକ୍ତି ଦେଇ ନାହାନ୍ତି। ଗତ ୧୨ବର୍ଷ ହେବ ଏହି ପଦବୀରେ କେହି ସ୍ଥାୟୀ ଅଧିକାରୀ ନାହାନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ଡାକ୍ତରମାନଙ୍କୁ ଏଠାକାର କାମ ଅତିରିକ୍ତ ଭାବେ ଦିଆଯାଉଛି। ସହରର ବିଭିନ୍ନ ଛକ ବଜାରରେ ମନଇଛା ଆମିଷ ଦୋକାନ ଓ ଜଳଖିଆ ଦୋକାନ ଖୋଲିଛି। ଏଥିରେ ବିକ୍ରୀ କରାଯାଉଥିବା ଖାଦ୍ୟକୁ ଯାଂଚ କରିବ କିଏ ବୋଲି ପ୍ରଶ୍ନ ଉଠିଛି। ନାଳ ପାର୍ଶ୍ବରେ ବହୁ ଆମିଷ ଦୋକାନ ସହ ଉଠା ଜଳଖିଆ ଦୋକାନ ଖୋଲିଛି। ପରିମଳ ପରିଚ୍ଛନ୍ନତାକୁ ଏହି ଉଠା ଦୋକାନୀ ମାନେ ଗୁରୁତ୍ବ ଦେଉନାହାନ୍ତି।
ଗତ କିଛି ଦିନ ତଳେ ରାଜ୍ୟସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲାସ୍ବାସ୍ଥ୍ୟ ବିଭାଗର ଖାଦ୍ୟ ସୁରକ୍ଷା ଅଧିକାରୀ କିଛି ବଡ ହୋଟେଲକୁ ଯାଂଚ କରି ଗୋଟିଏ ହୋଟେଲକୁ ସିଲ୍ କରି ବାକିକୁ ଛାଡ଼ି ଦେଇଛନ୍ତି। ଉଠା ଦୋକାନର ଯାଂଚ ତାଙ୍କର ଦାୟିତ୍ବ ନାହିଁ ବୋଲି କହିଛନ୍ତି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ।
ଅପରପକ୍ଷରେ ନାଳ ଉପରେ, ପାର୍ଶ୍ବ ଏବଂ ରାସ୍ତା କଡ଼ରେ ଆମିଷ ଦୋକାନ ଯଥା ଛେଳି , କୁକୁଡା, ମାଛ ଆଦି ବିକ୍ରୀ କରାଯାଉଛି। ନାଳର ମଶାମାଛି ଏସବୁ ଉପରେ ଆସି ବସୁଛନ୍ତି। ଏହା ସହ ରାସ୍ତାରେ ଯାନବାହାନ ଯାତାୟତ କରିବା ସମୟରେ ସବୁ ମଇଳା ଉଡି ଏସବୁ ଉପରେ ପଡ଼ୁଛି। ସହରର ପରିମଳ ବ୍ୟବସ୍ଥା କୁ ସୁଚାରୁରୂପେ ପରିଚାଳନା ପାଇଁ ବେସରକାରୀ ସଂସ୍ଥାକୁ ସଫେଇ ଦାୟିତ୍ୱ ଦିଆଯାଇଛି। ତେବେ ଉକ୍ତ ସଂସ୍ଥାର କାମର ତଦାରଖ ଦାୟିତ୍ବ ବି ପୌର ସ୍ବାସ୍ଥ୍ୟ ଅଧିକାରୀଙ୍କର। ଦକ୍ଷିଣ ଓଡ଼ିଶାର ଗୁରୁତ୍ବପୁର୍ଣ୍ଣ ତଥା ପ୍ରମୁଖ ପୌରପାଳିକା ନବରଙ୍ଗପୁର ହୋଇଥିବାରୁ ତୁରନ୍ତ ସ୍ଥାୟୀ ତଥା ନିୟମିତ ସ୍ବାସ୍ଥ୍ୟ ଅଧିକାରୀଙ୍କ ନିଯୁକ୍ତି ଦେବାକୁ ଦାବି ହୋଇଛି।
Nabarangpur | Health