ନବରଙ୍ଗପୁର: ଜିଲ୍ଲାର ୧୦ଟି ବ୍ଲକ ଓ ୨ଟି ପୌରାଂଚଳରେ ୧୦୨୬ ସ୍କୁଲର ନିଜସ୍ବ ଜମିପଟ୍ଟା ନାହିଁ। କେଉଁଠି ବେସରକାରୀ ଜମିରେ କୋଠା ଠିଆ ହୋଇଛି ତ ଆଉ କେଉଁଠି ଜଙ୍ଗଲ ଜମି ଓ ବିଭିନ୍ନ କିସମର ସରକାରୀ ଜମିରେ ରହିଛି ସ୍କୁଲ। ସ୍କୁଲ ପ୍ରତିଷ୍ଠା ସମୟରେ ଜେଜେ ବାପା ଦାନ କରିଥିବା ଜମି ଏବେ ନାତି ଓ ପଣନାତି ଫେରାଇ ନେବାକୁ ଦାବି କରି ଜବରଦଖଲ କରୁଛନ୍ତି। ଏଥିପାଇଁ ଜିଲ୍ଲାର ଅଧିକାଂଶ ସ୍କୁଲରେ ଖେଳପଡ଼ିଆ ନଥିବା ବେଳେ ଉନ୍ନୀତ ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ପାଇଁ ମଧ୍ୟ ଜାଗାର ଅଭାବ ଦେଖାଦେଇଛି।

Advertisment

ଜିଲ୍ଲାରେ ସରକାରୀ ଓ ବେସରକାରୀ ଭାବେ ମୋଟ ୧୮୭୨ ସ୍କୁଲ ରହିଛି। ସେଥିମଧ୍ୟରୁ ୮୪୬ ସ୍କୁଲର ନିଜସ୍ବ ଜମିପଟ୍ଟା ରହିଛି। ବଳକା ୧୦୨୬ଟିର ନିଜସ୍ବ ଜମିପଟ୍ଟା ନାହିଁ । ଜିଲ୍ଲାର ୧୮୪୭ଟି ସରକାରୀ ସ୍କୁଲ ମଧ୍ୟରୁ ୯୭୯ ବିଦ୍ୟାଳୟ ଜମି ପଟ୍ଟା ପାଇଁ ଆବେଦନ କରି ଥିଲେ। ଆବେଦନ କରିଥିବା ଏସବୁ ସ୍କୁଲ ମଧ୍ୟରୁ ୮୪୬ଟି ସ୍କୁଲକୁ ଆଓଆର ମିଳିଛି। ଜିଲ୍ଲାର ୧୦ଟି ବ୍ଳକ ମଧ୍ୟରେ ନନ୍ଦାହାଣ୍ଡି

ବ୍ଳକର ସମସ୍ତ ୮୧ଟି ସ୍କୁଲର ନିଜସ୍ବ ଜମି ପଟ୍ଟା ରହିଛି। ବଳକା ୯ଟି ବ୍ଳକର ଅଧିକାଂଶ ସ୍କୁଲର ଜମିପଟ୍ଟା ନାହିଁ । ରାଇଘରରେ ସର୍ବାଧିକ ୩୦୯ ସ୍କୁଲରୁ ୨୩୭ର ନିଜସ୍ବ ଜମିପଟ୍ଟା ନାହିଁ। ଚନ୍ଦାହାଣ୍ଡି ବ୍ଲକରେ ୧୨୪ଟି ସ୍କୁଲରୁ ୭୭ ସ୍କୁଲର ପଟ୍ଟା ନାହିଁ। ଡାବୁଗାଁର ୧୧୧ରୁ ୮୪, ଝରିଗାଁର ୨୪୦ରୁ ୧୫୪, କୋଷାଗୁମଡାର ୨୩୧ରୁ ୩୯, ନବରଙ୍ଗପୁରର ୧୩୨ରୁ ୭୪, ପାପଡ଼ାହାଣ୍ଡିର ୨୨୫ରୁ ୧୦୫, ତେନ୍ତୁଳିଖୁଣ୍ଟିର ୧୩୧ରୁ ୪୧ ଓ  ଉମରକୋଟର ୨୮୩ ସ୍କୁଲ ମଧ୍ୟରୁ ୨୧୫ର ନିଜସ୍ବ ପଟ୍ଟା ନାହିଁ।

ଏନେଇ ଜିଲ୍ଲାଶିକ୍ଷାଧିକାରୀ ଛତ୍ରପତି ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଦୀର୍ଘ ବର୍ଷ ତଳେ ବିନା ଜମି ପଟ୍ଟାରେ ସ୍କୁଲ କୋଠାଗୁଡ଼ିକ ନିର୍ମାଣ ହୋଇଥିଲା। ଶେଷକରି ବେସରକାରୀ ଜମି, ଜଙ୍ଗଲ ଜମିରେ ଜିଲ୍ଲାର ଅନେକାଂଶ ସ୍କୁଲ ରହିଥିବାରୁ ଜମି ପଟ୍ଟା ପ୍ରକ୍ରିୟା ଲାଗି ଅଧିକ ସମୟ ଲାଗୁଛି। ଯଦି ଆଦିବାସୀଙ୍କ ଜମିରେ ସ୍କୁଲ ରହିଛି ତେବେ ପଟ୍ଟା ହେବା ନେଇ ଅଧିକ ସମସ୍ୟା ଦେଖାଯାଉଛି। ତଥାପି ସ୍କୁଲଗୁଡ଼ିକର ନିଜସ୍ବ ଜମି ପଟ୍ଟା ପାଇଁ ପ୍ରକ୍ରିୟା ତ୍ବରାନ୍ବିତ କରାଯାଇଥିବା ଶ୍ରୀ ସାହୁ କହିଛନ୍ତି।

ନୂଆ ସରକାର ଆସିବା ପରେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଏଭଳି ସ୍କୁଲଗୁଡିକୁ ଯୁଦ୍ଧକାଳିନ ଭିଭିରେ ଜମିପଟ୍ଟା ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଧିକାଂଶ ସ୍କୁଲ ଜମିପଟ୍ଟା ପାଇଁ ଆବେଦନ କରି ନଥିବା ବେଳେ ଯେଉଁମାନେ ଆବେଦନ କରିଥିଲେ ତାହା ମଧ୍ୟ ତହସିଲଦାର ଓ କେତେକ ସ୍ଥାନରେ ବନବିଭାଗ ନିକଟରେ ପ୍ରକ୍ରିୟା ଅଟକି ରହିଥିଲା। ଗତ ଅଗଷ୍ଠ ୨୪ତାରିଖ ପାପାଡାହାଣ୍ଡି ଗୁଳିକାଣ୍ଡ ଦିବସ ଦିନ ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ ଘୋଷଣା କରିଥିଲେ। ଯେଉଁ ସ୍କୁଲର ନିଜସ୍ବ ଜମି ପଟ୍ଟା (ମାଲିକାନାସତ୍ତ୍ବ) ଆରଓଆର ନାହିଁ ସେଠାକୁ ନିଜେ ତହସିଲଦାର ଯାଇ ନିଜ ଆଡରୁ ଆବେଦନପତ୍ର ନେବା ସହ  ଜମି ପଟ୍ଟା ପ୍ରଦାନ କରିବେ। ସମସ୍ତ ଜମି ସମସ୍ୟାର ସମାଧାନ ଜିଲ୍ଲାପ୍ରଶାସନ କରିବ। ପୂର୍ବ ଆବେଦନକୁ ବି ତ୍ବାରାନ୍ବୀତ କରିବେ।

Nabarangpur