ଦେବଗଡ଼ (ଶକ୍ତି ସୌରଭ ନନ୍ଦ): ସ୍ବାଧୀନତାର ୭ ଦଶନ୍ଧି ପରେ ବି ଦେବଗଡ଼ ଜିଲ୍ଲାରେ ଏପରି କିଛି ଗ୍ରାମ ଅଛି ଲୋକଙ୍କ ପାଇଁ ବିଦ୍ୟୁତ ସେବା ଅପହଂଚ ହୋଇପଡିଛି। ଅନ୍ୟପଟେ ରାଜସ୍ବ ଗ୍ରାମର ମାନ୍ୟତା ପାଇଥିବାବେଳେ ୧୦ଟି ଗ୍ରାମବାସୀଙ୍କ ପାଇଁ ବିଦ୍ୟୁତ ସେବା ସାତ ସପନ ପାଲଟିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନହିତକର ଯୋଜନା ପାହାଡ ଉପରେ ଥିବା ଗ୍ରାମଗୁଡିକ ନିକଟରେ ପଂହଚି ପାରୁନି। ସମସ୍ତ ବ୍ୟବସ୍ଥା ଅଛି। କିନ୍ତୁ ତାର ସଠିକ ସୁଫଳ ଲୋକମାନେ ପାଇପାରୁ ନାହାନ୍ତି।
ଦୁର୍ଗମ ଅଂଚଳରେ କାମ କରୁନି ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ସୋଲାର ଲାଇଟ। ବର୍ଷବର୍ଷ ହେଲାଣି ଅନ୍ଧକାର ଭିତରେ ଦିନ କାଟୁଛନ୍ତି ଗ୍ରାମବାସୀ।ସନ୍ଧ୍ୟା ହେଲା ମାତ୍ରେ ଅନ୍ଧାରରେ ବୁଡୁଛି ଗାଁ। ଅନ୍ୟପଟେ ଉକ୍ତ ଗ୍ରାମ ଗୁଡ଼ିକରେ ନାହିଁ ପିଇବା ପାଣିର ବ୍ୟବସ୍ଥା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତିଲେଇବଣି ବ୍ଲକର ଉପାନ୍ତ ଅଂଚଳରେ ବସବାସ କରୁଥିବା ସଡୋ ପଂଚାୟତର ଅଗେର୍ନ,ଭୂତେଲ ଏବଂ କଂସର ପଂଚାୟତର ଭଙ୍ଗାମୁଣ୍ଡା, ବାଲିଆମ, ଖଜୁରୀଖମଣ(ଟାମ୍ଫର), ବିରିଆମ, ହିରନ, ଜଗଦଲା, ତେଲଭାଙ୍ଗୁଣି ଓ ଲଇଣ୍ଡା।
ଏହି ଗ୍ରାମ ଗୁଡ଼ିକ ପାହାଡ଼ ଉପରେ ଅବସ୍ଥିତ ଥିବାରୁ ଏ ଯାଏଁ ଗାଁକୁ ପହଞ୍ଚି ପାରିନି ବିଦ୍ୟୁତ ସେବା। ସେହି ଦୃଷ୍ଟିରୁ ଗ୍ରାମବାସୀଙ୍କୁ ବିକଳ୍ପ ବିଦ୍ୟୁତ ସେବା ଯୋଗାଇ ଦେବା ଲକ୍ଷ୍ୟରେ ୨୦୧୫-୧୬ରେ ସରକାରଙ୍କ ପକ୍ଷରୁ ଓରେଡା ବିଭାଗ ପକ୍ଷରୁ ସୌଭାଗ୍ୟ ଯୋଜନା ମାଧ୍ୟମରେ ଗ୍ରାମକୁ ସୋଲାର ଲାଇଟ ପ୍ରଦାନ କରାଯାଇଥିଲା। ପ୍ରତି ପରିବାରକୁ ଯୋଗାଇ ଦିଆଯାଇଥିଲା ସୋଲାର ଲାଇଟ। କିନ୍ତୁ କିଛି ବର୍ଷ ଚାଲିବା ପରେ ଉକ୍ତ ସୋଲାର ଲାଇଟ ଗୁଡ଼ିକ ବର୍ତ୍ତମାନ ଅଚଳ ହୋଇ ପଡିରହିଛି।
ଅନ୍ୟପଟେ ରକ୍ଷଣାବେକ୍ଷଣ ଅଭାବରୁ ସମସ୍ତ ଉପକରଣ ପରିତ୍ୟକ୍ତ ଭାବେ ପଡିରହି ମାଟିରେ ମିଶିଗଲାଣି। ସମ୍ପୃକ୍ତ ସଂସ୍ଥା ସୋଲାର ଲାଇଟ ଲଗାଇ ଦାୟିତ୍ୱ ସମ୍ପାଦନ କରିଦେଇ ଏହାର ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟକୁ ଯେପରି ସମ୍ପୂର୍ଣ୍ଣ ରୂପେ ଭୁଲି ଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଗ୍ରାମକୁ ସୋଲାର ଲାଇଟ ବଦଳରେ ବିଦ୍ୟୁତ ସଂଯୋଗ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।
ଏନେଇ ଉକ୍ତ ଗ୍ରାମବାସୀମାନେ ଗ୍ରାମରେ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ଓ ଟିପିଡବ୍ଲୁଓଡିଏଲ ବିଭାଗରେ ଦାବି କରିଥିଲେ। କିନ୍ତୁ ଟିପିଡବ୍ଲୁଓଡିଏଲ ବିଭାଗ ପକ୍ଷରୁ ଉକ୍ତ ଗ୍ରାମ ଗୁଡିକରେ ବିଦ୍ୟୁତ ଯୋଗାଣ ପାଇଁ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଛି। ପ୍ରସ୍ତାବ ଅନୁମୋଦନ ହେଲେ ଉକ୍ତ ଗ୍ରାମ ଗୁଡିକରେ ବିଦ୍ୟୁତ ସେବାର ସୁବିଧା କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଦିଗରେ ନିର୍ବାଚିତ ଜନପ୍ରତିନିଧି, ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଠି ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/03/deogarh-2025-09-03-21-35-42.jpg)
