ଭୁବନେଶ୍ବର: ପେଟ୍ରୋଲ ପମ୍ପରେ ଆଉ ବୋଲତରେ ପେଟ୍ରୋଲ ମିଳିବ ନାହିଁ। ପେଟ୍ରୋଲ ଆଣିବାକୁ ହେଲେ ସାଥୀରେ ଗାଡ଼ି ନେଇକି ଯିବାକୁ ପଡ଼ିବ। ଆସନ୍ତାକାଲି (ସୋମବାର) ଠାରୁ ଏହି ନିୟମକୁ କଡ଼ାକଡ଼ି କରିଦିଆଯିବ। ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖ ଦିନ ଜଣେ ଛାତ୍ରୀ ଆତ୍ମାହୁତି ଦେବା ଘଟଣାକୁ ନେଇ ପେଟ୍ରୋଲ ଡିଲର ସଂଘ ଲୋକଙ୍କୁ ଆଉ ବୋତଲରେ ପେଟ୍ରୋଲ ନଦେବାକୁ ନିଷ୍ପତ୍ତି ନେଇଛି। ସଂଘର ନିଷ୍ପତ୍ତି ଅନୁସାରେ ଆସନ୍ତାକାଲି ଠାରୁ ବୋତଲରେ ଆଉ ପେଟ୍ରୋଲ ମିଳିପାରିବ ନାହିଁ।
ଅନେକ ସମୟରେ ବ୍ୟକ୍ତି ନିଜ ଗନ୍ତବ୍ୟ ସ୍ଥଳରେ ଯିବା ବେଳେ ବିପରୀତ ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିଥାଏ। ହଇରାଣ ହରକତର ସାମ୍ନା କରିବାକୁ ପଡ଼ିଥାଏ। ଅବହେଳା କାରଣରୁ ଅନେକ ଲୋକ କୌଣସି ସ୍ଥାନକୁ ଯିବା ପୂର୍ବରୁ ଗାଡ଼ିରେ କେତେ ତେଲ ଅଛି, ଯାଞ୍ଚ କରି ନଥାନ୍ତି। ଏଥି ପାଇଁ ହଇରାଣ ହେବାକୁ ପଡ଼ିଥାଏ। ଅଧରାସ୍ତାରେ ପେଟ୍ରୋଲ ସରିଯିବା ପରେ କୌଣସି ପ୍ରକାରରେ ସେଠାରେ ଗାଡ଼ିକୁ ରାସ୍ତାକଡ଼ରେ ରଖି ବୋତଲ ନେଇ ପେଟ୍ରୋଲ ପମ୍ପକୁ ଯିବାକୁ ପଡ଼ିଥାଏ। କିନ୍ତୁ ପେଟ୍ରୋଲ ପମ୍ପ ଡିଲରଙ୍କ ନିଷ୍ପତ୍ତି ଅନୁସାରେ ଏଣିକି ଆଉ ବୋଲତରେ ପେଟ୍ରୋଲ ମିଳିବ ନାହିଁ। ତେବେ ପେଟ୍ରୋଲ ପମ୍ପ ମାଲିକ ସଂଘ କହିଛନ୍ତି ଯେ, ଆଧାରକାର୍ଡର ଜେରକ୍ସ କପି ଦେଲେ ଆବଶ୍ୟକସ୍ଥଳରେ ବୋତଲରେ ପେଟ୍ରୋଲ ମିଳିପାରିବ।
ସଂଘ ପକ୍ଷରୁ କୁହାଯାଇଛି ଯେ, ପେଟ୍ରୋଲ ପମ୍ପରେ ବୋତଲ ଉପରେ କଡ଼ା କଟକଣା ରହିବ। ନିୟମକୁ କଡ଼ାକଡ଼ି କରାଯିବ। ଏ ନେଇ ଗତକାଲି ସଂଘର ମିଟିଂ ସରିଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ କେବଳ ସାମ୍ପୁଲ ଓ ଗାଡ଼ିରେ ପେଟ୍ରୋଲ ଦେବାକୁ ନିୟମ କରାଯାଇଛି। ତେଣୁ କୌଣସି ପରିସ୍ଥିତିରେ ବୋତଲରେ ତେଲ ଦିଆଯିବ ନାହଁ। ଅତି ଆବଶ୍ୟକ ପରିସ୍ଥିତିରେ ପେଟ୍ରୋଲ କ୍ରେତାଙ୍କ ଆଧାରକାର୍ଡ଼ ଜେରକ୍ସ ରଖି ପେଟ୍ରୋଲ ଦିଆଯିବ। ବାଲେଶ୍ୱର ଜିଲ୍ଲାରେ ନିୟମ ଶୀଘ୍ର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି।
ପେଟ୍ରୋଲ ପମ୍ପରେ ବୋତଲରେ ପେଟ୍ରୋଲ ଦିଆନଯିବା ପାଇଁ ପୂର୍ବରୁ ମଧ୍ୟ ନିୟମ ରହିଛି। କିନ୍ତୁ ନିୟମକୁ ଅଣଦେଖା କରାଯାଉଥିଲା। ବୋତଲରେ ପେଟ୍ରୋଲ ମିଳିଯାଉଥିଲେ।
ଗାଡିରେ ତେଲ ଯାଉନାହିଁ ବୋଲି ଯାହାର ସନ୍ଦେହ ହେବ ସେମାନେ ମେଜର ମାଧ୍ୟମରେ ତେଲ ଦେଖିପାରିବେ। ପେଟ୍ରୋଲ ପମ୍ପରେ ବୋତଲରେ ପେଟ୍ରୋଲ ଦିଆଯିବା ନେଇ ଆସନ୍ତାକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ହେବ।