ଭୁବନେଶ୍ବର: ବିଜେଡିରେ ସବୁ କିଛି ଠିକ୍ ଚାଲିନଥିବା କଥା ଆଜିର ଆଉ ଏକ ଘଟଣାକ୍ରମରୁ ସ୍ପଷ୍ଟ ହୋଇଛି। ଏହାର ଦଳୀୟ ଅନ୍ତର୍କନ୍ଦଳକୁ ପୁଣି ଥରେ ପଦାରେ ପକାଇଛି। ଗତକାଲି ତାରିଖରେ ବିଜେଡି ଉପସଭାପତି ପ୍ରତାପ‌ ଜେନାଙ୍କ ଦସ୍ତଖତରେ ପ୍ରେସ୍ ବିଜ୍ଞପ୍ତିରେ କୁହାଗଲା ପୂର୍ବତନ ମନ୍ତ୍ରୀ ତଥା କାମାକ୍ଷାନଗରର ପ୍ରାକ୍ତନ ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ କରାଯାଇଛି। ଏଣେ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ଯେ, ତାଙ୍କୁ ନିଲମ୍ବିତ କରାଯାଇନି, ବରଂ ସେ ଆଗରୁ ଦେବୀ ମିଶ୍ରଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି। କଥା ଏଇଠି ସରିନାହିଁ। ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ପ୍ରତାପ ଜେନାଙ୍କୁ କାହିଁକି ମନ୍ତ୍ରିମଣ୍ଡଳରୁ କଢ଼ା ଯାଇଥିଲା, ତାଙ୍କୁ କାହିଁକି ଗତ ନିର୍ବାଚନରେ ବିଜେଡି ଟିକେଟ୍ ଦେଇନଥିଲା, ସେ କଥା ଆଗେ ଜଣାନ୍ତୁ। ମୋ ଆଗରେ ପ୍ରତାପ ଜେନା କିଛି ନୁହନ୍ତି। ଖାଲି ସେତିକି ନୁହେଁ, ସେ ଆହୁରି କହିଛନ୍ତି, ବିଜେଡିରେ ଏକଛତ୍ରବାଦ ଚାଲିଛି। କାରଣ ଯଦି ମୁଁ ଦଳବିରୋଧୀ କାର୍ଯ୍ୟ କରୁଥିଲି, ତେବେ ମୋତେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥାନ୍ତା, କିନ୍ତୁ ସେଭଳି ହେଲାନି।

Advertisment

ଏଭଳି ଦଳୀୟ ଅନ୍ତର୍କନ୍ଦଳ ସାମ୍ନାକୁ ଆସିବା ବେଳକୁ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଚେତାବନୀ ଦେଇ କହିଲେଣି  ଅନ୍ୟ ଯେଉଁମାନେ ଏପରି କରୁଛନ୍ତି, ସେମାନଙ୍କ ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ। ଅନ୍ୟ ବି ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ଶୃଙ୍ଖଳା କମିଟି ନଜର ରଖିଛି। କିଏ କଣ କରୁଛନ୍ତି, ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ। ହେଲେ ଯେଉଁ ନେତାମାନେ ଦଳ  ଓ ନେତୃତ୍ବ ବିରୋଧରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ବିଷୋଦ୍‌ଗାର କରୁଛନ୍ତି, ସେମାନେ ଏହି ଚେତାବନୀକୁ କଣ ଡରିବେ?

ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ଯେ, ତାଙ୍କୁ ନିଲମ୍ବିତ କରାଯାଇନି, ବରଂ ସେ ଆଗରୁ ଦେବୀ ମିଶ୍ରଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି। କଥା ଏଇଠି ସରିନାହିଁ। ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ପ୍ରତାପ ଜେନାଙ୍କୁ କାହିଁକି ମନ୍ତ୍ରିମଣ୍ଡଳରୁ କଢ଼ା ଯାଇଥିଲା, ତାଙ୍କୁ କାହିଁକି ଗତ ନିର୍ବାଚନରେ ବିଜେଡି ଟିକେଟ୍ ଦେଇନଥିଲା, ସେ କଥା ଆଗେ ଜଣାନ୍ତୁ। ମୋ ଆଗରେ ପ୍ରତାପ ଜେନା କିଛି ନୁହନ୍ତି। ଖାଲି ସେତିକି ନୁହେଁ, ସେ ଆହୁରି କହିଛନ୍ତି, ବିଜେଡିରେ ଏକଛତ୍ରବାଦ ଚାଲିଛି। କାରଣ ଯଦି ମୁଁ ଦଳବିରୋଧୀ କାର୍ଯ୍ୟ କରୁଥିଲି, ତେବେ ମୋତେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥାନ୍ତା, କିନ୍ତୁ ସେଭଳି ହେଲାନି।

ଏଣେ ରାୟଗଡ଼ା ପୌରସଂସ୍ଥାର ପୌରାଧ୍ୟକ୍ଷା ତଥା ବିଜେଡି ନେତ୍ରୀ ଶୁଭ୍ରା ପଣ୍ଡାଙ୍କ  ବିରୋଧରେ ଆଜି କାଉନସିଲର ମନେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି I ଏନେଇ ଆଜି  ୧୯ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦେଇଛନ୍ତିI ପୂର୍ବତନ ରାଜ୍ୟସଭା ସଦସ୍ୟ ଏନ୍ ଭାସ୍କର ରାଓ ବିଜେଡି ଛାଡ଼ିବା ପରେ ଏଭଳି କରାଯାଇଛି। ରାୟଗଡ଼ାରେ ବିଜେଡିକୁ ଶକ୍ତିହୀନ କରିବାକୁ ଜୋରଦାର ପ୍ରୟାସ ଜାରି ରହିଛି। ଏହା ବି ଦଳ ଭିତରେ ଥିବା କଳହର କୁପରିଣତି ବୋଲି କୁହାଯିବ।
 ତେଣେ ଗତକାଲି କଟକରେ ଛାତ୍ର ନେତା ହରିଶଙ୍କର ରାଉତ ବିଜେଡିରୁ ଇସ୍ତଫା ଦେବା ସହ ଅତ୍ୟନ୍ତ କଡ଼ା ଭାଷାରେ ଦଳୀୟ ନେତୃତ୍ବଙ୍କୁ ସମାଲୋଚନା କରିଥିଲେ, ଯାହା ଦଳ ଭିତରେ ଥିବା ଅସନ୍ତୋଷକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା। ହରିଶଙ୍କର କହିଥିଲେ, ଗତ ୧୦ ବର୍ଷ ହେଲାଣି ବିଜେଡି ଆଉଟସୋର୍ସ ହୋଇଯାଇଛି। ଜଣେ ଓଡ଼ିଆ ହୋଇ ବଞ୍ଚିବି ପଛେ, ଅଣଓଡ଼ିଆଙ୍କ କ୍ରୀତଦାସ ହେବି ନାହିଁ। ପ୍ରକାରାନ୍ତରେ ସେ କହିଥିଲେ ଯେ ବିଜେଡି ଆଉ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଚାଲୁନାହିଁ।
ଯାଜପୁର ଜିଲ୍ଲାରେ ବିଜେଡିର ଗଡ଼ ଭୁଶୁଡ଼ିଗଲାଣି। ଏଠାରେ ହଜାର ହଜାର ଦଳୀୟ ନେତା ବିଜେପିରେ ଯୋଗ ଦେଇଛନ୍ତି। ଅନ୍ୟ କେତେକ ସ୍ଥାନରେ ବି ଏଭଳି ଘଟଣା ଦେଖିବାକୁ ମିଳିଛି। ତେଣେ ନୂଆ ବିଜେଡି ଗଠନ ଲାଗି ପ୍ରୟାସ ଆରମ୍ଭ ହୋଇଛି। ଆଗକୁ ଆଉ କେଉଁମାନେ ଦଳ ଛାଡ଼ୁଛନ୍ତି, ବା ନିଲମ୍ବିତ ହେଉଛନ୍ତି ଓ ବିଜେଡିର ସ୍ଥିତି ଆଗକୁ କିଭଳି ଦୋହଲୁଛି ତାହା ଦେଖିବାକୁ ବାକି ରହିଲା।