ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଆକାଂକ୍ଷୀ ଯୋଜନା ‘ସୁଭଦ୍ରା’ରେ ଲକ୍ଷାଧିକ ଅଯୋଗ୍ୟ ଚତୁରତାର ସହିତ ସାମିଲ ହୋଇଛନ୍ତି। ଏହି ଯୋଜନାରେ ଲକ୍ଷାଧିକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇ ନଥିବା ଅଭିଯୋଗ ମଧ୍ୟ ହେଉଛି। ସରକାର ଏବେ ସଚେତନ ହୋଇଛନ୍ତି। ଅଯୋଗ୍ୟଙ୍କୁ ବାଦ ଦେବାକୁ ତତ୍ପରତା ପ୍ରକାଶ କରିଛନ୍ତି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗକୁ ମହିଳା ଏବଂ ଶିଶୁ ମହିଳା ବିଭାଗର ଚିଠି ଲେଖିଛି।
ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ରାଜ୍ୟ ସରକାର ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏବେ ଏହି ଯୋଜନା ମାଧ୍ୟମରେ କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀ ୩ଟି କିସ୍ତିରେ ୧୫ ହଜାର ଟଙ୍କା ଲେଖାଏଁ ପାଇ ସାରିଛନ୍ତି। ଅନେକ ଅଭିଯୋଗ ଆସିଛି ଯେ, ଚତୁରତାର ସହିତ ଅନେକ ମହିଳା ସୁଭଦ୍ରାରେ ସାମିଲ ହୋଇଛନ୍ତି। କ୍ଷୋଭର କଥା ଯେ, ଆହୁରି ଲକ୍ଷାଧିକ ମହିଳା ଅଛନ୍ତି, ଯେଉଁମାନେ ଏହି ଯୋଜନାରେ ସାମିଲ ହେବା ପାଇଁ ସରକାରଙ୍କୁ ଗୁହାରି କରୁଛନ୍ତି। ସରକାରୀ ତଦନ୍ତରେ ଶିଥିଳତା ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରେ ସାମିଲ ହୋଇପାରୁ ନାହାନ୍ତି।
ଗୁଣପୁର ବ୍ଲକ ଟିଟିମିରୀ ପଂଚାୟତ ଅନ୍ତର୍ଗତ ଗୁଡ଼ା, ସିଙ୍ଗପଦର, ଅଙ୍କରେଲି ଲକ୍ଷ୍ମୀପୁର ଓ ପାତ୍ରପୁର ଗ୍ରାମର ୫୦ରୁ ଊର୍ଦ୍ଧ୍ବ ଆଦିବାସୀ ମହିଳା ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇ ନିଜର ଦାବି ଉପସ୍ଥାପନ କରିଛନ୍ତି। ମହିଳାମାନେ ଅଭିଯୋଗ କରି କହିଛନ୍ତି ଯେ ସୁଭଦ୍ରା ଯୋଜନା ଆରମ୍ଭ ହେବା ପରେ ସେମାନେ ଜନ ସେବା କେନ୍ଦ୍ରରେ ଆବେଦନ କରିଥିଲେ।
ରାଜ୍ୟ ସରକାର ଚାରି ଚକିଆ ଥିବା ଯୋଗୁଁ କାଟିଥିବା ହିତାଧିକାରୀଙ୍କ ତାଲିକା ଯାଞ୍ଚ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ନୋଟିସ ଜାରି କରିଛନ୍ତି। ବାହାନ ଡାଟାବେସରୁ ଚାରି ଚକିଆ ଥିବା ହିତାଧିକାରୀଙ୍କ ତଥ୍ୟ ସହ ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମୃତ ହିତାଧିକାରୀଙ୍କ ତଥ୍ୟ ମେଲେଇ ସ୍ୱାସ୍ଥ୍ୟ ବିଭାଗକୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ହୋଇଛି। ଖାଦ୍ୟ ଯୋଗାଣ ବିଭାଗକୁ ମଧ୍ୟ ମୃତ ହିତାଧିକାରୀ ତଥ୍ୟ ଦେବାକୁ ନିର୍ଦ୍ଦେଶ ହୋଇଛି। ଏହା ସହ ଖାଦ୍ୟ ଯୋଗାଣ ବିଭାଗରେ ପଞ୍ଜୀକରଣ କରୀ ଧାନ ବିକିଥିବା ମହିଳାଙ୍କ ତଥ୍ୟକୁ ଆଉ ଥରେ ଯାଞ୍ଚ କରି ଦେବାକୁ ନିର୍ଦ୍ଦେଶ ହୋଇଛି।
Subhadra Scheme