ଭୁବନେଶ୍ବର: ମହାଶିବରାତ୍ରିରେ ମହାଦୀପ ଉଠାଇବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିରର ଜଣେ ସେବାୟତ ଯୋଗେନ୍ଦ୍ର ସମର୍ଥା ପ୍ରାୟ ୨୦ ଫୁଟ୍ ଉଚ୍ଚତାରୁ ଖସି ପଡ଼ି ଗୁରୁତର ଆହତ ହେବା ଘଟଣାକୁ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆରସି) ଅତି ଗୁରୁତର ସହ ନେଇଛନ୍ତି। ଏହି ଘଟଣାରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ(ଏଟିଆର) ଦେବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଗୃହ ସଚିବଙ୍କୁ ନିର୍ଦେଶ ଦିଆଯାଇଛି। ଏହି ଦୁଃଖଦ ଘଟଣା ଗତ ଫେବ୍ରୁଆରି ୨୬ ରାତି ସାଢ଼େ ୧୦ ବେଳେ ଘଟିଥିଲା। ଯୋଗେନ୍ଦ୍ର ସମର୍ଥାଙ୍କ ମୁହଁରେ ଗୁରୁତର ଆହତ ଲାଗିଥିବା ବେଳେ ତୋଙ୍କର ଗୋଟିଏ ଗୋଡ ଭାଂଗିଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ ଦୁଇଜଣ ସେବାୟତ ଓ ଜଣେ ପୁଲିସ କର୍ମଚାରୀ ମଧ୍ୟ ତେଲ ପଡ଼ି ଆହତ ହୋଇଥିଲେ। ସମସ୍ତଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲକୁ ନେଇ ଚିକିତ୍ସା କରାଯାଇଥିଲା।

Advertisment

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଡଭୋକେଟ୍ ତଥା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏହି ଘଟଣ ସମ୍ପର୍କରେ ଏନଏଚଆରସିଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ। ଆୟୋଗ ଖୋର୍ଦ୍ଧା  ଜିଲ୍ଲାପାଳ ଓ ଓଡ଼ିଶା ସରକାରର ଗୃହ ବିଭାଗ ସ୍ଵତନ୍ତ୍ର ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି। ସପ୍ତାହକ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ କମିସନ ନିର୍ଦେଶ ଦେଇଛନ୍ତି। କମିସନ ଖୋର୍ଧା ଜିଲ୍ଲାପାଳ, ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ କରିଥିବା ନୋଟିସକୁ ମୁଖ୍ୟ  ଶାସନ ସଚିବ ଓ ପୁଲିସ ଡିଜିଙ୍କ ନିକଟକୁ ପଠାଇଛନ୍ତି।

ଏହି ମାମଲା  ଭୁବନେଶ୍ୱରରେ ଜୁଲାଇ ୨୧ରେ ହେବାକୁ ଥିବା ଏନଏଚଆରସିଙ୍କ କ୍ୟାମ୍ପ କୋର୍ଟରେ ଶୁଣାଣି ହେବ। ଏଥିପାଇଁ ଘଟଣାରେ ସଂପୃକ୍ତ ସମସ୍ତ ପକ୍ଷ ଯଥା ଅଭିଯୋଗକାରୀ, ଆହତ ବ୍ୟକ୍ତି ଓ ତାଙ୍କ ପ୍ରତିନିଧି, ଏବଂ ସରକାରୀ ଅଧିକାରୀମାନେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି। ଗୃହ ବିଭାଗର ପ୍ରମୁଖ ସଚିବଙ୍କୁ ଏହି କ୍ୟାମ୍ପ ସିଟିଂର ନୋଡାଲ୍ ଅଫିସର୍ ଭାବେ ନିଯୁକ୍ତ ଦିଆଯାଇଛି। ସମସ୍ତ ପକ୍ଷ ଯେପରି ଉପସ୍ଥିତ ରୁହନ୍ତି, ସେ ଏହା ସୁନିଶ୍ଚିତ କରିବା ଲାଗି କମିସନ ନିର୍ଦେଶ ଦେଇଛନ୍ତି।

ସରକାରଙ୍କ ଦ୍ଵାରା ପରିଚାଳିତ ଉଚ୍ଚ ମନ୍ଦିର ଗୁଡିକରେ ବିଭିନ୍ନ ଧାର୍ମିକ ନୀତି ପାଇ ଚଢୁଥିବା ସେବାୟତଙ୍କ ପାଇଁ ସ୍ଵତନ୍ତ୍ର ଗାଇଡଲାଇନ୍ ଓ ସେମାନଙ୍କୁ ନିରାପତ୍ତା ଉପକରଣ ଯୋଗାଇଦେବାର ବ୍ୟବସ୍ଥା କରିବାର ଆବଶ୍ଯକତା ରହିଛି ବୋଲି ଆବେଦନକାରୀ ଅଖଣ୍ଡ କମିସନଙ୍କ ନିକଟରେ ଯୁକ୍ତି କରିଛନ୍ତି। ସରକାର ଏହି ଦାୟିତ୍ଵକୁ ଅଣଦେଖା କରିପାରିବେ ନାହିଁ। ମହାଦୀପ ଚଢ଼ାଯିବା ପରି କାର୍ଯ୍ୟରେ ସେମାନଙ୍କ ପାଖରେ କୌଣସି ସୁରକ୍ଷା ଉପକରଣ ନରହିବା ସେମାନଙ୍କୁ ବିପଦ ମୁହଁକୁ ଠେଲି ଦେଉଛି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀ ଲିଙ୍ଗରାଜ ମନ୍ଦିର ଭଳି ରାଜ୍ୟରେ ଥିବା ସୁଉଚ୍ଚ ମନ୍ଦିରଗୁଡିକରେ ଏହି ନିରାପତ୍ତା ଗାଇଡଲାଇନ କରିବାକୁ ଆବେଦନକାରୀ ପ୍ରର୍ଥନା କରିଛନ୍ତି।

ଶ୍ରୀ ଲିଙ୍ଗରାଜ ମନ୍ଦିର ଘଟଣା ଉପରେ ନିରପେକ୍ଷ ତଦନ୍ତ, ଆହତ ସେବାୟତଙ୍କୁ ଉପଯୁକ୍ତ କ୍ଷତିପୂରଣ ଏବଂ ରାଜ୍ୟର ସମସ୍ତ ମନ୍ଦିରରେ ସେବାୟତଙ୍କ ପାଇଁ ସୁରକ୍ଷା ପ୍ରଟୋକଲ୍ ଅନିବାର୍ଯ୍ୟ କରିବାକୁ ସେ ନିବେଦନ କରିଛନ୍ତି। ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୨୧ରେ ଭୁବନେଶ୍ଵରରେ ସ୍ଵତନ୍ତ୍ର କ୍ୟାମ୍ପ ସିଟିଂରେ କରାଯିବ।

Bhubaneswar | Lingaraj temple