ଭୁବନେଶ୍ବର (ମହେନ୍ଦ୍ର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ଆସିଛି। ଏହି ପର୍ବ ପାଇଁ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ‌ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଗାଁରୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଉତ୍ସାହ ଦେଖାଯାଇଛି। ଭାଇଚାରାର ପର୍ବ ନୂଆଖାଇ ପାଇଁ ଛୋଟ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ଉତ୍ସାହିତ ଦେଖାଯାଉଛନ୍ତି। ବାହାରେ ରହୁଥିବା ସନ୍ତାନ ଘରକୁ ଫେରିଛନ୍ତି। ମାତ୍ର ପଶ୍ଚିମ ଓଡ଼ିଶାର ସନ୍ତାନ ଯେଉଁମାନେ ଜନ୍ମମାଟିକୁ ପହଞ୍ଚି ପାରି ନାହାନ୍ତି, ସେମାନଙ୍କ ମଧ୍ୟରୁ ଅନେକ ନିଜନିଜ କର୍ମସ୍ଥଳରେ ନୂଆଖାଇ ପାଳନ କରୁଛନ୍ତି। 

Advertisment

ସ୍ବାର୍ଥପର ସମାଜରେ ସମସ୍ତେ ନିଜନିଜ କାମରେ ବ୍ୟସ୍ତ ଥିବାରୁ ପର୍ବପର୍ବାଣୀରେ ଆଗଭଳି ଆଉ ଆତ୍ମୀୟତା ନାହିଁ; ଏକଥାକୁ କେହି ଅସ୍ବୀକାର କରିପାରିବେ ନାହିଁ। ନୂଆଖାଇ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହିଁ। ନୂଆଖାଇର ରଂଗ ଓ ଢଙ୍ଗ ମଧ୍ୟ ବଦଳିଛି। କିନ୍ତୁ ଏତିକି କୁହାଯାଇ ପାରିବ ଯେ, ନୂଆଖାଇରେ ପାରିବାରିକ ମତାନ୍ତରକୁ ସମସ୍ତେ ଭୁଲି ଯାଆନ୍ତି। ଭାଙ୍ଗି ଯାଉଥିବା ପରିବାରିକ ସଂପର୍କକୁ ଏହି ପର୍ବ ପୁଣି ଥରେ ଯୋଡ଼ିବାରେ ସହାୟକ ହୋଇଥାଏ। 

ସମୟ କ୍ରମେ ନୂଆଖାଇରେ ଅନେକ ପରିବର୍ତ୍ତନ ଦେଖାଯାଇଛି। ଏହି ପର୍ବ ଆଜିକାଲି ଆଉ ପଶ୍ଚିମ ଓଡ଼ିଶା ଭିତରେ ସୀମିତ ହୋଇ ରହିନାହିଁ। ଅର୍ଥାତ ପଶ୍ଚିମ ଓଡ଼ିଶା ବାହାରେ ମଧ୍ୟ ‘ନୂଆଖାଇ’ର ଆୟୋଜନ କରାଯାଉଛି। ବହୁ ବର୍ଷ ପୂର୍ବରୁ ନୂଆଖାଇ କେବଳ ପଶ୍ଚିମ ଓଡ଼ିଶାରରେ ପାଳନ ହେଉଥିଲା। ତାହା ପୁଣି ଗୋଟିଏ ଦିନରେ ଉତ୍ସାହର ସହିତ ପାଳନ ହେଉଥିଲା। ଯେଉଁମାନେ ନୂଆଖାଇ ତିଥିରେ ଏହି ପର୍ବକୁ ପାଳନ କରିପାରୁ ନଥିଲେ, ସେଥିପାଇଁ ଦଶହରାକୁ ବିକଳ୍ପ ଭାବେ ଚୟନ କରୁଥିଲେ। ମାତ୍ର ଏବେ ନୂଆଖାଇ ପର୍ବକୁ ଗୋଷ୍ଠୀ ଭାବେ ଭୁବନେଶ୍ବର ଏବଂ ଓଡ଼ିଶା ବାହାରେ ପାଳନ କରାଯାଉଛି। ରାଜ୍ୟ ବାହାରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ସୁରଟ, ରାୟପୁର, ବିଶାଖାପାଟଣା ଭଳି ବଡ଼ ସହରରେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ ନୂଆଖାଇ ପାଳନ କରୁଛନ୍ତି। ସେହିପରି ବିଭିନ୍ନ ଅନୁଷ୍ଠାନର ଉଦ୍ୟମରେ ବିଦେଶରେ ମଧ୍ୟ ନୂଆଖାଇ ପାଳନ କରାଯାଉଛି। ଦୁବାଇ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ମଧ୍ୟ ନୂଆଖାଇ ହର୍ଷୋଲ୍ଳାସର ସହିତ ପାଳନ ହେଉଛି। 

Nuakhai

ମୁମ୍ବାଇରେ ରହୁଥିବା ଓଡ଼ିଆ ପୁଅ ଆଲୋକ ରାଉତରାୟ କୁହନ୍ତି, ପଶ୍ଚିମ ଓଡ଼ିଶାର ପରମ୍ପରାଗତ କୃଷି ପର୍ବ ନୂଆଖାଇ ‘ଗ୍ରାମ୍ୟ ଜୀବନରେ ଧାନ ଓ ମାଟିର ସୁଗନ୍ଧ ସହିତ ଜଡ଼ିତ। ପଶ୍ଚିମ ଓଡ଼ିଶାରୁ ଆସି ମୁମ୍ବାଇରେ ଅବସ୍ଥାପିତ କରୁଥିବା ଲୋକେ ନୂଆଖାଇ ପର୍ବ ପାଳନ କରୁଛନ୍ତି। କିନ୍ତୁ ଏଥିରେ ଓଡ଼ିଶାର ଅନ୍ୟମାନେ ମଧ୍ୟ ସାମିଲ ହୋଇଥାନ୍ତି। ଗତ ଦଶ ବର୍ଷର ମୋର ଅଭିଜ୍ଞତା କହୁଛି, ଏହି ପର୍ବଟି କେବଳ ଧାର୍ମିକ କାର୍ଯ୍ୟରେ ସୀମିତ ନୁହେଁ, ବରଂ ଓଡ଼ିଆମାନଙ୍କୁ ଏକତା ସୂତ୍ରରେ ବାନ୍ଧିବାର ଅନ୍ୟ ଏକ ମାଧ୍ୟମ। ମୁମ୍ବାଇରେ ୨୦୧୫ରୁ ନୂଆଖାଇ ଭେଟ୍‌ଘାଟର ଆୟୋଜନ ହୋଇ ଆସୁଛି। ସାୱରକର ପ୍ରେକ୍ଷାଳୟ, ଦାଦରରେ ହେଉ କି କାଳାଚାଉଳିର ସାମାଜିକ ହଲ୍‌ଗୁଡ଼ିକରେ ନୂଆଖାଇର ସୁଗନ୍ଧ ଫୁଟିଛି। ଡାଲଖାଇ ଓ ସମ୍ବଲପୁରୀ ନାଚ, ରଙ୍ଗୀନ ଶାଢ଼ି ଏବଂ ଚକୁଳି-ମଣ୍ଡାର ଖାଦ୍ୟରେ ନୂଆଖାଇ ପର୍ବ ପାଳନ କରାଯାଉଛି। ୨୦୧୯ ପରେ ଏହି ପର୍ବଟିକୁ ମୁମ୍ବାଇର ମିଡିଆ ମଧ୍ୟ ବିଶେଷ ମହତ୍ତ୍ୱ ଦେଇଛି। କୋଭିଡ୍‌-୧୯ ସମୟରେ ଯେତେବେଳେ ସମସ୍ତେ ଘରେ ବନ୍ଦ ଥିଲେ, ସେହି ସମୟରେ ମଧ୍ୟ ନୂଆଖାଇ ଜୁମ୍‌ ଓ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ନୂତନ ଆକାର ପାଇଥିଲା। ୨୦୨୨-୨୪ରେ ପୁଣିଥରେ ଯେତେବେଳେ ସାମ୍ନାସାମ୍ନି ଉତ୍ସବ ପୁନର୍ଜୀବିତ ହେଲା, ସେଥିରେ ଡିଜିଟାଲ୍ ଓ ସାମୁହିକ ପାଳନର ଏକ ମିଶ୍ରଣ ଦେଖାଗଲା। ମୋ ପାଇଁ, ଏହି ଉତ୍ସବ କେବଳ ପିଠା-ପାନ କିମ୍ବା ନୃତ୍ୟ-ସଙ୍ଗୀତରେ ସୀମାବଦ୍ଧ ନୁହେଁ। ଏହା ଗାଁଘରର ମାଟିର ସୁଗନ୍ଧ, ଜନ୍ମଭୂମିର ସ୍ମୃତି ଓ ସହରରେ ଏକତାର ପରିଚୟ। ନୂଆଖାଇ ମୁମ୍ବାଇରେ ଆମକୁ ମନେ ପକାଇଥାଏ—ଆମେ କେଉଁଠି ରହୁ, ମାଟି ଓ ପରମ୍ପରା ସହିତ ଆମର ସମ୍ପର୍କ କେବେ ବିଛିନ୍ନ ହୁଏନାହିଁ। 

ପୂର୍ବରୁ ନୂଆଖାଇର ରଂଗ ଭିନ୍ନ ଥିଲା। ଆର୍ଥିକ ସମସ୍ୟା ଯୋଗୁଁ ଆଜି ଭଳି ବହୁ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହୋଇପାରୁ ନଥିଲା। ଲୋକଙ୍କର ଖାଇବା, ପିଇବାର ଶୈଳୀ ବଦଳିଛି। ଆଗ ଭଳି ଏକଜୁଟତା ନାହିଁ। ଆଗରୁ ଭାଇଚାରା ଯେମିତି ଥିଲା, ଏବେ ଆଉ ତାହା ନାହିଁ। ଏଥିରେ ଅନେକ ପରିବର୍ତ୍ତନ ଦେଖାଯାଇଛି। ପୂର୍ବରୁ ନୂଆଖାଇ ଦିନ ଆମିଷ ଭୋଜନ କରାଯାଉ ନଥିଲା। ଆଜିକାଲି ନୂଆଖାଇ ଦିନ ରାତ୍ରୀ ଭୋଜନରେ ଆମିଷ ଯୋଡ଼ି ହୋଇଯାଇଛି।

 -ପୂର୍ଣ୍ଣଚନ୍ଦ୍ର ସାହୁ, ଭାଲୁଡୁଙ୍ଗୁରି, ବୀରମହାରାଜପୁର, ସୁବର୍ଣ୍ଣପୁର

ଦୁବାଇରେ ୧୦ ବର୍ଷ ହେଲା ରହୁଥିବା ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଜମଲାକଇ ଗାଁର ମୂଳ ନିବାସୀ ପ୍ରଶାନ୍ତ କୁମାର ମେହେର କହିଛନ୍ତି, ଏଠାରେ ୨୦୧୪ରୁ ‘ନୂଆଖାଇ ପରିବାର’ର ଆୟୋଜନରେ ନୂଆଖାଇ ପାଳନ ହୋଇ ଆସୁଛି। ସେହି ସମୟରେ ଏହି ସମାରୋହରେ ୮ଟି ପରିବାର ଯୋଗ ଦେଇଥିଲେ। ଏବେ ଏହି ପର୍ବରେ ଓଡ଼ିଶାର ୫୦୦ରୁ ୬୦୦ ଲୋକ ଯୋଗ ଦେଉଛନ୍ତି। ଚଳିତ ବର୍ଷ ଦୁବାଇରେ ସେପ୍ଟେମ୍ବର ୧୪ ନୂଆଖାଇ ପାଳନ ହେବ। ଏକ କୋର କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରତିବର୍ଷ ଓଡ଼ିଶାରୁ ନୂଆ ଧାନ, ନୂଆ କୁଲା, ମା’ ସମଲେଶ୍ବରୀଙ୍କ ଫଟୋ ଆସୁଛି। ମା’ଙ୍କର ପୂଜାର୍ଚ୍ଚନା କରାଯାଉଛି। ସମାରୋହରେ ଓଡ଼ିଶାରୁ ବିଶିଷ୍ଟ ବ୍ୟକ୍ତି ଓ କଳାକାର ଯୋଗଦେଉଛନ୍ତି। ନୂଆଖାଇ ଏକ ପ୍ରକ୍ରିୟା। ସ୍ନେହ ଓ ଶ୍ରଦ୍ଧାର ପର୍ବ। ଗାଁରେ ଥିଲା ବେଳେ ଘରଦ୍ବାର କେମିତି ସଫାସୁଥୁରା କରାଯିବ, ସେଥି ପାଇଁ ପ୍ରସ୍ତୁତି କରାଯାଉଥିଲା। ଅତୀତରେ ଗରିବ ତଥା ଅଭାବୀ ଲୋକଙ୍କୁ ଥିଲାବାଲା ଲୋକ ନୂଆଖାଇ ଭାର ଦେଉଥିଲେ। ଏହାକୁ ‘ନୂଆଖାଇ ଅଢ଼ିଆ‘ କୁହାଯାଉଥିଲା। ଏହା ଦ୍ବାରା ନୂଆଖାଇ ଦିନ କେହି ଭୋକିଲା ରହିବେ ନାହିଁ। ସମୟ ବଦଳିଛି। ଲୋକଙ୍କର ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଆସିଛି। ନୂଆଖାଇରେ ଅନେକ ପରିବର୍ତ୍ତନ ଦେଖାଯାଇଛି ସତ, କିନ୍ତୁ ପରଂପରା ଆଜି ମଧ୍ୟ ଜୀବିତ ରହିଛି। ଆମର ଆଗାମୀ ପିଢ଼ିର ପିଲାଙ୍କୁ ‘ନୂଆଖାଇ’ର ସଂସ୍କୃତି ବିଷୟରେ ଅବଗତ କରାଇବା ପାଇଁ ଦୁବାଇରେ ଏହି ଉଦ୍ୟମ କରାଯାଇଛି। 

କୃଷିଭିତ୍ତିକ ପର୍ବ ‘ନୂଆଖାଇ’

ନୂଆଖାଇ ଏକ କୃଷିଭିତ୍ତିକ ପର୍ବ। ପାଞ୍ଜି ଅନୁସାରେ ଏହା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପାଳିତ ହୋଇଥାଏ। ଧାନ ଅମଳ ପୂର୍ବରୁ ଚାଷୀମାନେ ଖୁସିରେ ଏହି ପାଳନ କରିଥାନ୍ତି। ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରିଥାଏ। ଏହି ସମୟରେ ଜମିରେ ଚାଷୀ ବେଉଷଣ କାର୍ଯ୍ୟ  ସାରିଥାଏ। ପରେ ସହଳ ଆମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ। ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିଥାନ୍ତି। ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି। ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି। ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି। ଏହି ସମୟରେ ଗ୍ରାମ ବା ପଡ଼ାର ଲୋକମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି। ପରିବାରମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ।  

ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନଭିନ୍ନ ଦିନ ନୂଆ ଖାଉଥିଲେ। ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ। ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରିଥିଲେ। ଏଥି ପାଇଁ ରାଜ୍ୟର ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ। କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ନୂଆଖାଇ ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ।

Nuakhai