ଭୁବନେଶ୍ବର: ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ାରେ ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହା ୨୦୨୪ ସାଧାରଣ ନିର୍ବାଚନ ପରେ ପ୍ରଥମ ଉପନିର୍ବାଚନ। ଏବେ ବିଜେପି ସରକାରରେ ଅଛି। ତେଣେ ବିଜେଡି ମୁଖ୍ୟ ବିରୋଧୀ ଦଳ ହୋଇଛି। ତେଣେ କଂଗ୍ରେସ ବି ବିରୋଧୀ ଆସନରେ ବସିଛି। ରାଜେନ୍ଦ୍ର ଢୋଲକିଆ ବିଜେଡି ଟିକେଟରେ ଗତ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏଥର ବିଜେଡି ସେହି ଆସନକୁ ନିଜ ହାତରେ ରଖିବାକୁ ସକ୍ଷମ ହେବ ତ? କାରଣ ବର୍ତ୍ତମାନ ଦଳ ଭିତରେ କିଛି ଠିକ୍ ଠାକ୍ ନାହିଁ। ତେଣେ ଉପନିର୍ବାଚନରେ ଟିକେଟ ହାତେଇବା ଲାଗି ବିଜେଡିରେ ଏକାଧିକ ଆଶାୟୀ ଥିବା ଜଣାଗଲାଣି। ଯଦି ଦଳ ଅନୁକମ୍ପା ଭୋଟ୍କୁ ଆଖି ଆଗରେ ରଖି ରାଜେନ୍ଦ୍ର ଢୋଲକିଆଙ୍କ ପରିବାରର କୌଣସି ସଦସ୍ୟଙ୍କୁ ପ୍ରାର୍ଥୀ କରେ, ତେବେ ସେଜଣକ କିଏ ହେବେ, ତାହା ଏବେ ବି ଅସ୍ପଷ୍ଟ ରହିଛି। ଯଦି ତାହା ନକରି ଅନ୍ୟ କାହାରିକୁ ପ୍ରାର୍ଥୀ କରିବା ନେଇ ଚିନ୍ତା କରେ ତାହା ହେଲେ ପରିବାର ଲୋକଙ୍କ ରୋଷର ଶିକାର ହେବା ଥୟ। ଏଣୁ ବିଜେଡି ଏବେ ପ୍ରାର୍ଥୀ ଚୟନ ଲାଗି ହରଡ଼ଘଣାରେ।
ତେଣେ ଶାସକ ଦଳ ବିଜେପି ଗତ ବିଧାନସଭା ନିର୍ବାଚନରେ ପୂର୍ବତନ ସାଂସଦ ତଥା ପ୍ରାକ୍ତନ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସୁପୁତ୍ର ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲା। ଆଉ ସେ ତୃତୀୟ ସ୍ଥାନରେ ରହିଥିଲେ। ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ଏଥର ଉପନିର୍ବାଚନରେ ଦଳ ବସନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିପାରେ। ତେଣେ ଅଭିନନ୍ଦନଙ୍କୁ ପୁଣିଥରେ ସୁଯୋଗ ଦେଇପାରେ ବୋଲି କୁହାଯାଉଛି। କିନ୍ତୁ ଏନେଇ ଦଳ ନେତୃତ୍ବ ଏଯାଏ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଏହି ନିଷ୍ପତ୍ତି ଉପରେ ସ୍ଥାନୀୟ କର୍ମୀଙ୍କ ନଜର ରହିଛି। ଅବଶ୍ୟ ବିଜେପି ଏକ କ୍ୟାଡର୍ ଭିତ୍ତିକ ଦଳ ହୋଇଥିବା ହେତୁ ଯିଏ ବି ପ୍ରାର୍ଥୀ ହୁଅନ୍ତୁ, ତାଙ୍କ ପାଇଁ ସମସ୍ତେ କାମ କରିବେ। ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ବିଜେପି ଏବେ କ୍ଷମତାରେ ଅଛି।
ସମସ୍ତଙ୍କ ନଜର ନୂଆପଡ଼ା ଉପନିର୍ବାଚନ ଉପରେ ରହିଛି। ନୂଆପଡ଼ା ଉପନିର୍ବାଚନ ପ୍ରସଙ୍ଗରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଦମ୍ଭୋକ୍ତି କରିସାରିଛନ୍ତି। ସେ କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ। କିନ୍ତୁ ଏଯାଏ ବିଜେଡି ଓ କଂଗ୍ରେସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।
୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ଓ ତତକାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ଚତୁର୍ଥ ସ୍ଥାନରେ ରହିଥିଲେ। ଏଦୃଷ୍ଟରୁ ତାଙ୍କ ଉପରେ ଦଳ ଏଥର ଭରସା କରିନପାରେ ବୋଲି କୁହାଯାଉଛି। ତେଣେ ତାଙ୍କ ବଦଳରେ ଗତ ୨୦୨୪ ସାଧାରଣ ନିର୍ବାଚନ ପରେ ଦ୍ବିତୀୟ ସ୍ଥାନରେ ଥିବା ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ କଂଗ୍ରେସ ଟିକେଟ୍ ଦେଇପାରେ ବୋଲି ଶୁଣିବାକୁ ମିଳୁଛି। ତେବେ ଦଳୀୟ ହାଇକମାଣ୍ଡ କି ନିଷ୍ପତ୍ତି ନେଉଛନ୍ତି, ତାହା ସମୟ କହିବ। ତେଣେ ଯଦ ସେଭଳି ସ୍ଥିତି ନ ଉପୁଜେ, ତେବେ ହୁଏତ ଘାସିରାମ ମାଝୀ ପୁଣି ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବେ ବୋଲି କୁହାଯାଉଛି।
ଏଣୁ ସମସ୍ତଙ୍କ ନଜର ନୂଆପଡ଼ା ଉପନିର୍ବାଚନ ଉପରେ ରହିଛି। ନୂଆପଡ଼ା ଉପନିର୍ବାଚନ ପ୍ରସଙ୍ଗରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଦମ୍ଭୋକ୍ତି କରିସାରିଛନ୍ତି। ସେ କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ। କିନ୍ତୁ ଏଯାଏ ବିଜେଡି ଓ କଂଗ୍ରେସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।