ଭୁବନେଶ୍ବର: ରାଜ୍ୟବ୍ୟାପି ଧାରଣାରତ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ନେଇ ବଡ଼ ଅପଡେଟ୍‌ ଆସିଛି। ଆଜି ସନ୍ଧ୍ୟାରେ  ଆଲୋଚନା ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ଯେ, ନର୍ସିଂ ସଂଘ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛନ୍ତି। ଆଜି ସନ୍ଧ୍ୟାରେ ଓଡ଼ିଶା ନର୍ସିଂ ସଂଘର କର୍ମକର୍ତ୍ତାମ‌ାନେ ଆଲୋଚନା ପାଇଁ ଆସିଥିଲେ। ତାଙ୍କ ସହିତ ସୌହାଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଥିଲା। ଆମେ ଏକ କମିଟି ଗଠନ କରିବୁ। ଏହି କମିଟିରେ ନର୍ସିଂ ସଂଘର ଦାବି ସଂପର୍କରେ ଆଲୋଚନା କରିବୁ।

Advertisment

ଆନ୍ଦୋଳନ ନେଇ ନର୍ସିଂ ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର ସେମାନଙ୍କର ଦାବି ଶୁଣିବା ପାଇଁ ରାଜି ହୋଇଛନ୍ତି। କିନ୍ତୁ ଆନ୍ଦୋଳନ ଜାରି ରହିବ କି ନାହିଁ ସଂଘର କର୍ମକର୍ତ୍ତାମାନେ ଆଜି ରାତିରେ ଆଲୋଚନା କରିବେ। ବୈଠକ ପରେ ଅପଡେଟ୍‌ ଖବର ଗଣମାଧ୍ୟମକୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଜଣାଇ ଦିଆଯିବ। ସାଧାରଣ ସଂଘର ସଂପାଦକ ଅଶ୍ବିନୀ ଦାସ କହିଛନ୍ତି, ରାଜ୍ୟ ସରକାର ଆମର ୧୦ ସୂତ୍ରୀ ଦାବି ତର୍ଜମା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ନର୍ସିଂ ନାମଲେଖାରେ ବ୍ୟାପକ ବିଭ୍ରାଟ : ବିନା ଆଇଏନ୍‌ସି ସ୍ୱୀକୃତିରେ ଚାଲିଛି ନାମଲେଖା

ସୂଚନାଯୋଗ୍ୟ, ଆନ୍ଦୋଳନ ପ୍ରତ୍ୟାହାର ପାଇଁ ନର୍ସିଂ ସଂଘ ସହିତ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ସନ୍ଧ୍ୟାରେ ନର୍ସିଂ ଅଧିକାରୀମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ। ନର୍ସିଂ କର୍ମଚାରୀମାନେ ଅହୋରାତ୍ର ଧାରଣ ଦେବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଶ୍ରୀ ମହାଲିଙ୍ଗ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବା ଦ୍ବାରା ରାଜ୍ୟର ଡାକ୍ତରଖାନା ଗୁଡ଼ିକରେ ରୋଗୀ ଓ ରୋଗୀ ପରିବାର ହନ୍ତସନ୍ତ ହୋଇଥିଲେ। ରୋଗୀ ସେବା ଉପରେ ଏହାର ଗୁରୁତର ପ୍ରଭାବ ପଡିଥିଲା। ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ଯାଇଥିଲା। ଭୁବନେଶ୍ବର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ସବୁଠି ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ। ହସ୍ପିଟାଲରେ ଇଞ୍ଜେକ୍ସନ ଦେବାକୁ ନର୍ସ ମିଳୁ ନଥିଲେ।