ଭୁବନେଶ୍ବର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସଂଘର ଦାବି ଗୁରୁବାର ରାତିରେ ପୂରଣ ହୋଇଛି। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଗତ ସୋମବାର ଦିନ ଆକ୍ରମଣ ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଗିରଫ ହେଲା ପରେ ଓଏଏସ୍‌ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଛି। ଓଏଏସ୍‌ ସଂଘ ଗତକାଲି ଠାରୁ ଜରୁରୀକାଳୀନ ସେବାରେ କାର୍ଯ୍ୟରତ ଥିବା ବେଳେ ଆସନ୍ତାକାଲି ଠାରୁ ପୂର୍ବଭଳି କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଗୁରୁବାର ରାତିରେ ଗିରଫ ହୋଇଛନ୍ତି। ଡିସିପି କାର୍ଯ୍ୟାଳୟରେ ଆତ୍ମସମର୍ପଣ କଲା ପରେ ପୁଲିସ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଛି। ଏଥି ସହିତ ବିଏମ୍‌ସିର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। 

ବିଏମ୍‌ସିର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଗତ ସୋମବାର ଦିନ ଆକ୍ରମଣ କରାଯିବା ପରେ ପୁଲିସ ସୋମବାର ୩ଜଣ, ମଙ୍ଗଳବାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। କିନ୍ତୁ ଆକ୍ରମଣ ଘଟଣାରେ ଜଗନ୍ନାଥ ପ୍ରଧାନଙ୍କ ସଂପୃକ୍ତି ଥିବା ଦାବି କରିଥିଲା ଓଏଏସ୍‌ ସଂଘ। ସଂଘ ପକ୍ଷରୁ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଦାବି କରାଯାଇଥିଲା। ଗତ ମଙ୍ଗଳବାର ଠାରୁ ଓଏଏସ୍‌ ସଂଘ ଆନ୍ଦୋଳନ କରିବା ପରେ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଏକପ୍ରକାର ଅଚଳ ହୋଇଯାଇଥିଲା। 

ଓଏଏସ୍‌ ସଂଘର ସଭାପତି ଜ୍ୟୋତିରଂଜନ ମିଶ୍ର କହିଛନ୍ତି, ଆମେ ଦୁଇ-ତିନି ଦିନ ସାମୟିକ ଛୁଟିରେ ଥିଲୁ। ଆମେ ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିଲୁ। ଆଗାମୀ ଦିନରେ ମଧ୍ୟ ସୂଚାରୁ ରୂପେ ସେବା ଯୋଗାଇ ଦେବୁ। କାଲିଠାରୁ ସଂଘର କର୍ମଚାରୀମାନେ ନିଜନିଜ କାର୍ଯ୍ୟରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛୁ। ସେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଆମ ସଂଘର କର୍ମଚାରୀମାନେ ଜରୁରୀକାଳୀନ ସେବାରେ ଯୋଗ ଦେଇଛନ୍ତି। ଆଜି ବନ୍ୟାଞ୍ଚଳରେ ଓଏଏସ୍‌ ଅଧିକାରୀମାନେ କାମ କରିଛନ୍ତି। 

ଭୁବନେଶ୍ବର ଡିସିପି ଜଗମୋହନ ମୀନା କହିଛନ୍ତି, ଜଗନ୍ନାଥ ପ୍ରଧାନ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ବିଭିନ୍ନ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ଆକ୍ରମଣ ଘଟଣାରେ ଏପର୍ଯ୍ୟନ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।  

ଅନ୍ୟପକ୍ଷରେ ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀକୁ ତାଙ୍କ ସମର୍ଥକମାନେ ତୀବ୍ର ବିରୋଧ କରିଛନ୍ତି। ସମର୍ଥକମାନେ କହିଛନ୍ତି, ଯଦି ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି, ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁ ମଧ୍ୟ ଗିରଫ ହେବା ଦରକାର। ଜଣେ ସମର୍ଥକମାନେ କହିଛନ୍ତି, ଜଗନ୍ନାଥ ପ୍ରଧାନଙ୍କ କୌଣସି ଭୁଲ ନାହିଁ। ଯଦି ଜଗନ୍ନାଥ ପ୍ରଧାନଙ୍କ ଭୁଲ ଥିଲା, ପୁଲିସ ଘଟଣାର ତଦନ୍ତ କରିବାର ଥିଲା। ତଦନ୍ତରେ ସେ ଯଦି ଅଭିଯୁକ୍ତ ପ୍ରମାଣିତ ହୋଇଥାନ୍ତେ ଗିରଫ କରିଥିଲେ କୌଣସି ଆପତ୍ତି ନଥିଲା। 

ଡିସିପି କାର୍ଯ୍ୟାଳୟରେ ଆଜି ରାତି ୯ଟା ୪୦ରେ ପହଞ୍ଚି ଜଗନ୍ନାଥ ପ୍ରଧାନ କହିଥିଲେ, ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ଘଟଣାକୁ ମୁଁ ସବୁବେଳେ ନିନ୍ଦା କରିଆସୁଛି। ଏହି ଆକ୍ରମଣ ଘଟଣାରେ ମୋର କୌଣସି ସଂପୃକ୍ତି ନାହିଁ। ଓଏଏସ୍‌ ସଂଘ ମୋର ଗିରଫ ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଆନ୍ଦୋଳନ କାରଣରୁ ଜନସାଧାରଣ ପ୍ରଭାବିତ ହୋଇପାରନ୍ତି। ରଥଯାତ୍ରା ଓ ବନ୍ୟା ସମୟରେ ପ୍ରଶାସନିକ ବ୍ୟବସ୍ଥା ପ୍ରଭାବିତ ହୋଇପାରେ। ମୋହନ ଚରଣ ମାଝୀ ସରକାର ବଦନାମ ନହୁଅନ୍ତୁ ଏହା ମୁଁ ଚାହେଁ। କିନ୍ତୁ ସରକାରଙ୍କ ସମ୍ମାନ, ବୃହତ୍ତର ସ୍ବାର୍ଥ ପାଇଁ ସହଯୋଗ କରିବି।