ଯାଜପୁର: ୨୦୧୯ ବ୍ୟାଚର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ଟପର ଅଶ୍ଵିନୀ କୁମାର ପଣ୍ଡା ଯେତେବେଳେ ବଡ଼ ସଫଳତା ହାସଲ କରିଥିଲେ ପରିବାର, ଗାଁ ଲୋକ, ବନ୍ଧୁବାନ୍ଧବ, ସାଙ୍ଗାସାଥୀ, ଶିକ୍ଷକ ଓ ତାଙ୍କୁ ଜାଣିଥିବା ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଥିଲା। ଆତ୍ମୀୟ ଲୋକଙ୍କ ମନରେ ଏକ ଭିନ୍ନ ଆଶା ଥିଲା। ସମସ୍ତେ ଭାବୁଥିଲେ ଅଶ୍ବିନୀ ଯେଉଁଠି କାମ କରିବ, ସୁନାମ ଅର୍ଜନ କରିବ। କିନ୍ତୁ ଲୋକଙ୍କର ଭାବନା ଭିନ୍ନ ହୋଇଛି। ସେ ଚାକିରି କରିବାର ମାତ୍ର କେଇଟା ବର୍ଷ ମଧ୍ୟରେ ଦୁର୍ନୀତିରେ ମାତିଥିବା ପ୍ରମାଣିତ ହୋଇଛି। ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି।
ଏକ ଚାଷ ଜମିକୁ ଆବାସିକ ଜମିରେ ବଦଳାଇବା ପାଇଁ ମ୍ୟୁଟେସନ କେସରେ ଶ୍ରୀ ପଣ୍ଡା ଜଣେ ବ୍ୟକ୍ତିଙ୍କ ଠାରୁ ନିଜ ଡ୍ରାଇଭରଙ୍କ ଜରିଆରେ ୧୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଛନ୍ତି।
ଓଏଏସ୍ ଟପର ହୋଇ ତହସିଲଦାର ଭାବେ ନିଯୁକ୍ତି ପାଇଥିବା ସମ୍ବଲପୁରଜିଲ୍ଲା ବାମରା ତହସିଲଦାର ଅଶ୍ଵିନୀ କୁମାର ପଣ୍ଡା ଆଜି ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏକ ଚାଷ ଜମିକୁ ଆବାସିକ ଜମିରେ ବଦଳାଇବା ପାଇଁ ମ୍ୟୁଟେସନ କେସରେ ଶ୍ରୀ ପଣ୍ଡା ଜଣେ ବ୍ୟକ୍ତିଙ୍କ ଠାରୁ ନିଜ ଡ୍ରାଇଭରଙ୍କ ଜରିଆରେ ୧୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିବା ସୂଚନା ମିଳିଛି।
ଏହାପରେ ଭିଜିଲାନ୍ସ ପକ୍ଷରୁ ଶ୍ରୀ ପଣ୍ଡାଙ୍କ ବିଭିନ୍ନ ଠିକଣାରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳର ଯାଞ୍ଚ୍ ଜାରି ରହିଛି। ଏହି କ୍ରମରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ କ୍ଷେତ୍ରପାଳ ଗ୍ରାମରେ ଥିବା ତାଙ୍କ ପୈତୃକ ଘରେ ଆଜି ଭିଜିଲାନ୍ସର ୭ ଜଣିଆ ଟିମ୍ ପହଞ୍ଚିଥିଲେ। ଗାଁରେ ତାଙ୍କର ୩ ମହଲା ବିଶିଷ୍ଟ ଏକ ବିଶାଳ କୋଠା ରହିଛି। ଶ୍ରୀ ପଣ୍ଡାଙ୍କର ଏହି ଘରେ କେବଳ ବୟସ୍କ ବାପା-ମା ରୁହନ୍ତି। ଭିଜିଲାନ୍ସ ଅଧିକାରୀମାନେ ସେମାନଙ୍କୁ ପଚରାଉଚରା କରିବା ସହିତ ଘରର ବିଭିନ୍ନ କାଗଜପତ୍ର ଯାଞ୍ଚ୍ କରିଥିଲେ। ଦିନ ୧ଟାରୁ ପହଞ୍ଚିଥିବା ଏହି ଟିମ୍ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀ ପଣ୍ଡାଙ୍କ ଘରେ ଛାନଭିନ୍ ଚଳାଇଥିଲେ।
Bhubaneswar