ଭୁବନେଶ୍ବର: ଭାଇଙ୍କର କଲ୍ୟାଣ ପାଇଁ ଯେମିତି ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଥାଏ, ପଶ୍ଚିମ ଓଡ଼ିଶାରେ ଏହି ଭଳି ଏକ ନିଆରା ପର୍ବ ହେଉଛି ଭାଇ ଭାଇଜିଉନ୍ତିଆ। ଶାରଦୀୟ ନବରାତ୍ରୀର ମହାଷ୍ଟମୀ ଅବସରରେ ସନ୍ଧ୍ୟାରେ ଏହି ପର୍ବ ପାଳନ କରାଯାଇଥାଏ। ଆଜି ପଶ୍ଚିମ ଓଡ଼ିଶାର ବିବାହିତ ଓ ଅବିବାହିତ ଭଉଣୀମାନେ ସେମାନଙ୍କର ଭାଇଙ୍କ ମଙ୍ଗଳ କାମନା କରି ଏହି ପୂଜା କରିଛନ୍ତି।

Advertisment

ଭାଇ ଜିଉନ୍ତିଆ ପାଇଁ ପଶ୍ଚିମ ଓଡ଼ିଶାର ଗାଁ ଠାରୁ ସହର ପର୍ଯ୍ୟନ୍ତ ଚଳଚଞ୍ଚଳ ଦେଖାଯାଇଛି। ବିବାହିତ ଝିଅମାନେ ବାପଘରକୁ ଆସି ଗାଁର ପୁରାତନ ସାଙ୍ଗମାନଙ୍କ ସହିତ ଗାଁର ପ୍ରମୁଖ ସ୍ଥାନରେ ଏକତ୍ର ହୋଇ ପୂଜା କରିଛନ୍ତି। ଏହି ଓଷାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭଉଣୀମାନେ ଭାଇର ମଙ୍ଗଳ ମନାସି ଦୁର୍ଗାଷ୍ଟମୀ ଦିନ ନିର୍ଜଳା ଉପବାସ ରହିଥାନ୍ତି। ସନ୍ଧ୍ୟା ସାତଟାରୁ ଆରମ୍ଭ ହୋଇଥାଏ ଭାଇଜିଉନ୍ତିଆ ପୂଜା ପର୍ବ। ପ୍ରାୟତଃ ଗ୍ରାମରେ ଗୋଟିଏ ସ୍ଥାନରେ ହେଉ ବା ଦେବୀ ମନ୍ଦିର ସମ୍ମୁଖରେ ଏହା ପାଳନ କରାଯାଇଥାଏ। ଯେଉଁଠାରେ ମନ୍ଦିର ନଥାଏ, ସେଠାରେ କୋଠି ବା ପୂଜା ମଣ୍ଡପ ନିର୍ମାଣ କରାଯାଇଥାଏ ।

ଚାରିଟି ଖୁଣ୍ଟ ପୋତି ନୂଆ ଚାନ୍ଦୁଆ ଓ ଆମ୍ବ ତୋରଣ କରି ନୁଆ ବସ୍ତ୍ର ପକାଇ ତା’ଉପରେ ମା’ ଦୁର୍ଗାଙ୍କ ଫଟୋ ରଖି ପୂଜା କରିଥାନ୍ତି ବ୍ରତଧାରି ମା’ ଓ ଭଉଣୀମାନେ। ଭାଇଘର ଦେଇଥିବା ନୂତନ ଶାଢ଼ି ପରିଧାନ କରି ଏହି ବ୍ରତ କରି ବ୍ରାହ୍ମଣ ଙ୍କଠାରୁ ଭାଇଜିଉନ୍ତିଆ ଓଷା କଥା ଶୁଣିଥାନ୍ତି ଭଉଣୀମାନେ। ୧୦୮ ଦୁବ, ୧୦୮ ଅକ୍ଷତ, ଭେଣ୍ଡିକୁ ଏକ ଶାଳ ପତ୍ରରେ ବିଡ଼ା ବାନ୍ଧି ତା’ପରେ ଜିଉନ୍ତିଆକୁ ବାନ୍ଧିଥାଆନ୍ତି। ତାକୁ ଓଷା ସମୟରେ ପ୍ରଥମେ ମା’ ଦୁର୍ଗାଙ୍କୁ ଏହି ଦୁବ ଅର୍ପଣ କରିଥାନ୍ତି ଭାଇର ମଙ୍ଗଳ କାମନା କରିବା ସହିତ ଭଉଣୀମାନେ ୧୦୮ ବର୍ଷର ଆୟୁଷ ମାଗିଥାନ୍ତି। ଏଥିରେ ଦଶ ପ୍ରକାର ଫୁଲ ଓ ଦଶ ପ୍ରକାର ଫଳ ମା’ ଦୁର୍ଗାଙ୍କୁ ଅର୍ପଣ କରିଥାନ୍ତି। ଏଥିରେ ବିଶେଷ ଭାବରେ କଖାରୁ ଫୁଲକୁ ଗୁରୁତ୍ବ ଦିଆଯାଇଥାଏ। 

ପୁରାଣରେ ଲେଖା ଅଛି ପ୍ରଭୁ ଶ୍ରୀରାମଚନ୍ଦ୍ର ମହାନବମୀ ତିଥିରେ ଏକଲକ୍ଷ ଆଠ ପଦ୍ମଫୁଲ ମା’ ଦୁର୍ଗାଙ୍କୁ ଅର୍ପଣ କରି ବର ପାଇ ଦଶହରା ଦିନ ରାବଣ ବଧ କରିଥିଲେ। ଯେଉଁମାନେ ଏକ ଲକ୍ଷ ଆଠ ପଦ୍ମଫୁଲ ପାଇବେ ନାହିଁ, ସେମାନେ ମହାଷ୍ଟମୀ ଦିନ ଗୋଟିଏ କଖାରୁ ଫୁଲ ମା’ଙ୍କୁ ଅର୍ପଣ କଲେ ଏହି ଫଳ ପ୍ରାପ୍ତି ହୋଇଥାଏ। ଏହାସହିତ ସୀତାଫଳକୁ ମା’ଙ୍କୁ ଅର୍ପଣ କରାଯାଏ।

ଏହି ଓଷା ସରିଲା ପରେ ସମସ୍ତ ଓଷାଇତିମାନେ ପରଦିନ ସକାଳୁ ନଦୀ ବା ନାଳକୁ ଯାଇ କାଠି ଗାଡ଼ି ଚଣା ଗିଳିଥାନ୍ତି। ସେଠାରୁ ଫେରିବା ପରେ ଘରେ ଜାଗର ଜାଳି ସେହି ଦୁବକୁ ଭାଇର ମୁଣ୍ଡରେ ସାତ ଥର ଛୁଆଁଇ ମଙ୍ଗଳ କାମନା କରିଥାନ୍ତି। ଏହାସହିତ ଭଉଣୀମାନେ ଭାଇକୁ ଖାଇବାପାଇଁ କିଛି ମିଷ୍ଟାନ୍ନ ଦେଇଥାନ୍ତି। ତା’ଛଡ଼ା କିଛି ନୂଆ ବସ୍ତ୍ର ଦେଇଥାନ୍ତି। ଏହାପରେ ଏହି ବ୍ରତ ପାଳନ ସମ୍ପୂର୍ଣ୍ଣ ହୋଇଥାଏ।  

Odia culture