କାଳିଆପାଣି(ରବି ନାରାୟଣ କର): ମାନବିକତା ମରିଯାଇଛି। ଅର୍ଥ ଲୋଭୀମାନେ କୌଶଳକ୍ରମେ ମନୁଷ୍ୟ ବିକ୍ରି କରିବା ପାଇଁ ପଛାଉ ନାହାନ୍ତି। ରାକ୍ଷସରୂପୀ ମନୁଷ୍ୟ ଅର୍ଥ ଲାଳସାରେ କୌଶଳ କ୍ରମେ ମନୁଷ୍ୟ ବିକ୍ରି କରୁଛି ଅଥବା ଚାଲାଣ କରୁଛି। ରାଜ୍ୟରେ ଏହିଭଳି ଘଟଣା ବାରମ୍ବାର ଘଟୁଛି। ଯାଜପୁରର ଝିଅ ମଧ୍ୟପ୍ରଦେଶରେ ବିକ୍ରି ହୋଇଥିବା ଏବେ ଅଭିଯୋଗ ଆସିଛି। ଯାଜପୁର ଜିଲ୍ଲାର ୨ ଜଣିଆ ମହିଳା ରାକେଟ୍‌ ଷଡ଼୍‌ଯନ୍ତ୍ର କରି ଜଣେ ନାବାଳିକା କଲେଜ୍‌ ଛାତ୍ରୀଙ୍କୁ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିକୁ ବିକି ଦେଇଥିଲେ। ଘଟଣାର ପାଖାପାଖି ୨ ମାସ ପରେ କାଳିଆପାଣି ପୁଲିସ ମଧ୍ୟପ୍ରଦେଶରୁ ଏହି କିଣାକନ୍ୟାଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ପୀଡ଼ିତା ନାବାଳିକାଙ୍କୁ ବେଆଇନ ଭାବେ କିଣି ବିବାହ କରିଥିବା ଅଭିଯୁକ୍ତ ଯୁବକକୁ ପୁଲିସ ଉଠାଇ ଆଣି କାଳିଆପାଣି ଥାନାରେ ଅଟକ ରଖିଛି। ଆଜି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତା ଓ ଅଭିଯୁକ୍ତର ଡାକ୍ତରୀମାଇନା କରାଯାଇଥିବା ସୂଚନା ମିଳିଛି।

Advertisment

ଏହି ଘଟଣାକ୍ରମ ନେଇ ଗତ ୧୨ ତାରିଖ କାଳିଆପାଣି ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏ ସଂପର୍କରେ ଏସ୍‌ପି ଯଶ ପ୍ରତାପ ଶ୍ରୀମଲ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମଧ୍ୟପ୍ରଦେଶ ରାଜ୍ୟର ସାଗର ଟାଉନ ଥାନା ଇଲାକାରେ ଅଭିଯୁକ୍ତ ଓ ପରିବାର ରହୁଥିବା ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଥିଲା। ଏହି ଆଧାରରେ ଗତ ୧୯ ତାରିଖ ସକାଳୁ ସ୍ଥାନୀୟ ପୁଲିସ ସହାୟତାରେ କାଳିଆପାଣି ପୁଲିସ ପକ୍ଷରୁ ୫ ଜଣିଆ ସ୍ବତନ୍ତ୍ର ଟିମ୍‌ ଏକ ବୋଲେରୋରେ ମଧ୍ୟପ୍ରଦେଶ ଅଭିଯାନରେ ବାହାରିଥିଲେ।

୨୪ ଘଣ୍ଟା ଧରି ଅକ୍ଳାନ୍ତ ଯାତ୍ରାରେ ୧୧ ଶହ କିଲୋମିଟରରୁ ଅଧିକ ସଡ଼କ ପଥ ଅତିକ୍ରମ କରି କାଳିଆପାଣି ପୁଲିସ ପୀଡ଼ିତାଙ୍କ ପାଖାପାଖି ସାଗର ସଦର ଥାନା ପହଞ୍ଚି ଯାଇଥିଲା। ପୀଡ଼ିତାଙ୍କୁ ବିବାହ କରିଥିବା ଅଭିଯୁକ୍ତର ବଡ଼ଭାଇ ଏହି ଥାନା ଅନ୍ତର୍ଗତ ଏକ ସ୍କୁଲରେ ପିଅନ ଭାବେ ଚାକିରି କରନ୍ତି। ଠିକ‌ା ଶ୍ରମିକ ଭାବେ କାମ କରୁଥିବା ଅଭିଯୁକ୍ତ ପୀଡ଼ିତାଙ୍କୁ ନେଇ ସେହି ସ୍କୁଲ ପରିସରରେ ଏକ ଘରେ ଏକାଠି ଦମ୍ପତି ଭାବେ ରହୁଥିବା ସ୍ପଷ୍ଟ ହୋଇଥିଲା। ମଧ୍ୟପ୍ରଦେଶ ପୁଲିସ ସହାୟତାରେ କାଳିଆପାଣି ପୁଲିସ ସ୍କୁଲରେ ଚଢ଼ଉକରି ପୀଡ଼ିତା ନାବାଳିକାଙ୍କୁ ଉଦ୍ଧାର କରିଥିଲା।

ଯୁବତୀ ଚୋରା ଚାଲାଣ ରାକେଟ୍‌ର କିଙ୍ଗପିନ୍‌ କୁହାଯାଉଥିବା ଯାଜପୁର ଜିଲ୍ଲାର ଜଣେ ମହିଳାଙ୍କ ସାନ ଭଉଣୀ କୁହିକା ମହାଗିରି ହାଇସ୍କୁଲରେ ପଢ଼ୁଥିଲେ। ଉକ୍ତ ସ୍କୁଲରେ ପଢ଼ୁଥିବା ଏହି ପୀଡ଼ିତା ନାବାଳିକାଙ୍କ ସହ ୨ ଉଭଣୀ ଛଳନାପୂର୍ଣ୍ଣ ଭାବେ ସଂପର୍କ ନିବିଡ଼ କରିଥିଲେ। ଗତ ଗ୍ରୀଷ୍ମଛୁଟିରେ ଅଭିଯୁକ୍ତ ଯୁବତୀ ଦ୍ବୟ ଏକାଧିକ ବାର ପୀଡ଼ିତାଙ୍କ ଘରକୁ ଆସି ବିଭିନ୍ନ ପ୍ରଲୋଭନ ଦେଖାଇଥିଲା। ଏବର୍ଷ ମାଟ୍ରିକ୍‌ ପାସ୍‌ ପରେ ଏକ କଲେଜ୍‌ରେ ନାଁ ଲେଖାଇଥିବା ପୀଡ଼ିତା ଜଣକ ଏହି ମହିଳା ରାକେଟ୍‌ କଥାରେ ଫସି ଯାଇଥିଲେ। 

ଗତ ଜୁନ ମାସ ୨୭ ତାରିଖରେ ନାଟକୀୟ ଭାବେ ସେ ଅପହୃତା ହୋଇଥିଲେ। ତୀର୍ଥଯାତ୍ର‌ା ଓ ପରିଭ୍ରମଣ ନାଁରେ ମଧ୍ୟପ୍ରଦେଶ ପହଞ୍ଚିବା ପରଦିନ ଭଲରେ ଅଛି ବୋଲି ପୀଡ଼ିତା ଘରକୁ ଜଣାଇଥିଲେ। ସେଠାରେ ତାଙ୍କୁ ବିବାହ କରିବାକୁ ପଡ଼ିଥିଲା। ଏହାର କିଛିଦିନ ପରେ ସେ ବିକ୍ରି ହୋଇଯାଇଥିବା ପୀଡ଼ିତା ଜାଣିବାକୁ ପାଇଥିଲେ। ଶାଶୂଘର ଲୋକେ ଟଙ୍କା ଦେଇ ତାଙ୍କୁ କିଣିଥିବା ଶୁଣି ସେ ଡରି ଯାଇଥିଲେ। ଷଡ଼ଯନ୍ତ୍ରର ଶିକାର ହୋଇଥିବା ଜାଣି ପୀଡ଼ିତା ଗତ ୧୦ ତାରିଖରେ ନିଜ ଗାଁର ଜଣେ ସଂପର୍କୀୟଙ୍କୁ ତାଙ୍କ ବିବାହ ଓ ଶାଶୂଘରେ ରାଖୀ ଉତ୍ସବ ସମୟର ଫଟୋ ଓ ଭିଡିଓ ପଠାଇଥିଲେ। ସେଦିନ ଘଣ୍ଟାଏ ଧରି ପରିବାର ଲୋକଙ୍କ ସହ ମୋବାଇଲ୍‌ରେ ଚାଟିଂ କରିଥିଲେ। ଏସବୁ ଦେଖି ପରିବାର ଲୋକଙ୍କ ହୋସ୍‌ ଉଡ଼ି ଯାଇଥିଲା। 

Jajpur