ଭୁବନେଶ୍ୱର: ଭାରତବର୍ଷର ପ୍ରଥମ ଭାଷାଭିତ୍ତିକ ରାଜ୍ୟର ଭାଷା ନିଜ ମାତୃଭାଷା ‘ଓଡ଼ିଆ’ ହେବାପାଇଁ ଦୀର୍ଘ ବର୍ଷର ଲଢ଼େଇ ଯାହାକି ଇଂରେଜ ଶାସନ ସମୟରୁହିଁ ଆରମ୍ଭ ହୋଇଥିଲା। ଓଡ଼ିଶାର ପଶ୍ଚିମାଞ୍ଚଳରେ ହିନ୍ଦୀ ଭାଷା, ଉପକୂଳଅଞ୍ଚଳରେ ବଙ୍ଗାଳୀ ଭାଷା ଏବଂ ଦକ୍ଷିଣାଞ୍ଚଳରେ ତେଲଗୁ ଭାଷାକୁ ଲାଗୁ କରିବାନେଇ ଇଂରେଜୀ ସରକାରକୁ ବିରୋଧ କରିବାରୁ ନୂତନ ଭାବରେ ‘ଓଡିଶା’ ଭାଷାଭିତ୍ତିକ ଭୂଖଣ୍ଡ ସୃଷ୍ଟି ହୋଇଥିଲା। ଏହି ଓଡ଼ିଶା ଭୂଖଣ୍ଡରେ ଓଡ଼ିଆ ଭାଷା ପ୍ରଚଳନ ପାଇଁ ସର୍ବପ୍ରଥମେ ବରଗଡ଼ର ବିଧାୟକ ପଣ୍ଡିତ ଲଷ୍ମୀନାରାୟଣ ମିଶ୍ର ବିଧାନସଭାରେ ୧୯୪୮ ମସିହା ଅପ୍ରେଲ ୧ ତାରିଖରେ ପ୍ରସ୍ତାବ ଆଣିଥିଲେ। କିନ୍ତୁ ତାହା ପାରିତ ହୋଇପାରିନଥିଲା ୧୯୫୪ ମସିହାରେ ନବକୃଷ୍ଣ ଚୌଧୁରୀ ଭାଷା ଆଇନ ଆଣିଥିଲେ। କିନ୍ତୁ ତାହାର ନିୟମାବଳୀ ହୋଇନଥିବାରୁ ଭାଷା ଆଇନ ବିଧିବଦ୍ଧ ଲାଗୁ ହୋଇ ପାରିନଥିଲା।
ଭାଷା ଆନ୍ଦୋଳନ, ଓଡ଼ିଶା ତରଫରୁ ‘ଓଡ଼ିଆରେ ଓଡ଼ିଶାର ଶାସନ’ ଖିଲାପ କାରିକୁ ଦଣ୍ଡବିଧାନ ପାଇଁ ଭାଷା ଆଇନ ସଂଶୋଧନ ହୋଇ ନିୟମାବଳୀ ପ୍ରକାଶ କରିବାକୁ ଦାବି ନେଇ ୨୦୧୬ ଅପ୍ରେଲ ୧୩ରୁ ୨୦୧୮ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ କଳାପତାକା ଅଭିଯାନ କରି ପ୍ରତିବାଦ ହେଇଥିଲା।
ସରକାର ଆଇନ ସଂଶୋଧନ କରି ୨୦୧୯ ଅଗଷ୍ଟ ୧୭ରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବେ ଘୋଷଣା କଲେ ଏବଂ ଯେଉଁମାନେ ଏହି ଆଇନ ଉଲ୍ଲଙ୍ଘନ କରିବେ ସେମାନଙ୍କୁ ସରକାରୀ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ରାଜପତ୍ରରେ ପ୍ରକାଶ ପାଇବା ଦିନଠାରୁ ହିଁ ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ ପରିଗଣିତ ହେଲା। ଏଥି ପାଇଁ ଆଜିର ଦିନଟିକୁ "ଓଡ଼ିଆ ସରକାରୀ ଭାଷା ଦିବସ" ରୂପେ ପାଳନ କରୁଛୁ।
ଏହି ପ୍ରେକ୍ଷାପଟ୍ଟରେ ଭାଷା ଆନ୍ଦୋଳନ ତରଫରୁ ୮୭୮ ଦିନର ଆନ୍ଦୋଳନରେ ସାମିଲ ହୋଇଥିବା ଭାଷା ଯୋଦ୍ଧାମାନଙ୍କର ଭାଷା ପ୍ରତି ମମତ୍ୱବୋଧ ତଥା ଭାଷା ଆଇନ ପ୍ରଣେତା ନବକୃଷ୍ଣ ଚୌଧୁରୀ ତଥା ଓଡ଼ିଶା ନିର୍ମାତା ଉତ୍କଳଗୌରବ ମଧୁସୁଧନ ଦାସଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ସରକାରଙ୍କୁ ମନେ ପକାଇ ଦେବାକୁ ଚାହୁଁ ଓଡ଼ିଆରେ ଓଡ଼ିଶାର ଶାସନ ନଚେତ ଦଣ୍ଡ ବିଧାନ ପାଇଁ ଆଇନ କଡ଼ାକଡ଼ି ଭାବରେ ଲାଗୁ କରନ୍ତୁ। ଆଜିର ଏହି ଭାଷା ପାଇଁ ଘଣ୍ଟାଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଆଶିଷ ବେବାର୍ତା, ଆପୋଲୋ ସେଠି, ନବକିଶୋର ପ୍ରଧାନ, ନାରାୟଣ ଖୁଣ୍ଟିଆ, ବିସ୍ବରାଜ ନାୟକ, ସତ୍ୟ ରଞ୍ଜନ ସ୍ୱାଇଁ, ମାନସ ବସ୍ତିଆ, ବି ମୁରଲୀଧର, ମନୋଜ ନାୟକ, ନୀଳମଣି ମିଶ୍ର, ସାଗର ଶତପଥୀ, ସାରଦା ପ୍ରସାଦ ମହାପାତ୍ର ପ୍ରମୁଖ ଭାଷା ଯୋଦ୍ଧା ମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି ବୋଲି ଆବାହକ ପବିତ୍ର ମହାରଥା କହିଛନ୍ତି।