ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଜଣେ କାର୍ଯ୍ୟରତ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ପୂର୍ଣଚନ୍ଦ୍ର ଟାକ୍ରୀ (୩୪)ଙ୍କୁ ଛତିଶଗଡ଼ ଆମଲିପଦର ପୁଲିସ ଗୋଇଠା ମାରିବା ସହ ଫାଇରିଙ୍ଗର ଧମକ ଦେବା ଘଟଣାରେ ଆଜି ନବରଂଗପୁର ଜିଲ୍ଲାର ଗଣମାଧ୍ୟମର ପ୍ରତିନିଧିମାନେ ଆଜି ଥାନା ଆଗରେ ଧାରଣାରେ ବସିଛନ୍ତି। ଶ୍ରୀ ଟାକ୍ରୀଙ୍କ ଠାରୁ ବୁମ୍ ଏବଂ ଦୁଇଟି ମୋବାଇଲ ଫୋନ୍ ଛଡ଼ାଇ ନେବା ନେଇ ଗତକାଲି ସାମ୍ବାଦିକ ଜଣକ ଚନ୍ଦାହାଣ୍ଡି ଥାନାରେ ଛତିଶଗଡ଼ ପୁଲିସ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। କିନ୍ତୁ ଘଟଣାକୁ ଦୁଇଦିନ ବିତି ଯାଇଥିଲେ ସୁଦ୍ଧା ଏତଲାକାରୀଙ୍କୁ ଚନ୍ଦାହାଣ୍ଡି ପୁଲିସ ଏପର୍ଯ୍ୟନ୍ତ ଏଫ୍ଆଇଆର କପି ପ୍ରଦାନ କରୁନାହିଁ।
ସୂଚନା ମୁତାବିକ ଓଡ଼ିଶା ଏବଂ ଛତିଶଗଡ଼ ସୀମାନ୍ତ କୋଇଲିମୁଣ୍ଡା ଠାରେ ଥିବା ଏକ ଢ଼ାବାକୁ ଆଜି ମଧ୍ୟାହ୍ନ ସମୟରେ ଛତିଶଗଡ଼ର ଅମଲିପଦର ଥାନାର ୭ ଜଣ ପୁଲିସ ଢ଼ାବାକୁ ଆସି ଢ଼ାବା ମାଲିକଙ୍କୁ ଧମକ ଚମକ ଦେବା ଖବର ପାଇ ସାମ୍ବାଦିକ ପୂର୍ଣଚନ୍ଦ୍ର ଟାକ୍ରୀ ଖବର ସଂଗ୍ରହ ପାଇଁ ସୁରଜ ବଗର୍ତ୍ତୀ ନାମକ ଜଣେ ଯୁବକ ସହ ସେଠାକୁ ଯାଇ ନିଜ ମୋବାଇଲରେ ଫୋଟୋ ଉତ୍ତୋଳନ କରୁ ଥିବା ବେଳେ ଛତିଶଗଡ଼ ପୁଲିସ ତାଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରି ଥିବା ନେଇ ଅଭିଯୋଗ କରିଛନ୍ତି। ଏହା ସହ ତାଙ୍କ ଠାରୁ ବୁମ୍, ୨ଟି ମୋବାଇଲ ଫୋନ୍, ଛଡ଼ାଇ ସାଙ୍ଗରେ ଯାଇଥିବା ସୁରଜ ବଗର୍ତ୍ତୀଙ୍କୁ ଗାଡ଼ିରେ ବସାଇ ଅମଲିପଦର ଥାନାକୁ ନେଇ ଥିଲେl ତେବେ ଗତକାଲି ରାତିରେ ସୁରଜକୁ ଛାଡିଦେଇଥିଲେ।
ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଛତିଶଗଡ଼ ପୁଲିସର ଏପରି କାର୍ଯ୍ୟକୁ ନା ପସନ୍ଦ କରିବା କରାଯାଇଛିl ଘଟଣାକୁ ଜିଲ୍ଲା ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ସଂଘର ଅଧକ୍ଷ ପ୍ରଶାନ୍ତ କୁମାର ସାହୁ ଦୃଢ଼ ନିନ୍ଦା କରିବା ସହ ଛତିଶଗଡ଼ ପୁଲିସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତିl
ଦୁଇ ଦିନ ପରେ ମଧ୍ୟ ପୁଲିସ କାହିଁକି ଏତଲା ପଞ୍ଜୀକରଣ କରି ନାହିଁ ତାକୁ ନେଇ ବିଭିନ୍ନ ମହାଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଛତିଶଗଡ ପୁଲିସ ସାମ୍ବାଦିକଙ୍କ ମୋବାଇଲ ଚନ୍ଦାହାଣ୍ଡି-ଛତିଶଗଡ ସୀମାନ୍ତକୁ ଆସି ନେଇଯିବାକୁ କହୁଥିବା ଚନ୍ଦାହାଣ୍ଡି ଆଇଆଇସି ପ୍ରଶାନ୍ତ କୋଲ୍ଲାହର୍ଷ ସାମ୍ବାଦିକଙ୍କୁ କହୁଥିବା ସହ ମୋବାଇଲରେ ରହିଥିବା ଭିଡିଓ ଡିଲିଟ କରିବାକୁ ଆମଲିପଦର ଆଇଆଇସି କହୁଥିବା କହିଛନ୍ତି।
ତେବେ ସାମ୍ବାଦିକ ସଂଘ ଏହାକୁ ବିରୋଧ କରିବା ସହ ଉକ୍ତ ମୋବାଇଲରେ ଛତିଶଗଡ଼ ପୁଲିସର ବେଆଇନ ଓଡ଼ିଶାରେ ଅନୁପ୍ରବେଶକୁ ପଦାରେ ପକେଇବ। ଛତିଶଗଡ଼ ପୁଲିସ ଓଡ଼ଶାରେ ଥିବା ଢ଼ାବାରୁ ୧୮୦ ଲିଟର ମଦ ତାଙ୍କ ପୁଲିସ ଗାଡ଼ିରେ ଭର୍ତ୍ତି କରିଥିବା ଭିଡିଓ ସହ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ଭିଡିଓ ରହିଛି। ଓଡ଼ିଶା ଢାବାରୁ ଛତିଶଗଡ଼ ପୁଲିସ କିଭଳି ମଦ ଜବତ କଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବାସହ ଓଡ଼ିଶା ପୁଲିସର ପାରିବା ପଣିଆକୁ ପଦାରେ ପକେଇଛି।