ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁବର୍ଣ୍ଣ ଯୁଗ ଫେରିଛିl ଓଡ଼ିଆ ଚଳଚ୍ଚିତ୍ର ଦେଖିବା ପାଇଁ ଯୁବପିଢ଼ିଙ୍କର ଲମ୍ବା ଧାଡ଼ି ଲମ୍ବିଛିl ପ୍ରେକ୍ଷାଳୟ ଭିତରେ ବାହାରେ ସବୁଠି ଗହଳି ଦେଖିବାକୁ ମିଳୁଛିl ରଜ ପରେବି ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏବଂ ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଜନଗହଳି ସେଇ ସୁବର୍ଣ୍ଣ ଯୁଗକୁ ଫେରେଇ ଆଣିଛିl ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ‘ରାଣ୍ଡୀପୁଅ ଅନନ୍ତା’ ଅବଲମ୍ବନର କାହାଣୀକୁ ନେଇ ନିର୍ମାଣ ହୋଇଥିବା ଚଳଚ୍ଚିତ୍ର ‘ଅନନ୍ତା’ ଦୁଇ ସପ୍ତାହ ଧରି ହାଉସଫୁଲ ଚାଲିଥିବା ବେଳେ, ମହାରାଜା ସିନେମା ହଲ୍ରେ ଶହଶହ ଦର୍ଶକମାନଙ୍କ ଗହଣରେ ବସି ଭୁବନେଶ୍ୱର (ଏକାମ୍ର)ର ବିଧାୟକ ବାବୁ ସିଂହ, ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ, ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ଅନେକ ଯୁବନେତା ଏକାଠି ବସି ସମ୍ପୂର୍ଣ୍ଣ ଅନନ୍ତା ଚଳଚ୍ଚିତ୍ର ଦେଖିଥିଲେ।
ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏବଂ ଅଭିନେତା ସବ୍ୟସାଚୀ ମିଶ୍ର ମଧ୍ଯ ଉପସ୍ଥିତ ଥିଲେ। ଦର୍ଶକଙ୍କ ସମେତ ବିଧାୟକ ବାବୁ ସିଂ ମଧ୍ୟ ଚଳଚ୍ଚିତ୍ର ଦେଖି ଭାବ ବିହ୍ଵଳ ହୋଇଥିଲେ ଏବଂ ନିର୍ମାତା, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀଙ୍କ ସମେତ ଚଳଚ୍ଚିତ୍ରର ସମସ୍ତ ବିଭାଗରେ କାମ କରିଥିବା କର୍ମକର୍ତ୍ତାଙ୍କର ଭୁରିଭୁରି ପ୍ରଶଂସା କରିଥିଲେl
ଏହି ଖବର ପଢ଼ନ୍ତୁ: ଅଚାନକ ସିନେମା ହଲ୍ରେ ପହଞ୍ଚିଲେ ‘ଅନନ୍ତା’
ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଓଡ଼ିଆ ଅସ୍ମିତାର କଥା ହୋଇଥିବାରୁ ଏହା ସରକାରୀ ସ୍ତରରେ ପ୍ରୋତ୍ସାହନ ପାଇବା ତଥା ଟାକ୍ସ ଫ୍ରି ହେବା ଦିଗରେ ତାଙ୍କ ତରଫରୁ ଚେଷ୍ଟା କରିବା କଥା କହିଥିଲେ ବିଧାୟକ ଶ୍ରୀ ସିଂହl ପ୍ରାୟ ୧୧୩ ବର୍ଷ ତଳର ଗପକୁ ୨୦୨୫ ମସିହାରେ ସେ ସମୟର ପରିବେଶ, ପରିସ୍ଥିତିକୁ ପରିକଳ୍ପନା କରି ଚଳଚ୍ଚିତ୍ର ନିର୍ମାଣ କରି ସଠିକ ନ୍ୟାୟ ଦେଇଥିବାରୁ ନିର୍ମାତାଙ୍କୁ ପ୍ରଶଂସା କରିଥିଲେl ଆମ ମାଟିର କଥାକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହୋଇଥିବାରୁ ଅଧିକରୁ ଅଧିକ ଦର୍ଶକଙ୍କୁ ଅନନ୍ତା ଚଳଚ୍ଚିତ୍ର ଦେଖିବାକୁ ଗଣମାଧ୍ୟମ ମାଧ୍ୟମରେ ଅନୁରୋଧ କରିଥିଲେl
Entertainment