ନବରଙ୍ଗପୁର: ସୀମାନ୍ତ ଛତିଶଗଡ଼କୁ ଲାଗି ରହିଥିବା ନବରଙ୍ଗପୁର ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ମୌଳିକ ସୁବିଧା ସୁଯୋଗର ଘୋର ଅଭାବ ଦେଖାଯାଉଛି। ସରକାରୀ ଯୋଜନାଗୁଡ଼ିକ ମଧ୍ୟ ଠିକ୍ ଭାବେ କାର୍ଯ୍ୟକାରୀ ହୋଇ ପାରୁନାହିଁ। ସରକାରଙ୍କ ଏହି ଅବହେଳା ଯୋଗୁଁ ଏହି ସୀମାନ୍ତବର୍ତ୍ତୀ ଗାଁଗୁଡ଼ିକ ଏବେ ଓଡ଼ିଶା ହାତରୁ ଖସିବାକୁ ବସିଲାଣି। ଧୀରେଧୀରେ ଏଠାରେ ଓଡ଼ିଶା ବିରୋଧୀ ମନୋଭାବ ବୃଦ୍ଧି ପାଉଛି।

Advertisment

ଛତିଶଗଡ଼ ସରକାରଙ୍କ ପକ୍ଷରୁ ଏଠାରେ ଶିକ୍ଷା, ସ୍ବାସ୍ଥ୍ୟସେବା ଓ ଗମନାଗମନର ସୁବିଧା ସହ ଅନ୍ୟାନ୍ୟ ଜନମଙ୍ଗଳକାରୀ ଯୋଜନା ମଧ୍ୟ ପ୍ରଣୟନ କରି ସାମିଲ କରାଯାଉଛି। ଏମିତିକି ଓଡ଼ିଶାର କିଛି ଗାଁରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ରାସନ୍‌କାର୍ଡ ମଧ୍ୟ ପ୍ରଦାନ କରାଯାଇଛି। ବିଦ୍ୟାଳୟ ସ୍ଥାପନ କରି ଛତିଶଗଡି (ହିନ୍ଦିରେ) ଶିକ୍ଷାଦାନ ଦିଆଯାଉଛି। ପରିଣାମ ସ୍ବରୂପ ଏହି ଅଞ୍ଚଳରେ ଓଡିଆ ଭାଷା ଓ ସଂସ୍କୃତି ସଂକଟରେ ପଡ଼ିଥିବା ଲକ୍ଷ୍ୟ କରାଯାଉଛି।

ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ଉଦାସୀନତା ଯୋଗୁଁ ଜିଲ୍ଲାର ଡାବୁଗାଁ, କୋଷାଗୁମୁଡା, ଉମରକୋଟ, ରାଇଘର ଓ ଚନ୍ଦାହାଣ୍ଡି ବ୍ଳକର ଅନେକ ଗାଁ ପଡୋଶୀ ଛତିଶଗଡ଼ ଉପରେ ସଂପୂର୍ଣ ଭାବେ ନିର୍ଭରଶୀଳ। କୋଷାଗୁମୁଡା ବ୍ଲକର ସନ୍ତୋଷପୁର, ବଡଆମ୍ବଡା, ଉକିଆପଲ୍ଲୀ, ଧାନୁଆ, ମୋତିଗାଁ ଆଦି ଅନେକ ଗୁଡିଏ ଗାଁକୁ ଉଦାହରଣ ଭାବେ ନିଆଯାଇପାରେ। ସଂପୃକ୍ତ ଗାଁ ଦେଇ ଯାଇଥିବା ରାସ୍ତାର ଗୋଟିଏ ପାର୍ଶ୍ବ ଓଡ଼ିଶାର ହୋଇଥିବା ବେଳେ ଅପର ପାର୍ଶ୍ଵ ଛତିଶଗଡ଼। ଏହିସବୁ ଗାଁର ଲୋକେ ନବରଙ୍ଗପୁର ଆସିବା କଷ୍ଟକର। କିନ୍ତୁ ଛତିଶଗଡ଼ର ଜଗଦଲପୁର ଅତି ନିକଟ। ମାତ୍ର ୧୦ରୁ ୨୦କିଲୋମିଟର ଦୂରତା।

ଉମରକୋଟ ବ୍ଲକର ସଂସାରୀ, ତାରେଙ୍ଗା ଗାଁର ଅବସ୍ଥା ମଧ୍ୟ ସମାନ। ଓଡ଼ିଶା ସରକାରଙ୍କ ପାଇଁ ଦୁର୍ଗମ ଓ ଅଗମ୍ୟ ତାଲିକାରେ ଥିବା ଏହି ଗାଁର ଲୋକମାନେ ତେଣୁ ଏବେ ଓଡ଼ିଆ ଛାଡ଼ି ଛତିଶଗଡ଼ି ଭାଷାରେ କଥାବାର୍ତ୍ତା କରୁଛନ୍ତି। ସେ ରାଜ୍ୟର ସଂସ୍କୃତିକୁ ଆପଣେଇବାକୁ ବସିଛନ୍ତି। 

 

ଏହି ସୀମାନ୍ତ ଗ୍ରାମ ଗୁଡିକ ପାଇଁ ଛତିଶଗଡ଼ ସରକାର ସ୍ବତନ୍ତ୍ର ପ୍ୟାକେଜ କରିବା ସହ ମୋବାଇଲ ନେଟୱର୍କ ସେବା ମଧ୍ୟ ଯୋଗାଇ ଆସୁଛନ୍ତି। ଛତିଶଗଡ଼ ସରକାରଙ୍କ ପକ୍ଷରୁ ଏଠାରେ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇ ଛତିଶଗଡି ଭାଷାରେ ଶିକ୍ଷାଦାନ କରାଯାଉଛି। ମାତୃଭାଷା ଶିକ୍ଷା ଓଡିଆରୁ ବଂଚିତ ହେଉଛନ୍ତି। ଓଡ଼ିଶାର ଭାଷା, ସଂସ୍କୃତି, କଳା ଐତିହ୍ୟ ଆଦି ବିଷୟରେ ଜାଣିବା ବଦଳରେ ଛତିଶଗଡ଼କୁ ନିଜ ରାଜ୍ୟ ବୋଲି ଭାବୁଛନ୍ତି । ମାତୃଭାଷା ଓଡ଼ିଆ ପରିବର୍ତ୍ତେ ହିନ୍ଦି ବୋଲି ଲେଖୁଛନ୍ତି। ଏମିତିକି ସୀମାନ୍ତ ଗ୍ରାମବାସୀଙ୍କ ନୂଆ ରାସନ୍ କାର୍ଡ଼, ଭୋଟ ପରିଚୟପତ୍ର ଦେବା ସହ ବିଭିନ୍ନ ଯୋଜନାରେ ଆର୍ଥିକ ସହାୟତା ଦିଆଯାଇଛି। ପରିବାରର ଜଣେ ସଦସ୍ୟ ଛତିଶଗଡ଼ର ରାସନକାର୍ଡ ଓ ଆଧାରକାର୍ଡ ରଖିଥିବା ବେଳେ ଅନ୍ୟ ଜଣେ ସଦସ୍ୟ ଓଡ଼ିଶାର ରଖିଛନ୍ତି। ତେବେ ଏହି ସମସ୍ୟା ଗୁରୁତର ହେବା ପୂର୍ବରୁ ସୀମାନ୍ତରେ ପ୍ରଶାସନ ପକ୍ଷରୁ ସର୍ଭେ କରି ଦୀର୍ଘ ମିଆଦି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। 

Nabarangpur