ଭୁବନେଶ୍ବର(ଶିବଶଙ୍କର ଓଝା): ଏବେ ପୁଣି ଚର୍ଚ୍ଚାରେ ସେନସର୍ ବୋର୍ଡ। କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଯୋଜକ ଦେବାଶିଷ ପଟ୍ଟନାୟକ ଓ ନିର୍ଦ୍ଦେଶକ ଅଶୋକ ପତି। ସେମାନଙ୍କ ନୂଆ ଓଡ଼ିଆ ସିନେମା ଲଢ଼େଇର ରିଲିଜ୍ ତାରିଖ ୧୭ ତାରିଖରେ ଘୋଷିତ ହୋଇଥିଲା। ମାତ୍ର ଫିଲ୍ମକୁ ସେନସର୍ ପ୍ରମାଣପତ୍ର ମିଳିବାରେ ବିଳମ୍ବ ହେବା ହେତୁ ଏହା ରିଲିଜ୍ ହୋଇପାରିଲାନାହିଁ।

Advertisment

ଘଟଣା ନୂଆ ନୁହେଁ

ଏଭଳି ଘଟଣା ନୂଆ ନୁହେଁ ଆଗରୁ ମଧ୍ୟ ଏଭଳି ଘଟିବାର କେତେକ ନଜିର ରହିଛି। ଖାଲି ‘ଲଢ଼େଇ’ ନୁହେଁ, ଆଜି ମୁକ୍ତିଲାଭ କରିଥିବା ‘ବାସ୍ତବ’ ଓ ମୁକ୍ତି ଅପେକ୍ଷାରେ ଥିବା ‘ଜହ୍ଲାଦ’ ଓ ‘ଶମ୍ଭୁ’ ବି ସିବିଏଫସିର ପ୍ରମାଣପତ୍ର ପାଇବା ବେଳେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କୁହାଯାଉଛି ଯେ   ‘ଲଢ଼େଇ’ରେ ମାତ୍ରାଧିକ ହିଂସା ଓ ଆପତ୍ତିଜନକ ସଂଳାପ ରହିଛି। ସେଥିଲାଗି ଏହାର ସମୀକ୍ଷା ଲାଗି ସମୟ ନିଆଯାଇଛି। ତେଣେ ‘ଶମ୍ଭୁ’ ର ଏକ ଦୃଶ୍ୟକୁ ନେଇ ସେନସର୍ ବୋର୍ଡ ଆପତ୍ତି ଉଠାଇଥିଲେ। ପରେ ପ୍ରଯୋଜକ ତାହାକୁ ସେନସର୍ ବୋର୍ଡର ପରାମର୍ଶକୁ ଗ୍ରହଣ କରିଛନ୍ତି।

ସେନସର୍ ପ୍ରକ୍ରିୟାକୁ ଗୁରୁତ୍ବ

କିନ୍ତୁ ସବୁ ଦୋଷ ତ ସେନସର୍ ବୋର୍ଡର ନୁହେଁ। ଏଠି ଗୋଟିଏ କଥା କହିବା ସମୀଚୀନ ହେବ ଯେ ଯେଉଁ ପ୍ରଯୋଜକ ପାଖାପାଖି ଦଶ ମାସ ହେବ ସିନେମା ନିର୍ମାଣ କାମରେ ମନୋନିବେଶ କରିଛନ୍ତି, ଏବଂ କିଛି ମାସ ତଳୁ ଭିନ୍ନ ଢଙ୍ଗରେ ପ୍ରଚାର କାମ ଆରମ୍ଭ କରିଛନ୍ତି, ସେ କିପରି ସେନସର୍ ପ୍ରକ୍ରିୟାକୁ ଗୁରୁତ୍ବର ସହ ନେଲେ ନାହିଁ। ଯେଉଁ ପ୍ରଯୋଜକ ନିଜ ସିନେମାର ରିଲିଜ୍ ତାରିଖ ସ୍ଥିର କରୁଛନ୍ତି, ବା ହଲ୍ ବୁକ୍ କରୁଛନ୍ତି, ସେ କାହିଁକି ଯଥେଷ୍ଟ ସମୟ ପୂର୍ବରୁ ସେନସର୍ କାମ ଶେଷ କରୁନାହାନ୍ତି? ନିୟମତଃ ସେନସର୍ ପ୍ରମାଣପତ୍ର ନ ମିଳିବା ଆଗରୁ ରିଲିଜ୍ ତାରିଖ ଘୋଷଣା କରାଯିବା ଯୁକ୍ତିଯୁକ୍ତ ବି ନୁହେଁ। ଅବଶ୍ୟ ରିଲିଜର ଦିନେ ଦୁଇ ଦିନ ପୂର୍ବରୁ ସେନସର୍ କରାଇନେବା ପ୍ରକ୍ରିୟା ଓଡ଼ିଶାରେ ଏକ ଅଭ୍ୟାସରେ ପରିଣତ ହୋଇଛି। 

Ollywood