କଟକ: କଟକ ସହରରେ ବାୟୁ ପ୍ରଦୂଷଣର ସ୍ଥିତିକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ କଟକ ସହର ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ ହୋଇଥିଲା। ସହରର ରାସ୍ତାଘାଟ ଧୂଳି ଓ ଧୂଆଁ ଦ୍ବାରା ଆଚ୍ଛାଦିତ ହେଉଛି। ସଂଧ୍ୟାରେ ବାୟୁ ପ୍ରଦୂଷଣ ସ୍ଥିତି ଅଧିକ ଖରାପ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିଷ୍କ୍ରିୟତାକୁ ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ହାଇକୋର୍ଟ ଏହି ପ୍ରସଂଗକୁ ଗୁରୁତ୍ବର ସହିତ ଗ୍ରହଣ କରି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରୁ ଜବାବ ତଲବ କରିଛନ୍ତି। କଟକ ସହରରେ ବାୟୁ ପ୍ରଦୂଷଣ ପାଇଁ ଦାୟୀ ବ୍ୟକ୍ତି, କର୍ତ୍ତୃପକ୍ଷ, ଶିଳ୍ପ ସଂସ୍ଥା ବିରୋଧରେ ୨୦୨୫, ଜାନୁଆରିରୁ କଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ନିର୍ଦ୍ଦିଷ୍ଟ ଭାବେ ସତ୍ୟପାଠରେ ଉଲ୍ଲେଖ କରିବାକୁ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରିବେଶ ନିୟମାବଳୀ ପାଳନ ସୁନିଶ୍ଚିତ କରିବା ପାଇଁ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ଓ ଏହି ଅବଧି ଭିତରେ ନିୟମ ଉଲ୍ଲଂଘନାକାରୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ ଅବଗତ କରିବାକୁ ହାଇକୋର୍ଟ କହିଛନ୍ତି। ସେପ୍ଟେମ୍ବର ୨୫ରେ ଏହି ପ୍ରସଂଗରେ ପରବର୍ତ୍ତୀ ଶୁଣାଣି ହେବ।
ଆଗକୁ ଦୁର୍ଗାପୂଜା ଥିବା ବେଳେ ସେପ୍ଟେମ୍ବର ୧୪ରୁ ମା କଟକ ଚଣ୍ଡୀଙ୍କ ସ୍ବତନ୍ତ୍ର ରୀତିନୀତି ଓ ପୂଜା ଆରମ୍ଭ ହେବାକୁ ଥିବା ବେଳେ ନବୀକରଣ କାର୍ଯ୍ୟ କାରଣରୁ ଦର୍ଶନ ପାଇଁ ଆସିବାକୁଥିବା ଶ୍ରଦ୍ଧାଳୁ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ତାହା ସୁନିଶ୍ଚିତ କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ପୂଜା ପାଇଁ ସହରରେ ଭିଡ଼ ରହିବ। ଅନିୟନ୍ତ୍ରିତ ଭାରୀ ଯାନ ଚଳାଚଳ ପାଇଁ ଟ୍ରାଫିକ ସମସ୍ୟା ଦେଖା ଦେବାର ସମ୍ଭାବନା ରହିଛି ବୋଲି ଶୁଣାଣି ବେଳେ ଦର୍ଶାଯାଇଥିଲା। ଦୁର୍ଗାପୂଜା ବେଳେ ଟ୍ରାଫିକ୍ ପରିଚାଳନା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଉଛି ସେ ନେଇ ସତ୍ୟପାଠ ଦାଖଲ କରିବାକୁ ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧୮ରେ ଏହି ପ୍ରସଂଗରେ ପରବର୍ତ୍ତୀ ଶୁଣାଣି ହେବ।
ଏସସିବି ସହିତ ରାଜ୍ୟର ଅନ୍ୟ ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟ ପ୍ରସଂଗରେ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ପ୍ରସ୍ତୁତ ଓ ଇନ୍ଡୋର୍ ରୋଗୀଙ୍କୁ ଖାଦ୍ୟ ପ୍ରଦାନ ବେଳେ ସ୍ବାସ୍ଥ୍ୟକର ପରିବେଶ ସୁନିଶ୍ଚିତ ପାଇଁ ଗ୍ରହଣ କରାଯାଉଥିବା ବ୍ୟବସ୍ଥା, ରୋଗୀଙ୍କ ପାଇଁ ଖାଦ୍ୟ ପର୍ଯ୍ୟାପ୍ତ ପ୍ରସଂଗ, ଖାଦ୍ୟ ପ୍ରଦାନ ପ୍ରକ୍ରିୟା ପ୍ରସଂଗରେ ତଥ୍ୟ ଉଲ୍ଲେଖ କରି ସତ୍ୟପାଠ ଦାଖଲ ପାଇଁ ଏସସିବି ଅଧୀକ୍ଷକ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆଗକୁ ଦୁର୍ଗାପୂଜା ଥିବା ବେଳେ ସେପ୍ଟେମ୍ବର ୧୪ରୁ ମା କଟକ ଚଣ୍ଡୀଙ୍କ ସ୍ବତନ୍ତ୍ର ରୀତିନୀତି ଓ ପୂଜା ଆରମ୍ଭ ହେବାକୁ ଥିବା ବେଳେ ନବୀକରଣ କାର୍ଯ୍ୟ କାରଣରୁ ଦର୍ଶନ ପାଇଁ ଆସିବାକୁଥିବା ଶ୍ରଦ୍ଧାଳୁ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ତାହା ସୁନିଶ୍ଚିତ କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ପୂଜା ପାଇଁ ସହରରେ ଭିଡ଼ ରହିବ। ଅନିୟନ୍ତ୍ରିତ ଭାରୀ ଯାନ ଚଳାଚଳ ପାଇଁ ଟ୍ରାଫିକ ସମସ୍ୟା ଦେଖା ଦେବାର ସମ୍ଭାବନା ରହିଛି ବୋଲି ଶୁଣାଣି ବେଳେ ଦର୍ଶାଯାଇଥିଲା। ଦୁର୍ଗାପୂଜା ବେଳେ ଟ୍ରାଫିକ୍ ପରିଚାଳନା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଉଛି ସେ ନେଇ ସତ୍ୟପାଠ ଦାଖଲ କରିବାକୁ ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧୮ରେ ଏହି ପ୍ରସଂଗରେ ପରବର୍ତ୍ତୀ ଶୁଣାଣି ହେବ।
ମାମଲାର ଶୁଣାଣି ସମୟରେ ସ୍ବାସ୍ଥ୍ୟ ସଚିବ ଆଶ୍ବଥି ଏସ. ସତ୍ୟପାଠ ଦାଖଲ କରି ଦର୍ଶାଇଥିଲେ ଯେ ସ୍ବାସ୍ଥ୍ୟ ବିଭାଗ ଅଧିନରେ ଥିବା ଅଧିକାଂଶ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଏସସିବିଏମସିଏଚ, ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନ, ଶିଶୁଭବନ ସମେତ ପ୍ରମୁଖ ମେଡିକାଲ କଲେଜ ଓ ହସ୍ପିଟାଲ ଗୁଡ଼ିକରେ ୨୪ ଘଣ୍ଟିଆ ଓପିଡି ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି। ଏସସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଗୌତମ କୁମାର ଶତପଥୀ ଦର୍ଶାଇଥିଲେ ଯେ ୨୦୨୫, ଜୁଲାଇରେ ମୋଟ ୧୮୯୨୨୫ ଓପିଡ଼ି ରୋଗୀଙ୍କ ପଞ୍ଜୀକରଣ କରାଯାଇଥିବା ବେଳେ ଏଥି ମଧ୍ୟରେ ୨୫,୩୧୭ଜଣ ଅନ୍ ଲାଇନରେ ପଞ୍ଜୀକରଣ କରିଥିଲେ। ସେହିଭଳି ଭାବେ ଗତ ଅଗଷ୍ଟରେ ମୋଟ ଓପିଡି ରୋଗୀ ପଞ୍ଜୀକରଣ ସଂଖ୍ୟା ୧୯୪୩୬୧ ମଧ୍ୟରେ ୩୦୬୪୨ ଅନ୍ ଲାଇନ ପଞ୍ଜୀକରଣ ରହିଥିଲା। ସେପ୍ଟେମ୍ବର ୧୦ ସୁଦ୍ଧା ୧୬୬୭ ଓ ଆଜି ସୁଦ୍ଧା ଅନ୍ ଲାଇନ ପଞ୍ଜୀକରଣ ୨୪୯୧ ରହିଛି। ଶିଶୁ ଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରଭାକର ମିଶ୍ର ଦର୍ଶାଇଥିଲେ ଯେ ୨୦୨୫ ଅଗଷ୍ଟରେ ୧୭୧୪୦ ଓପିଡି ପଞ୍ଜୀକରଣ ମଧ୍ୟରୁ ୫୪୪ ଅନ୍ ଲାଇନରେ ହୋଇଥିଲା। ସେପ୍ଟେମ୍ବର ମାସରେ ୧୦୮ ଅନ୍ ଲାଇନ ପଞ୍ଜୀକରଣ କରାଯାଇଛି। ସ୍ବାସ୍ଥ୍ୟ ସଚିବ ଓ ଅନ୍ୟ ଅଧିକାରୀଙ୍କ ଏପରି ପଦକ୍ଷେପକୁ ହାଇକୋର୍ଟ ପ୍ରଶଂସା କରିଛନ୍ତି। ଥରେ ଅନ୍ ଲାଇନରେ ପଞ୍ଜୀକରଣ କରିଥିବା ରୋଗୀ ଡାକ୍ତର ଦେଖାଇବା ପରେ ପୁନର୍ବାର ପରାମର୍ଶ ପାଇଁ ଆସିବା ସମୟରେ ତାଙ୍କ ପାଇଁ କଣ ବ୍ୟବସ୍ଥା ରହଛି ସେ ନେଇ ଅବଗତ କରିବାକୁ ଏସସିବି ଅଧୀକ୍ଷକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପରାମର୍ଶ କରିଥିବା ଡାକ୍ତରଙ୍କୁ ପୁଣି ଥରେ ଦେଖାଇବାକୁ ପାଇଁ ଚାହୁଁଥିବା ରୋଗୀଙ୍କ ପାଇଁ କଣ ବ୍ୟବସ୍ଥା ରହିଛି ସେ ନେଇ ସ୍ପଷ୍ଟ କରିବାକୁ ହାଇକୋର୍ଟ କହିଛନ୍ତି। ଆମିକସ କ୍ୟୁରି ବିଜୟ କୁମାର ଦାଶ, ଇଂଜିନିୟର ଏନ.କେ.ମହାନ୍ତି, ହାଇକୋର୍ଟ ବାର୍ ସଭାପତି ମନୋଜ କୁମାର ମିଶ୍ର, ସଂପାଦକ ଅଭିଜିତ ପଟ୍ଟନାୟକ, ଆଡଭୋକେଟ କମିଟି ସଦସ୍ୟ ସରୋଜ କୁମାର ପାଢୀ, ବିଭୁତି ଭୂଷଣ ଚୌଧୁରୀ, ମହମ୍ମଦ ଆରିଫଉଦ୍ଦିନ ଖାନ୍ ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି।